ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀର ପୁରାତନ ସହର ରାଜେନ୍ଦ୍ର ନଗରର ରାଉଜ କୋଚିଂ ସେଣ୍ଟରର ବେସମେଣ୍ଟରେ ଶନିବାର ଭୟାବହ ଅଘଟଣରେ ଚାଲିଯାଇଛି 3 ଜଣ ୟୁପିଏସସି ଆଶାୟୀଙ୍କ ଜୀବନ । ହଠାତ୍ ବେସମେଣ୍ଟରେ ଡ୍ରେନ ପାଣି ପଶିଯିବା ଫଳରେ ଲାଇବ୍ରେରୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଏବେ ପ୍ରଶ୍ନଘେରରେ ଦିଲ୍ଲୀର କୋଚିଂ ସେଣ୍ଟର । ଅବ୍ୟବସ୍ଥା ଯୋଗୁଁ ଅକାଳରେ ଛାତ୍ରଛାତ୍ରୀଙ୍କ ପ୍ରାଣହାନି ଘଟୁଛି । ଏହା ପ୍ରଥମ ଘଟଣା ନୁହେଁ, ଇତିହାସ ପୃଷ୍ଠା ଲେଉଟାଇଲେ ଏଭଳି ବାରମ୍ବାର ଘଟଣା ଜାତୀୟ ରାଜଧାନୀରୁ ସାମ୍ନାକୁ ଆସୁଛି ।
ନିୟମକୁ ଫୁ !
ରାଉଜ କୋଚିଂ ସେଣ୍ଟରର ବେସମେଣ୍ଟରେ ଲାଇବ୍ରେରୀ ରହିଛି । ଏଠାରେ ୟୁପିଏସସି ଆଶାୟୀମାନେ ଆସି ପାଠ ପଢନ୍ତି । ଶନିବାର ହଠାତ ବେସମେଣ୍ଟରେ ପାଣି ପଶିଯିବା କାରଣରୁ କିଛି ଆଶାୟୀଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଜାତୀୟ ରାଜଧାନୀରେ ଏଭଳି ଅନେକ କୋଚିଂ ସେଣ୍ଟର ରହିଛି ଯାହାକି ସୁରକ୍ଷା ନିୟମକୁ ଅଣଦେଖା କରୁଛି । ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ସବୁଠୁ ବିଡମ୍ବନାର ବିଷୟ ହେଉଛି, ଏହି କୋଚିଂ ସେଣ୍ଟରଗୁଡ଼ିକ ପରିଚାଳନା ପୂର୍ବରୁ ଏହାର ସୁରକ୍ଷା ସମ୍ବନ୍ଧୀୟ ଯାଞ୍ଚ କରାଯାଉନାହିଁ । ବିନା ଫାୟାର ସେଫ୍ଟି ସାର୍ଟିଫିକେଟ, ଗଠନମୂଳକ ସ୍ଥିରତା ଓ ବିପର୍ଯ୍ୟୟର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏହା ପରିଚାଳିତ ହେଉଛି ।
ଉଦ୍ଧାର କାର୍ଯ୍ୟରେ ସମସ୍ୟା:-
ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଉଭୟ ସମ୍ପତ୍ତି ମାଲିକ ଏବଂ କୋଚିଂ ବା ଇନଷ୍ଟିଚ୍ୟୁଟ୍ ଅପରେଟର ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ପ୍ରତି ଧ୍ୟାନ ଦେବାକୁ ଚାହାଁନ୍ତି ନାହିଁ ବୋଲି ଅଭିଯୋଗ ହେଉଛି । ଏହି କାରଣରୁ ଯେତେବେଳେ ଏପରି ଘଟଣା ଘଟୁଛି, ସ୍ଥାନୀୟ ଲୋକେ ବା ଉଦ୍ଧାରକାରୀ ଟିମ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଏହି ସମସ୍ୟା ସେତେବେଳେ ଉପୁଜୁଥିବା ଦେଖିବାକୁ ମିଳୁଛି, ଯେତେବେଳେ କୋଚିଂ ସେଣ୍ଟର ସଂକୀର୍ଣ୍ଣ ରାସ୍ତାରେ ଥାଏ କିମ୍ବା ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଗାଡି ଗୁଡିକ ଘଟଣାସ୍ଥଳରେ ପହଞ୍ଚିବାରେ ଅସୁବିଧା ଭୋଗନ୍ତି ।
ଏହି ସ୍ଥାନରେ ଛତୁ ଫୁଟିଲା ପରି ରହିଛି କୋଚିଂ ସେଣ୍ଟର:-
ଦିଲ୍ଲୀରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠି ସୁରକ୍ଷା ମାପଦଣ୍ଡକୁ ବେଖାତିର କରି ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ଗୁଡ଼ିକ ପରିଚାଳିତ ହେଉଛି । ତନ୍ମଧ୍ୟରୁ ରାଜେନ୍ଦ୍ର ନଗର, ପୁରୁଣା ରାଜେନ୍ଦ୍ର ନଗର, ପଟେଲ ନଗର, ପୁସା ରୋଡ, କରୋଲ ବାଗ, ମୁଖାର୍ଜୀ ନଗର, ଜିଟିବି ନଗର, ଲକ୍ଷ୍ମୀ ନଗର, ପ୍ରୀତ ବିହାର, ଶକରପୁର, ଜାନକପୁରୀ, ଉତ୍ତମ ନଗର, ବିକାଶପୁରୀ, କାଲୁ ସରାୟ, ନେହେରୁ ବିହାର । ଏହି ସ୍ଥାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଯାୟୀ ସଠିକ୍ ଭାବରେ ପ୍ରବେଶ-ପ୍ରସ୍ଥାନ ଗେଟ୍ ଅଭାବରୁ ବାରମ୍ବାର ଅଘଟଣ ଘଟୁଛି । କମ୍ ଭଡା ଦେଇ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ କୋଚିଂ ସେଣ୍ଟରର ଅପରେଟରମାନେ ଖୋଲାଖୋଲି ଭାବରେ ନିୟମର ଉଲ୍ଲଙ୍ଘନ କରି ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛନ୍ତି । ଏହି ସ୍ଥାନ ଗୁଡ଼ିକରେ ସିଏ, IAS, ଇଞ୍ଜିନିୟରିଂ, ମେଡିକାଲ, ବ୍ୟାକିଂ ଓ SSCର ଅନେକ କୋଚିଂ ସେଣ୍ଟର ରହିଛି ।