ବାଲେଶ୍ବର: ଜିଲ୍ଲାରେ ମେଡିକାଲ କଲେଜ ସହ ଅଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହେଲେ କେଉଁଠି ଉପଯୁକ୍ତ ଚିକିତ୍ସା ସୁବିଧା ପାଇବେ ସେନେଇ ଦ୍ବନ୍ଦ୍ବରେ ରୋଗୀ । କାରଣ କେଉଁଠି ଆବଶ୍ୟକୀୟ ସଂଖ୍ୟାରେ ଡାକ୍ତର ନାହାନ୍ତି ତ ଆଉ କେଉଁଠି ପରୀକ୍ଷା ସୁବିଧା କି ଔଷଧ ବ୍ୟବସ୍ଥା ନାହିଁ । ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବାବେଳେ ରେମୁଣାରେ ଗତ ୪ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇଛି ଫକୀର ମୋହନ ମେଡିକାଲ କଲେଜ । ସେପଟେ ମେଡିକାଲ କଲେଜକୁ ଅଧା ବିଭାଗ,ଡାକ୍ତର ଓ କର୍ମଚାରୀଙ୍କୁ ପଠାଯାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ସମସ୍ୟା ଦେଖାଦେଇଛି । ତେଣୁ ଏଠାରେ ରୋଗୀଙ୍କୁ ସେବା ଯୋଗାଇବାରେ ସମସ୍ୟା ହେଉଥିବାବେଳେ ମେଡିକାଲ କଲେଜରେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁ କେତେବେଳେ ଚିକିତ୍ସା ବିଳମ୍ବ ତ ଆଉ କେତେବେଳେ ଚିକିତ୍ସିତ ହେବାରୁ ବଞ୍ଚିତ ରୋଗୀ । କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନଥିବାରୁ ବାଧ୍ୟ ହୋଇ ବେସରକାରୀ ହସ୍ପିଟାଲ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ଆଣୁଛନ୍ତି ରୋଗୀ ।
କ'ଣ ରହିଛି ସମସ୍ୟା ?
ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରଠାରୁ ଉତ୍କୃଷ୍ଟ ରୋଗୀସେବା ମିଳିବା ନେଇ ବେଶ ଆଶାବାଦୀ ଥିଲେ ସାଧାରଣ ଲୋକେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ବାଲେଶ୍ୱର ଫକୀର ମୋହନ ମେଡିକାଲ)ରେ ଅତ୍ୟାଧୁନିକ ପରୀକ୍ଷା ପାଇଁ ବିଭିନ୍ନ ଉପକରଣ ଲଗାଯାଇଛି । କିନ୍ତୁ ବିଭିନ୍ନ ବିଭାଗରେ ଡାକ୍ତର ନଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି । ଏହାରି ଭିତରେ କିଛି ବିଭାଗ ରେମୁଣା ସ୍ଥିତ ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଛି । ମୁଖ୍ୟ ଚିକିତ୍ସାଳୟରେ ସେହି ସୁବିଧା ଓ ଡାକ୍ତରମାନଙ୍କ ଅଭାବ ଯୋଗୁଁ ଚିକିତ୍ସାରେ ବାଧାପ୍ରାପ୍ତ ହେଉଛି । ଏହାକୁ ନେଇ ଅନେକ ଥର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।
ଏହା ବି ପଢନ୍ତୁ...ପାହାଡିଆ ରାସ୍ତାରେ ଚାଲି ଚାଲି ଗଲେ ଜିଲ୍ଲାପାଳ, ଶୁଣିଲେ ଆଦିବାସୀଙ୍କ ଦୁଃଖ ଏହା ବି ପଢନ୍ତୁ...ଭୀମସାରରେ ବିଦ୍ୟୁତ କାଟ୍, ମୋବାଇଲ ଲାଇଟରେ କେମୋ ନେଲେ ରୋଗୀ |
ଏସବୁ ସମସ୍ୟା ନେଇ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ସଭାପତି ନିରଞ୍ଜନ ପରିଡ଼ା କହିଛନ୍ତି, "ଆମର ମୁଖ୍ୟ ସମସ୍ୟା ହେଉଛି, ରେମୁଣାକୁ ତରବରିଆ ଭାବେ ଉଠାଇ ନେଲେ, ସେଠାରେ ଟେଷ୍ଟିଂ କିଛି ନେଲେନି । ସବୁ ବିଭାଗ ବି ନେଲେନି, ତେଣୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରାଇଭେଟ ହସ୍ପିଟାଲ ଯିବାକୁ ରୋଗୀମାନେ ବାଧ୍ୟ ହେଉଛନ୍ତି । ଏମ୍ସ ଖୋଲା ହେଲା ହେଲେ ଏ ସପ୍ତାହରେ ଯିଏ ଡାକ୍ତର ଆର ସପ୍ତାହକୁ ସେ ଡାକ୍ତର ଆସୁନାହାନ୍ତି । ପରୀକ୍ଷା ହେଉନି, ଔଷଧ ନାହିଁ କିଛି ବ୍ୟବସ୍ଥା ନାହିଁ । ପ୍ରତିଶ୍ରୁତି ଦିଆଯାଇଥିଲା ହେଲେ କାର୍ଡିଓ ମେସିନ ଆସିଲା ନାହିଁ । ବର୍ତ୍ତମାନ ବାଲେଶ୍ୱରରେ ଅଧିକ ଲୋକ ହାର୍ଟ ଆଟାକରେ ମୃତ୍ୟୁବରଣ କରୁଛନ୍ତି । ମେଡିକାଲ କଲେଜ ନିକଟରେ କୌଣସି ପ୍ରକାର ଔଷଧୀୟ ବୃକ୍ଷର ଉଦ୍ୟାନ କରାଯାଉନାହିଁ । ଏଠାରେ ବହୁତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି, କାରଣ ଯେହେତୁ ନ୍ୟୁରୋ ଡାକ୍ତର କେହି ନାହାନ୍ତି ଦୁର୍ଘଟଣାରେ ଶିକାର ରୋଗୀ ବାହାରକୁ ରେଫର ହେଉଛନ୍ତି ।"
କଣ କଣ ସମସ୍ୟା ରହିଛି ?
