ହାଇଦ୍ରାବାଦ: ଫେସବୁକ୍ର ପ୍ୟାରେଣ୍ଟ କମ୍ପାନୀ ତଥା ଗ୍ଲୋବାଲ ଟେକ୍ ଜାଏଣ୍ଟ ମେଟା ନିଜର ପରିଚାଳନାକୁ ଭାରତରେ ବିସ୍ତାର କରିବା ସ୍ବରୂପ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଭାରତରେ ବିଶେଷ କରି ଇଞ୍ଜିନିୟର, AI ରୋଲ୍ ଲାଗି ପ୍ରଡକ୍ଟ ସ୍ପେଶିଆଲିଷ୍ଟ ପଦବୀ ଆଣିବା ଲାଗି ଯୋଜନା କରୁଛି । ଏପରିକି ମେଟା ବେଙ୍ଗାଲୁରୁରେ ନୂଆ ଅଫିସ ଖୋଲିବାକୁ ଯାଉଥିବାବେଳେ ଏଠାରେ 41ଟି ପଦବୀ ବାହାର କରିଥିବା ଏହାର କ୍ୟାରିଅର ୱେବସାଇଟ୍ରେ ଉଲ୍ଲେଖ କରିଛି ।
କଣ ମେଟାର ଲକ୍ଷ୍ୟ ?
ନିକଟରେ ମେଟା ଛଟେଇ କରିଥିଲା, ଯାହାଦ୍ବାରା ସାରା ବିଶ୍ବରେ କମ୍ପାନୀର କାର୍ଯ୍ୟବଳ 5% ପ୍ରଭାବିତ ହୋଇଥିଲା । କିନ୍ତୁ ମେଟା ଅନ୍ୟ ପ୍ରମୁଖ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ୍ ପରି ଭାରତରେ ଏହାର ଇଞ୍ଜିନିୟରିଂ ଓ ପ୍ରଡକ୍ଟ ଟିମକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏଥିଲାଗି ବିଶେଷ କରି ବେଙ୍ଗାଲୁରୁରେ ଟେକନିକାଲ୍ ଟିମ ପ୍ରତିଷ୍ଠା କରିବା ଲାଗି ଇଞ୍ଜିନିୟରିଂ ଡିରେକ୍ଟର ନିଯୁକ୍ତି ଦେବ କମ୍ପାନୀ । ଏହାସହିତ AI ଭିତ୍ତିଭୂମିକୁ ବିସ୍ତାର କରିବା ପାଇଁ ମେଟା ହାର୍ଡୱେର ଇଞ୍ଜିନିୟରଙ୍କ ନିଯୁକ୍ତି ଆରମ୍ଭ କରିଛି । ଏମାନେ ମେଟାର ଡାଟା ସେଣ୍ଟର ଅପରେସନ ଓ କଷ୍ଟମ ଚିପ୍ ଡେଭଲପମେଣ୍ଟ ଉପରେ କାମ କରିବେ, ଯାହାକି କମ୍ପାନୀର ବୃଦ୍ଧି ପାଉଥିବା AI କ୍ଷମତା ଲାଗି ବେଶ ଗୁରୁତ୍ବପୂର୍ଣ୍ଣ ।
ବେଙ୍ଗାଲୁରୁରେ ମେଟାର ନୂଆ ଅଫିସ
2010ରେ ଭାରତରେ ନିଜର ଉପସ୍ଥିତି ପକ୍କା କରିଥିବା ମେଟା ଧିରେ ଧିରେ ଦେଶର ପ୍ରମୁଖ ସହର ଗୁରୁଗ୍ରାମ, ନୂଆଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଓ ବେଙ୍ଗାଲୁରୁରେ ଅଫିସ ଖୋଲିଛି । କିନ୍ତୁ ଏହି ସମସ୍ତ ଅଫିସରେ କାମ କରୁଥିବା କର୍ମଚାରୀ ବିଶେଷ ଭାବେ ସେଲ୍ସ, ମାର୍କେଟିଂ, ଅପରେସନ, ପଲିସି ଆଦି ଲାଗି କାମ କରନ୍ତି । କିନ୍ତୁ ବେଙ୍ଗାଲୁରୁର ନୂଆ ଅଫିସରେ କମ୍ପାନୀ ନିଜର ଇଞ୍ଜିନିୟରିଂ ଏବଂ ଏଆଇ କାର୍ଯ୍ୟକୁ ବଢାଇବା ଉଦ୍ଦେଶ୍ୟରେ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ । ଏଥିଲାଗି କମ୍ପାନୀ 41ଟି ନୂତନ ପଦବୀ ବାହାର କରିଛି ।
ଭାରତ ପାଲଟିବ ନୂଆ ଇଞ୍ଜିନିୟରିଂ ହବ୍
ସାରା ବିଶ୍ବରେ ମେଟା 1700ରୁ ଅଧିକ ନୂଆ ପୋଷ୍ଟିଂ ବାହାର କରିଥିବାବେଳେ, ବେଙ୍ଗାଲୁରୁ ପାଇଁ ବାହାରିଥିବା 41ଟି ନୂତନ ପଦବୀରୁ ଜଣାପଡିଛି ଯେ କମ୍ପାନୀ ମଧ୍ୟ ଭାରତର ଇଞ୍ଜିନିୟରିଂ କ୍ଷେତ୍ରରେ ଅଗ୍ରଗତି କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମେଟା ଭାରତକୁ ଏକ ଇଞ୍ଜିନିୟରିଂ ହବ୍ ଭାବରେ ବ୍ୟବହାର କରି ନାହିଁ, କିନ୍ତୁ ଏହି ନୂଆ ଅଫିସ ଭାରତର ବୈଷୟିକ ପ୍ରତିଭା ଗ୍ରହଣ କରିବାରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ ।