ହାଇଦ୍ରାବାଦ: କ୍ରିକେଟ ଖେଳ, ଭାରତରେ କେବଳ ଏକ ଖେଳ ନୁହେଁ କ୍ରିକେଟକୁ ଏକ ଧର୍ମ ପରିଗଣିତ କରାଯାଏ । ଖାଲିସେତିକି ନୁହେଁ, କ୍ରିକେଟ ଖେଳ ସମଗ୍ର ଦେଶରେ ଏକ ଆବେଗ, ଭାବ ପ୍ରବଣତା । କ୍ରିକେଟ ମ୍ୟାଚ ଚାଲିଲେ ଆଉ ଟିମ୍ ଇଣ୍ଡିଆର ମ୍ୟାଚ ଦିନ, ଆସିଲେ ଭରିଯାଏ ସଭିଙ୍କ ମନରେ ଉତ୍ସାହ ଏବଂ ଉଦ୍ଦିପନା । କର୍ମ କ୍ଷତ୍ରରେ ହେଉ କିମ୍ବା ରାସ୍ତାକଡ ଦୋକାନରେ କ୍ରିକେଟ ଆଉ କ୍ରିକେଟ ଆଲୋଚନା ହୋଇଥାଏ । ଆଉ ପୁଣି ଭାରତ ବନାମ ପାକିସ୍ତାନ ମ୍ୟାଚ ଆରମ୍ଭ ହୋଇଗଲେ ଯେପରି ଠପ ହୋଇଯାଏ ପୁରା ଦେଶ । ନିଜ ନିଜ କାମ ଛାଡି ସଭିଏଁ କ୍ରିକେଟ ମ୍ୟାଚ ଦେଖିବାକୁ ଉଦ୍ୟମ କରିଥାନ୍ତି । ଆଉ ସେପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗତକାଲି । ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ପାକିସ୍ତାନ ଏବଂ ଦୁବାଇରେ ଖେଳାଯାଉଛି । ମେଗା ଆଇସିସି ଟୁର୍ଣ୍ଣାମେଣ୍ଟରେ 5ଟି ଗ୍ରୁପ ମ୍ୟାଚ ଖେଳାସରିଥିବା ବେଳେ ଭାରତ ଖେଳିସାରିଛି ଦୁଇଟି ଲିଗ୍ ମ୍ୟାଚ । ଗୋଟିଏ ମ୍ୟାଚରେ ବାଂଲାଦେଶକୁ ହରାଇଥିବା ବେଳେ ଆଉ ଗୋଟିଏ ମ୍ୟାଚରେ ଗତକାଲି ଚରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି ଟିମ୍ ଇଣ୍ଡିଆ ।
ଆଉ ଏହି ହାଇଭୋଲଟେଜ୍ ମ୍ୟାଚର ଫିଭର ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା । ତେବେ ଆଇସିସି ଇଭେଣ୍ଟର ବହୁ ପ୍ରତୀକ୍ଷିତ ମ୍ୟାଚର ଫିଭର ମଧ୍ୟ ଦେଖିବାକୁ ମିଳିଥିଲା ବିବାହ ଉତ୍ସବରେ । ତେଲେଙ୍ଗାନା ଆଦିଲାବାଦର ଏକ ବିବାହ ସମାରୋହରେ ଦେଖିବାକୁ ମିଳିଥିଲା କ୍ରିକେଟ ପାଗଳାମୀ । ଭାରତ ଏବଂ ପାକିସ୍ତାନ ମ୍ୟାଚ ଲାଇଭ୍ ଚାଲିଲା ଓ୍ବେଡିଂ ସ୍କ୍ରିନରେ । ବିବାହ ଫଟୋ ଏବଂ ଭିଡିଓ ଦେଖିବା ବଦଳରେ ମ୍ୟାଚ ସେଲିବ୍ରେସନ୍ କରିଥିଲେ ଅତିଥି ।
ସ୍ଥାନୀୟ ଆଦିଲାବାଦ ଜିଲ୍ଲାର ଡିଷ୍ଟ୍ରିକ୍ଟ ସେଣ୍ଟର ଫଙ୍କସନ୍ ହଲରେ ହୋଇଥିଲା ବିବାହ ଉତ୍ସବ ସେଲିବ୍ରେସନ । ସ୍ଥାନୀୟ ଭାମପୁର୍ ମଣ୍ଡଳ, ନିପାନୀ ଗ୍ରାମର ମନି ଶର୍ମାଙ୍କୁ ଏବଂ ମାଙ୍ଗୋଡୁଗୁ ଗ୍ରାମର ସାଇ ପ୍ରିୟା ରବିବାର ବିବାହ କରିଥିଲେ । ତେବେ ଗତକାଲି ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିଲା ହାଇଭୋଲଟେଜ ମ୍ୟାଚ । ଆଉ ଏହି ମ୍ୟାଚର କ୍ରେଜକୁ ବୁଝିପାରିଥିଲେ ବର । ଭାରତ -ପାକିସ୍ତାନ ମ୍ୟାଚକୁ ଅତିଥି ଯେପରି ଲାଇଭ୍ ଦେଖିପାରିବେ ସେ ନେଇ ବର ମନି ଶର୍ମା ଓ୍ବେଡିଂ ସ୍କ୍ରିନରେ ମ୍ୟାଚ ଲଗାଇଥିଲେ । ଏବଂ ସମସ୍ତ ଅତିଥି ଏହି ମ୍ୟାଚ ଦେଖିଥିଲେ ।
ବିବାହ ଭେନ୍ୟୁରେ ଏଲଇଡି ସ୍କ୍ରିନ ଲାଗିଥିଲା ଏହି ସୁପରହିଟ୍ ମୁକାବିଲା ଦେଖିବାକୁ । ଆଉ ଭାରତ-ପାକିସ୍ତାନ ଜବରଦସ୍ତ ଲଢେଇ ଦେଖିଥିଲେ ସମସ୍ତ ଅତିଥି । ତେବେ ବିବାହ କାର୍ଯ୍ୟ ଏବଂ ମ୍ୟାଚ ଦେଖା ଏକାସାଙ୍ଗରେ ହୋଇଥିଲା । ବିବାହ ଉତ୍ସବରେ ବର ଏବଂ କନ୍ୟାଙ୍କୁ ଅଶୀର୍ବାଦ ପ୍ରଦାନ କରିବା ସହିତ ଅତିଥିମାନେ ମ୍ୟାଚର ମଜା ଉଠାଇଥିଲେ । ଆଉ ପ୍ରଥା ପରମ୍ପରା ସହିତ ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ବେଳେ କ୍ରୀଡା ଏବଂ ପରମ୍ପରାର ମଧ୍ୟ ସଙ୍ଗମ ହୋଇଥିଲା ।