ମହୁମାଛି ଆକ୍ରମଣ, 8 ଜଣ ଗୁରୁତର - ମନ୍ଦିରରେ ମହୁମାଛି ଆକ୍ରମଣ
🎬 Watch Now: Feature Video
ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ 8ଜଣ ଗୁରୁତର ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ତେବେ ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଶୀର୍ଷା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ । ଝାରପୋଖରିଆ ଥାନା ଅନ୍ତର୍ଗତ ଶୀର୍ଷା ଶୂନ୍ୟ ମାଧବ ଜଗନ୍ନାଥ ମନ୍ଦିରରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ ପାଇଁ ହୋମଯଜ୍ଞ ଚାଲିଥିଲା । ସେହି ସମୟରେ ମନ୍ଦିର ସମ୍ମୁଖରେ ଥିବା ବଉଳ ଗଛରେ ମହୁମାଛି ହଠାତ୍ ଆକ୍ରମଣ କରିଥିଲେ । ଆକ୍ରମଣରେ 8ଜଣ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଛନ୍ତି । ଶୀର୍ଷା ଅଞ୍ଚଳର କୁଞ୍ଜ ବିହାରୀ ସେଠୀ, ସୁଧାଂଶୁ ଶେଖର ସାହୁ, ଦୁର୍ଗା ପ୍ରସାଦ ମହାପାତ୍ର, ବସନ୍ତ ଗିରି, ନଗେନ ସିଂ, ଅମୃତ ସେଠୀ ଓ ଜଣେ ନାବାଳିକା ଝିଅ ସହିତ ସଂକୀର୍ତ୍ତନ ଦଳର ସଦସ୍ୟ ମାନେ ମଧ୍ୟ ଗୁରୁତର ହୋଇଛନ୍ତି । ଏନେଇ ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ମଞ୍ଜିଆରୀ ଅଞ୍ଚଳର ସନିଆ ଗିରିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
ଇଟିଭି ଭାରତ, ରାଇରଙ୍ଗପୁର