ନୂଆଦିଲ୍ଲୀ: ଅଶାନ୍ତ ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ। ରାଜ୍ୟପାଳଙ୍କ ସୁପାରିସ କ୍ରମେ ଆଜି(ଗୁରୁବାର)ଠୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ:
ଗତ ଫେବୃଆରୀ 9ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମଣିପୁର ହିଂସାକୁ ନେଇ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଥିଲା ଶେଷରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
President's Rule imposed in Manipur.
— ANI (@ANI) February 13, 2025
Manipur CM N Biren Singh resigned from his post on 9th February. https://t.co/vGEOV0XIrt pic.twitter.com/S9wymA13ki
କିପରି ଲାଗେ ରାଷ୍ଟ୍ରପତି ଶାସନ:
ଭାରତୀୟ ସମ୍ବିଧାନ ଅନୁଚ୍ଛେଦ 356 ଅନୁସାରେ, ରାଷ୍ଟ୍ରପତି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଘୋଷଣା କରିପାରିବେ । ଯେତେବେଳେ ରାଷ୍ଟ୍ରପତିଙ୍କୁ ହୃଦବୋଧ ହୁଏ, ରାଜ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠି ସମ୍ବିଧାନ ଅନୁସାରେ ଶାସନ ଚଳାଯାଇନପାରେ ।
ରାଷ୍ଟ୍ରପତି ଶାସନ ଲାଗୁ ହେବାର ପ୍ରକ୍ରିୟା କଣ ?
ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଥାନ୍ତି । ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଏଥିପାଇଁ ସୁପାରିସ କରେ । ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସୁପାରିସ କ୍ରମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନେଇଥାନ୍ତି ।
କେତେ ଦିନ ଲାଗୁ ହୁଏ ରାଷ୍ଟ୍ରପତି ଶାସନ ?
ରାଷ୍ଟ୍ରପତି ଶାସନ 6 ମାସ ପର୍ଯ୍ୟନ୍ତ ଲାଗୁ ହୁଏ । ଏଥିପାଇଁ ସଂସଦର ଉଭୟ ସଦନ(ଲୋକସଭା ଓ ରାଜ୍ୟସଭା)ର ମଞ୍ଜୁରୀ ନେବାକୁ ପଡିଥାଏ । ଏହାପରେ ଏହାକୁ ବର୍ଷେ ପର୍ଯ୍ୟନ୍ତ ବଢାଯାଇପାରେ ।
ରାଷ୍ଟ୍ରପତି ଶାସନ ଲାଗୁ ପରେ କଣ ପରିବର୍ତ୍ତନ ହୁଏ ?
କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସମସ୍ତ ପ୍ରଶାସନିକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ଯଦି ବିଧାନସଭା ଭଙ୍ଗ ହୋଇନଥାଏ ତେବେ ନାମମାତ୍ର ଭାବେ ରହିଥାଏ । କିନ୍ତୁ ବିଧାନସଭା ଯଦି ଭଙ୍ଗ କରାଯାଏ ପୁଣି ଥରେ ନିର୍ବାଚନ କରାଯାଏ । ସାଧାରଣତଃ ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ହୋଇଥାଏ ।
ଜାତିଗତ ହିଂସାକୁ ନେଇ ଅଶାନ୍ତ ଥିଲା ମଣିପୁର:
ମଣିପୁରରେ ମୈତାଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ମଣିପୁର । ଏହି ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହିଂସା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳିଥିଲା । ସଡକଠୁ ସଂସଦ ସବୁଠି ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦୀର୍ଘ ଦିନରୁ ଦାବି ହୋଇଆସିୁଥିଲା । ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ ।