ଭୁବନେଶ୍ବର: ଯୋଗାଯୋଗର ସବୁଠାରୁ ସ୍ଥିର ଏବଂ ପ୍ରଭାବଶାଳୀ ମାଧ୍ୟମ ରେଡି଼ଓ । ଦଶନ୍ଧି ଦଶନ୍ଧି ଧରି ସୁମଧୁର ସ୍ବରରେ ସ୍ରୋତାଙ୍କୁ ଏହା ବାନ୍ଧି ରଖି ପାରିଛି । ଆଜିର ଦିନରେ ବ୍ୟାପକ ଇଣ୍ଟରନେଟ ବ୍ୟବହାର ଫଳରେ ଟିକେ ପଛରେ ପଡିଯାଇଛି ସତ କିନ୍ତୁ ତାର ମୌଳିକତା ହରାଇ ନାହିଁ । ଟିଭି ଓ ମୋବାଇଲ ଦୁନିଆରେ ବି ଏହାକୁ କିଛି ଲୋକ ପାସୁରି ପାରିନାହାନ୍ତି । ରେଡି଼ଓର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 13 ତାରିଖରେ ପାଳନ ହେଉଛି ବିଶ୍ବ ରେଡ଼ିଓ ଦିବସ । ଆଜିର ଦିନରେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏକି ରେଡ଼ିଓ ମ୍ୟାନ । ମାନେ ସେ କେବଳ ରେଡ଼ିଓ ଶୁଣୁନାହାନ୍ତି ତା ନୁହଁ ବରଂ ବିଭିନ୍ନ ପ୍ରକାର ରେଡ଼ିଓକୁ ସଂଗ୍ରହ କରି ପାଖରେ ରଖିଛନ୍ତି ।
ପେଶାରେ କାଠ ମିସ୍ତ୍ରୀ ନିଶା ରେଡି଼ଓ ସଂଗ୍ରହ:
ରେଡ଼ିଓ ପ୍ରେମୀ ରାଜେନ୍ଦ୍ର ସାହୁ, ବୟସ 47 ବର୍ଷ । ଘର ଭୁବନେଶ୍ବର ସହିଦନଗରର ଅଞ୍ଚଳରେ । ପେଶାରେ ସେ ଜଣେ କାଠ ମନ୍ତ୍ରୀ କିନ୍ତୁ ନିଶା ରେଡି଼ଓ ସଂଗ୍ରହ କରିବା । ଯେତେବେଳ ତାଙ୍କୁ 5 ବର୍ଷ ହୋଇଥିଲା ସେବେଠାରୁ ସେ ରେଡ଼ିଓକୁ ନିଜର ବନ୍ଧୁ ଭାବିନେଇଛନ୍ତି । ରେଡ଼ିଓ ଶୁଣନ୍ତି ସଂଗ୍ରହ ବି କରନ୍ତି । ଆଜି ସେ ଜଣେ ରେଡି଼ଓ ସଂଗ୍ରାହକ ଭାବେ ପରିଚିତ । 500 ପ୍ରକାରର 600 ରୁ ଅଧିକ ନୂଆ ପୁରୁଣା ରେଡିଓ ରଖିଛନ୍ତି ରାଜେନ୍ଦ୍ର । କାଠ କାମ ତାଙ୍କୁ ପରିବାର ପୋଷିବାକୁ ସାହାଯ୍ୟ କରୁଛି । ଆଉ ରେଡ଼ିଓ ସଂଗ୍ରହ ତାଙ୍କୁ ଆତ୍ମତୃପ୍ତି ଦେଉଛି । ରେଡିଓ ସଂଗ୍ରହ କରିବାରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । ଘର ପାଖରେ ଏକ ରେଡି଼ଓ ମରାମତି ଦୋକାନ ଥିଲା । ସେଠାକୁ ସେ ଅନେକ ସମୟ ଯାଇ ମରାମତି କରୁଥିବା ମେକାନିଜ୍ର କାମକୁ ନିରିଖେଇ ଦେଖନ୍ତି । କିନ୍ତୁ ସମୟ କ୍ରମେ ରେଡି଼ଓ ଦୋକାନ ବନ୍ଦ ହୋଇଯିବ କାରଣରୁ ସେ ପାଖାପାଖି 100 ଟି ରେଡିଓ 500 ଟଙ୍କା ଦେଇ କିଣିଥିଲେ । ପରେ ସେ ଆଗକୁ ବଢିବାକୁ ଲାଗିଥିଲେ । ଆଜି ତାଙ୍କ ପାଖରେ 600 ରୁ ଅଧିକ ହଜିଯାଇଥିବା ରେଡି଼ଓ ସାଇତିକି ରଖିଛନ୍ତି।
