ଲାଠିକଟାରେ ହାତୀ ଆତଙ୍କ, ବନ ବିଭାଗ ଅଫିସ ଘେରିଲେ ମହିଳା - ବନ ବିଭାଗ ଅଫିସ ଘେରିଲେ ମହିଳା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 2, 2023, 2:07 PM IST

ରାଉରକେଲା: ହାତୀ ଆତଙ୍କରେ ଆତଙ୍କିତ ଲାଠିକଟା ବ୍ଲକ ବାସିନ୍ଦା। ବନ ବିଭାଗ ହାତୀ ଘଉଡାଇବା ରେ ବିଫଳ ଓ ଲୋକଙ୍କ ଜୀବନ କୁ ରକ୍ଷା କରିବାରେ ଅସମର୍ଥ ହେଉଥିବା ଅଭିଯୋଗ ଆଣି ବନ ବିଭାଗ ଅଫିସ ଘେରିଲେ  ସ୍ଥାନୀୟ ଲୋକେ।  ହାତୀ ଗ୍ରାମରେ ପଶି ଧନ ଜୀବନ ନଷ୍ଟ କରୁଥିବା ବେଳେ ବନ ବିଭାଗ  ଉଚିତ ପଦକ୍ଷେପ ନେଉନଥିବାରୁ ଅଫିସ ଘେରାଉ କରିଛନ୍ତି ଉତ୍ୟକ୍ତ ଲୋକେ । ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ହାତୀ ଉପଦ୍ରବ ବଢି ଚାଲିଥିବା ବେଳେ  ଭୟରେ ଦିନ କାଟୁଛନ୍ତି ସ୍ଥାନୀୟ ବାସିନ୍ଦା।  ରାଉରକେଲା ସହର ଉପକଣ୍ଠ ଲାଠିକଟା ବ୍ଲକ ରେ ଦେଖାଦେଇଛି ହାତୀ ଆତଙ୍କ । ହାତୀ ବ୍ୟାପକ ଫସଲ ଏବଂ ଘର ନଷ୍ଟ କରୁଛି। ହାତୀ ପଲ ବହୁ ଦିନ ହେଲା ଏଠାରେ ଘୁରି ବୁଲୁଥିବା ବେଳେ ଲୋକେ ଘର ବହାରକୁ ବାହାରିବାକୁ ଭୟ କରୁଛନ୍ତି। ସୋନାପର୍ବତ ଅଞ୍ଚଳରେ ୨୨ ଟିକିଆ ଏକ ହାତୀପଲ  ଧାନ ଫସଲ ନଷ୍ଟ କରିବା ସହ  ଘର ଭାଙ୍ଗିଥିବା ନଜିର ରହିଛି। ଏନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଲାଠିକଟା ବ୍ଲକର ମହିଳା ମାନେ ଛେଣ୍ଡ ବାଗବୁଡିଠାରେ ଥିବା ବନବିଭାଗ କାର୍ଯ୍ୟାଳୟ ଯାଇ ରେଞ୍ଜର ଓ ଅନ୍ୟ ଅଧିକାରୀଙ୍କୁ ଭେଟି ହାତୀକୁ ଜଙ୍ଗଲକୁ ଘୋଡ଼ାଇବା ପାଇଁ ଦାବି କରିଥିଲେ । ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟି ସନ୍ଧ୍ୟାରେ ଗ୍ରାମରେ ବିଦ୍ୟୁତ କାଟକୁ ରୋକିବା ପାଇଁ ଦାବି କରିଥିଲେ । ବନ ବିଭାଗ ଅଫିସ ଘେରିବା ପରେ ଗ୍ରାମରୁ ହାତୀକୁ ଘୋଉଡ଼ାଇ ଜଙ୍ଗଲ ଭିତରକୁ ଛଡ଼ାଯିବାର ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଏହାସହ ହାତୀ ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯିବ ଏବଂ କିଭଳି ହାତୀ ଆଉ ଗ୍ରାମରେ ପଶିବ ନାହିଁ ତାହା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।  

ଏହା ମଧ୍ୟ ପଢନ୍ତୁ- ମଞ୍ଚାରେ ବିତୁଛି ଜୀବନ, ଫସଲ ସୁରକ୍ଷା ପାଇଁ ଚିନ୍ତାରେ ଚାଷୀ

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.