- ନାହାନ୍ତି ପର୍ଯ୍ୟାପ୍ତ ଡାକ୍ତର
- ମେଡିକାଲରେ ନାହାନ୍ତି ନ୍ୟୁରୋ ଡାକ୍ତର
- ବିଭିନ୍ନ ବିଭାଗ ଅଛି ଡାକ୍ତର ନାହାନ୍ତି
- 400 ପାଖାପାଖି ଡାକ୍ତର ପଦବୀ ଖାଲି
'ବଢୁଛି ରୋଗୀ ସଂଖ୍ୟ, ନାହାନ୍ତି ଷ୍ଟାଫ୍'
ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟରେ ଏମିତି ସମସ୍ୟା ନେଇ ସିଡିଏମଓ ଡାକ୍ତର ଗୋପୀନାଥ ପରିଡ଼ା କହିଛନ୍ତି ଯେ," ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମେଡିସିନ, ସ୍କିନ, ଟିବି ଚେଷ୍ଟ, ମେଡିକାଲ ଗ୍ରାଉଣ୍ଡରେ ରେମୁଣା ମେଡିକାଲ କଲେଜକୁ ଉଠିଯାଇଛି । ସର୍ଜରୀ, ENT, ଗାଇନାକଲୋଜି ଏବଂ ଶିଶୁ ବିଭାଗରେ ଅତ୍ୟଧିକ ଭିଡ଼ ହୁଏ, ଏତିକି ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଛି । ସମସ୍ୟା ହେଉଛି ଯେ, ମେଡିସିନ ବିଭାଗର ସମସ୍ତେ ରେମୁଣାକୁ ଚାଲିଗଲେ । ମେଡିକାଲ କଲେଜରେ ଷ୍ଟାଫ ବହୁତ ଅଧିକ, ଆମର ସେଠାକୁ ସବୁ ଚାଲିଗଲା ପରେ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁତ କମ ଷ୍ଟାଫ ଅଛନ୍ତି । କିନ୍ତୁ ରୋଗୀସଂଖ୍ୟା ବହୁ ସଂଖ୍ୟାରେ ବଢି ଚାଲିଛି । ମେଡିସିନ ବିଭାଗ ଆମର ଏଠାରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗ। ତେଣୁ ମୋର ଅନୁରୋଧ ରହୁଛି ସମସ୍ତଙ୍କୁ, ଜିଲ୍ଲାପାଳଙ୍କ ନିକଟରେ ମଧ୍ଯ ଏହା ଉପସ୍ଥାପନ କରିବି ଯେ, ଯଦି ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଯୋଗାଇ ପାରନ୍ତେ ତେବେ ଭଲ ହୁଅନ୍ତା । ମେଡିସିନ ବିଭାଗରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ଡାକ୍ତର ନାହାନ୍ତି । ସେଥିପାଇଁ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ । ଆମ ଜିଲ୍ଲାରେ 400 ପାଖାପାଖି ଡାକ୍ତର ପଦବୀ ଖାଲି ପଡ଼ିଛି, ସରକାର ଚେଷ୍ଟା କରୁଛନ୍ତି ଏହାରି ଭିତରେ ରାଜ୍ୟରେ 25ଶହ ଡାକ୍ତର ପଦବୀ ପୂରଣ କରିବେ। "
ରୋଗୀଙ୍କ ବାପାଙ୍କ ଅଭିଯୋଗ:
ସେହିପରି ବାଲେଶ୍ବର ପୌରପାଳିକାର 12ନଂ ୱାର୍ଡର ସୁଶାନ୍ତ ରଣା ନିଜ ପୁଅର ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟରୁ ରେମୁଣା ମେଡିକାଲ କଲେଜ ଓ ପରେ ପୁଣି ମେଡିକାଲ କଲେଜରୁ ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି । ହେଲେ କାହାରି କଥାରେ ତାଳମେଳ ନଥିବାରୁ ଶେଷରେ ପୁଅର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ କରାଇଥିବା କହିଛନ୍ତି ।
ସୁଶାନ୍ତ କହିଛନ୍ତି, "ଗତ 18 ତାରିଖ ମଙ୍ଗଳବାର ଦିନ ହଠାତ ସ୍କୁଲରୁ ଫୋନ ଆସିଲା ଯେ ମୋ ପୁଅର ଛାତି ଯନ୍ତ୍ରଣା ହେଉଛି। ତା ପରେ ମୁଁ ସ୍କୁଲରୁ ତାକୁ ଆଣି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନେଇଥିଲି । ସେଠାରେ ପିଲାର କୌଣସି ଚିକିତ୍ସା ନକରି ତାକୁ ରେମୁଣା ମେଡିକାଲ କଲେଜକୁ ରେଫର କରିଦେଲେ । କେହି ଶିଶୁ ବିଶେଷଜ୍ଞ ନଥିବାରୁ ରେମୁଣା ସ୍ଥିତେ ମେଡିକାଲ କଲେଜ ଯାଅ କହିଥିଲେ । ସଙ୍ଗେସଙ୍ଗେ ମୁଁ ପିଲାକୁ ପୁଣି ରେମୁଣା ନେଲି। ସେଠାରେ ଟିକେଟ ନେଇ ସାରିବା ପରେ ମୁଁ ପାଖାପାଖି ଘଣ୍ଟାଏ ଅପେକ୍ଷା କଲି । ଡାକ୍ତର ଆସିବା ପରେ କହିଲେ ଯେ ଆମ ଆମେ 14 ବର୍ଷରୁ କମ୍ ପିଲାଙ୍କୁ ଏଠାରେ ଦେଖିପାରିବୁ ନାହିଁ । ତେଣୁ ଆପଣଙ୍କ ପିଲାର ଚିକିତ୍ସା ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ହିଁ ହେବ ।"
ଦୁଇଟି ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ରୋଗୀ ଓ ଆଟେଣ୍ଡାଣ୍ଟ:
"ଏହାରି ଭିତରେ ପାଖାପାଖି 3 ଘଣ୍ଟା ବିତି ଯାଇଥିଲା, ପିଲା କୌଣସି ଚିକିତ୍ସା ପାଇ ନଥିଲା । ମୁଁ ପୁଣି ପୁଅକୁ ନେଇ ମୁଖ୍ୟ ଚିକିତ୍ସାଳୟକୁ ପଳାଇ ଆସିଲି । ମୁଖ୍ୟ ଚିକିତ୍ସାଳୟ ଆସିବା ପରେ ପୁଣି ଯିଏ ଡାକ୍ତର ଦେଖିଥିଲେ ସେ ହୁଏତ ପଳାଇ ଗଲେଣି, ଆଉ ଜଣେ ମାଡାମ ବସିଥିଲେ । ମୁଁ ତାଙ୍କୁ ଦେଖାଇଲି, ସେ ପାଲଟା ପ୍ରଶ୍ନ କଲେ ଯେ ଆପଣଙ୍କୁ ତରେମୁଣା ମେଡିକାଲ କଲେଜ ପଠା ହୋଇଥିଲା ପୁଣି କାହିଁକି ଆସିଛନ୍ତି । ଆପଣ ସିଡିଏମଓଙ୍କୁ ପଚାରନ୍ତୁ, ଆଉ ଯିଏ ଲେଖିଥିଲେ ତାଙ୍କୁ ପଚାରନ୍ତୁ ବୋଲି କହିଥିଲେ । ମୁଁ ତା ପରେ ସିଡିଏମଓ ଅଫିସକୁ ବି ଗଲି, ସିଡିଏମଓ ନଥିଲେ । ବାଧ୍ୟ ହୋଇ ପୁଅକୁ ନେଇ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଲି । ମୁଁ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ, ଜଣେ ରୋଗୀ କେଉଁଠୁ ଚିକିତ୍ସା ସୁବିଧା ପାଇବ ? ରେମୁଣା ମେଡିକାଲ କଲେଜ ନା ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ କିଛି ସୁବିଧା ଅଛି" ବୋଲି ପ୍ରଶ୍ନ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ରୋଗୀଙ୍କ ବାପା ସୁଶାନ୍ତ ରଣା ।
ଇଟିଭି ଭାରତ, ବାଲେଶ୍ବର