ପିଲା ଦିନରୁ ରେଡ଼ିଓ ପ୍ରତି ଆକର୍ଷଣ:
ଏନେଇ ରାଜେନ୍ଦ୍ର କହିଛନ୍ତି, ''ପିଲା ଦିନରେ ବଜାରରେ ଦେଖେ ବିଭିନ୍ନ ପ୍ରକାର ରେଡ଼ିଓ ମିଳେ । ତାର ମଡେଲ ଦେଖି ମୋତେ ଇଚ୍ଛା ହେଲା ସବୁ ପ୍ରକାର ରେଡ଼ିଓ ନିଜ ପାଖରେ କେମିତି ରଖିବି । ଯେତେବେଳେ ଛୋଟ ଥିଲି ସେତେବେଳେ ଆମ ଘର ପାଖରେ ଏକ ରେଡିଓ ମରାମତି ଦୋକାନ ଥିଲା । ସେ ଦୋକାନ ବନ୍ଦ ହୋଇଯିବାରୁ ସେଠାରୁ 100 ଟି ରେଡି଼ଓ 500 ଟଙ୍କା ଦେଇ କିଣିଥିଲି । 500 ପ୍ରକାର ରେଡ଼ିଓ ମୋ ପାଖରେ ରହିଛି । ଯେଉଁ ଗୁଡିକ ଆଜିର ଦିନରେ ଦେଖିବାକୁ ମିଳୁନି । ମୁଁ ପେଶାରେ ଜଣେ କାଠ ମିନ୍ତ୍ରୀ ଓ କିନ୍ତୁ ନିଶା ରେଡ଼ିଓ ସଂଗ୍ରହ କରିବା । ଆଗକୁ ଇଚ୍ଛା ଅଛି ରେଡ଼ିଓ ସଂଗ୍ରାହଳୟ ଓ ସ୍ରୋତା ମହଲ ତିଆରି କରିବି । ସେଠାରେ ରେଡ଼ିଓ ବିଷୟରେ ସବୁ କିଛି ଉପଲବ୍ଧ ରହିବ । ଯେଉଁ ସ୍ଥାନକୁ ମୁଁ ଯାଏ ସେଠାରେ ମାର୍କେଟ ବୁଲେ ଓ ରେଡ଼ିଓ ଆଣେ ।''
![Carpenter rajendra Collects 600 Vintage radio](https://etvbharatimages.akamaized.net/etvbharat/prod-images/13-02-2025/od-bbsr-01-redio-spl-story-rajendra-7206049_13022025173025_1302f_1739448025_663.jpeg)
ଏହା ମଧ୍ୟ ପଢନ୍ତୁ-ଇଣ୍ଟରନେଟ ଯୁଗରେ ଆଜିବି ଲୋକପ୍ରିୟ ରହିଛି ରେଡିଓ: ସୁବ୍ରତ ପତି - Jagatsinghpur Radio Station
ଏହା ମଧ୍ୟ ପଢନ୍ତୁ-ସରିଲା ରେଡ଼ିଓ ମେଳା; ଦେଶ ବିଦେଶର ୩ ହଜାର ସଂସ୍ଥା ସାମିଲ - ଭୁବନେଶ୍ୱର ରେଡିଓ ମେଳା
ରେଡ଼ିଓ ସଂଗ୍ରହାଳୟ କରି ପ୍ରଦର୍ଶିତ କରିବାର ଲକ୍ଷ୍ୟ:
ଅଧିକରୁ ଅଧିକ ରେଡିଓ ସଂଗ୍ରହ ରାଜେନ୍ଦ୍ରଙ୍କ ମୂଳ ଲକ୍ଷ୍ୟ । ଆଗକୁ ରେଡି଼ଓକୁ କିଭଳି ଭାବରେ ପ୍ରଚାର ପ୍ରସାର କରାଯିବ ସେନେଇ ମଧ୍ୟ ଅଣ୍ଟା ଭିଡିଛନ୍ତି । ତେବେ ବିଶେଷ ଭାବରେ ଲକ୍ଷ ରହିଛି ସେ ଗୋଟିଏ ସଂଗ୍ରହାଳୟ କରି ପ୍ରଦର୍ଶିତ କରିବେ । ସ୍ରୋତା ମହଲ ତିଆରି କରି ସେଠାରେ ରେଡ଼ିଓ ବିଷୟରେ ଅବଗତ କରାଇବେ । ଯାହା ହଜିଯାଉଥିବା ରେଡି଼ଓର କାହାଣୀ ପୁଣି ଥରେ ମନେ ପକାଇବ। ଭବିଷ୍ୟତ ପିଢି ପାଇଁ ଯାହା ଏକ ଶିକ୍ଷଣୀୟ ଭାବେ ଉଭା ହେବ ।
ପୁରୁଣା ରେଡି଼ଓ ବ୍ରାଣ୍ଡ ସଂଗ୍ରହ:
ଦୀର୍ଘ 26 ବର୍ଷରୁ ଉର୍ଦ୍ଧ ସମୟ ହେବ ରାଜେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ରେଡି଼ଓ ସଂଗ୍ରହ କରିଥାନ୍ତି । ଯେମିତିକି ଫିଲିପ୍ସ, ପାନାଶୋନିକ୍, ମୁରୂଫି, ଫିଲ୍କୋ, ସୋନି, ସାନ୍ସୁଇ, ସାର୍ପ ଭଳି ବ୍ରାଣ୍ଡର ରେଡିଓ ସେ ସଂଗ୍ରହ କରି ଘରେ ସାଇତି ରଖିଛନ୍ତି । ବର୍ତ୍ତମାନ ସମୟରେ ରେଡି଼ଓର ବ୍ୟବହାର କମିଯାଇଥିଲେ ମଧ୍ୟ ଏଫ୍ଏମ୍ ସହାୟତାରେ ଆଜି ବି ଲୋକଙ୍କ ମଧ୍ୟରେ ତାହା ଜୀବିତ ରହିଛି । ରାଜେନ୍ଦ୍ର ସଂଗ୍ରହ କରି ରଖିଥିବା ପ୍ରତିଟି ରେଡି଼ଓକୁ ଏକ ସଂଗ୍ରହାଳୟ କରି ପ୍ରଦର୍ଶିତ କରିବାର ଲକ୍ଷ୍ୟ ରଖିଛନ୍ତି ।
ରେଡିଓକୁ ଗୁରୁତ୍ଵ:
ରେଡି଼ଓ ସୂଚନା ଆଦାନପ୍ରଦାନ ଏବଂ ବିଶ୍ୱର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି । ବର୍ତ୍ତମାନ ସୁଦ୍ଧା, ଏହା ସୂଚନା ବିସ୍ତାରର ସବୁଠାରୁ ଶକ୍ତିଶାଳୀ ଏବଂ ଶସ୍ତା ମାଧ୍ୟମ ଭାବେ ରହିଛି ବୋଲି କହିଛନ୍ତି ଆଉଟ୍ ରିଚର ମୁଖ୍ୟ ସୁବ୍ରତ ପତି।
ଡିଜିଟାଲ ଯୁଗରେ ରେଡିଓର ପ୍ରଭାବ:
ଦିନ ଥିଲା ଖବରପ୍ରସାରଣ ଓ ମନୋରଞ୍ଜନର ମାଧ୍ୟମ ଥିଲା ରେଡିଓ । ଡିଜିଟାଲ ଯୁଗରେ ରେଡିଓ ଧୀରେ ଧୀରେ ଲୁଚିଯିବାକୁ ବସିଲାଣି । ଏହାକୁ ପୁଣି ଥରେ ସମସ୍ତଙ୍କ ନିକଟକୁ ଆଣିବାକୁ ହେଲେ ରେଡି଼ଓ ପ୍ରତି ଭଲ ପାଇବା ବଢାଇବାକୁ ପଡିବ। ତେବେ ଆଗକୁ ରେଡି଼ଓର ଚାହିଦା କିଭଳି ବଢିବ ସେନେଇ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ଆଉଟ୍ ରିଚର ମୁଖ୍ୟ ସୁବ୍ରତ ପତି।
ଇଟିଭି ଭାରତ, ଭୁବନେଶ୍ବର