ଶ୍ରୀନଗର:ଆସନ୍ତାକାଲି (ସୋମବାର) ପଞ୍ଚମ ପର୍ଯ୍ୟାୟରେ କାଶ୍ମୀରର ଗୋଟିଏ ସଂସଦୀୟ ଆସନରେ ମତଦାନ ହେବାକୁ ଯାଉଛି । ଭୋଟିଂ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ବେ ଘାଟିର ଦୁଇଟି ସ୍ଥାନରେ ଆକ୍ରମଣ କରି ମୁଣ୍ଡ ଗଡାଇଛନ୍ତି ଆତଙ୍କବାଦୀ । ଗତକାଲି (ଶନିବାର) ରାତିରେ ସୋପିଆନରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିବା ସହ ଅନନ୍ତନାଗରେ ଅଣସ୍ଥାନୀୟ ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳିମାଡ କରିଛନ୍ତି । ଏହି ଦମ୍ପତିଙ୍କ ଘର ରାଜସ୍ଥାନ । ସେମାନେ ପରିଭ୍ରମଣ ପାଇଁ କାଶ୍ମୀର ଯାଇ ଆତଙ୍କୀ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ସମଗ୍ର ଏରିଆକୁ ଏବେ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି ।
କାଶ୍ମୀର ଜୋନ ପୋଲିସ ‘ଏକ୍ସ’ରେ ଘଟଣା ସମ୍ପର୍କରେ ସୂଚନା ଦେଇଛି । ଦକ୍ଷିଣ-କାଶ୍ମୀର ସୋପିଆନର ହିରପୁରା ଏରିଆରେ ପୂର୍ବତନ ସରପଞ୍ଚ ଅଜିଜ୍ ଶେଖଙ୍କୁ ଗତକାଲି ରାତି ପ୍ରାୟ ସାଢେ 10ଟାରେ ତାଙ୍କ ଘର ନିକଟରେ ଆତଙ୍କବାଦୀ ଅତି ନିକଟରୁ ଗୁଳିମାଡ କରିଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜିଜ ଭାରତୀୟ ଜନତା ପାର୍ଟି (ବିଜେପି) ସହ ଜଡିତ ଥିଲେ ଓ ଜମ୍ମୁ-କାଶ୍ମୀର ପଞ୍ଚାୟତ ନିର୍ବାଚନ ଲଢି ସରପଞ୍ଚ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ ।
ସେପଟେ ଅନନ୍ତନାଗର ଏକ ଟୁରିଷ୍ଟ କ୍ୟାମ୍ପରେ ଅଣସ୍ଥାନୀୟ ପର୍ଯ୍ୟଟକ ଦମ୍ପତିଙ୍କୁ ଆକ୍ରମଣକୁ କରିଥିଲେ ଆତଙ୍କବାଦୀ । ରାଜସ୍ଥାନର ମହିଳା ପର୍ଯ୍ୟଟକ ଫରା ଓ ତାଙ୍କ ସ୍ବାମୀ ତବରେଜଙ୍କୁ ଗୁଳି ଲାଗିଛି । ଗୁଳିମାଡ କରି ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେମାନେ ଚିକିତ୍ସାଧୀନ ରହିଛନ୍ତି । ଉଭୟ ଆକ୍ରମଣ ମଧ୍ୟରେ ପ୍ରାୟ ଅଧଘଣ୍ଟାର ବ୍ୟବଧାନ ରହିଛି । ତେଣୁ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।