ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଦିଲ୍ଲୀର ରଉସ୍ ଆଭେନ୍ୟୁ କୋର୍ଟରୁ ତାଙ୍କୁ ଜାମିନ ମିଳିଛି । ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ଗତ ମାର୍ଚ୍ଚମାସ ୨୧ ତାରିଖରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମେ ୩୦ ତାରିଖରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ । ଏହାପରେ ଜୁନ ୨ ତାରିଖରେ ସେ ଲୋକସଭା ନିର୍ବାଚନ ସାରି ପୁଣି ଜେଲକୁ ତାଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଆଜି ସେ ଜେଲରୁ ମୁକୁଳିବେ ।
ଏହା ପୂର୍ବରୁ ଜୁନ୍ ୧୯ରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନିୟମିତ ଜାମିନ ଆବେଦନ ଉପରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଶୁଣାଣି ପରେ ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ବିଚାରପତି ଏନ ବିନ୍ଦୁ ଗୁରୁବାର କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ତାଙ୍କୁ ଜାମିନ ମିଳିଛି ।
ସୂଚନାଯୋଗ୍ୟ ଯେ ୧ ଲକ୍ଷ ଟଙ୍କାର ବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଜାମିନ ବିରୋଧରେ ତଦନ୍ତକାରୀ ସଂସ୍ଥା ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା । ଏହା ସହ ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା । ହେଲେ ଦିଲ୍ଲୀର ରଉସ୍ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ।