ଶ୍ରୀନଗର: 2024 ସାଧାରଣ ନିର୍ବାଚନରେ ଦେଶରେ ମୋଦି ଲହରକୁ ରୋକିବା ଓ ସମ୍ବିଧାନ ବଞ୍ଚାଓ ନାରା ସହ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଥିବା ମିଳିତ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ନିର୍ବାଚନ ଲଢିବା ପର୍ଯ୍ୟନ୍ତ ଅସ୍ଥିତ୍ବରେ ରହିବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି ହେଲାଣି । ଗୋଟିଏ ପରେ ଗୋଟିଏ ମେଣ୍ଟ ସହଯୋଗୀ ଦଳ ଆସନ ବୁଝାମଣାରେ ଅସନ୍ତୁଷ୍ଟ ହେବା ପରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ଏହିକ୍ରମରେ ଘାଟିରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଦଳ ‘ପିପୁଲ୍ସ ଡେମୋକ୍ରାଟିକ ପାର୍ଟି’ (ପିଡିପି) ‘ଇଣ୍ଡିଆ’ ମେଣ୍ଟରୁ ଅଲଗା ହୋଇପାରେ । ମୁଫତିଙ୍କ ଦଳ ଏକାକୀ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା ଦଳ ସୂତ୍ରରୁ ମସୂଚନା ମିଳିଛି ।
ପିଡିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରର ସମସ୍ତ 6 ଲୋକସଭା ଆସନରେ ଦଳ ଏକାକୀ ପ୍ରାର୍ଥୀ ଦେବ । ସମ୍ଭାବ୍ୟ ପ୍ରାର୍ଥୀତ୍ବ ବିଚାର ବିମର୍ଶ ମଧ୍ୟ ଜାରି ରହିଛି । କିଛି ଦିନ ମଧ୍ୟରେ ଦଳ ଏନେଇ ବିଧିବଦ୍ଧ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବ । ଗତ ସପ୍ତାହରେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଧ୍ୟ ‘ଇଣ୍ଡିଆ’ ମେଣ୍ଟରେ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଦଳ ଆସନ ବୁଝାମଣା ନେଇ କୌଣସି ଦ୍ବନ୍ଦ୍ବ ମଧ୍ୟରେ ନାହିଁ । ଦଳ ଏକାକୀ ଓ ନିଜ କ୍ଷମତାରେ ନିର୍ବାଚନ ଲଢିବାକୁ ଯାଉଥିବା ଫାରୁକ ସ୍ପଷ୍ଟ କରିଥିଲେ । ଏବେ ଘାଟିର ଅନ୍ୟତମ ପ୍ରମୁଖ ଦଳ ମୁଫତିଙ୍କ ପିଡିପି ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ।