ହାଇଦ୍ରାବାଦ: ଅନ୍ଧକାର ରାତିରେ ଆକାଶରେ ଚମକୁଥିବା ତାରାପୁଞ୍ଜ ପୃଥିବୀବାସୀଙ୍କୁ ବେଶ ଆକୃଷ୍ଟ କରେ । କେଉଁଠି ବଡ଼ ତାରା ଦିଶେ ତ ଆଉ କେଉଁଠି ଛୋଟ ତାରା ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ଆପଣ କେବେ ଭାବିଛନ୍ତି କି ଏହି ତାରାର ସୃଷ୍ଟି କିପରି ଓ ଏହାର ଜୀବନଚକ୍ର କିପରି ହୋଇଥାଏ । ଦ ଆଷ୍ଟ୍ରୋଫିଜିକାଲ ପତ୍ରିକାରେ ପ୍ରକାଶିତ ହୋଇଥିବା ଏକ ପେପର୍ରେ ଓସାକା ମେଟ୍ରୋପଲିଟାନ ୟୁନିଭର୍ସିଟି ଓ କ୍ୟୁସୁ ୟୁନିଭର୍ସିଟିର ଗବେଷକମାନେ ତାରାକୁ ନେଇ ଅନେକ ଖୁଲାସା କରିଛନ୍ତି । ଷ୍ଟିଲାର ନର୍ସରୀରେ (ମହାକାଶରେ ତାରା ସୃଷ୍ଟି ହେଉଥିବା କ୍ଷେତ୍ର) କିଛି ତାରା ଗ୍ୟାସ୍ ଓ ଧୂଳିର ବଡ଼ ବାଦଲ (fluffy molecular clouds)ରୁ ସୃଷ୍ଟି ହୋଇପାରନ୍ତି ।
Fluffy ବାଦଲରୁ ସୃଷ୍ଟି ହୁଅନ୍ତି ତାରା
ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ବ୍ରହ୍ମାଣ୍ଡର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ତାରା 'ଫ୍ଲଫି' ମଲିକୁଲାର୍ କ୍ଲାଉଡ୍ ବା ଗ୍ୟାସ୍ ଓ ଧୂଳିର ବାଦଲରୁ ସୃଷ୍ଟି ହୋଇଥାଇ ପାରନ୍ତି । ଗବେଷକମାନେ ଛୋଟ ମ୍ୟାଗେଲାନିକ୍ କ୍ଲାଉଡ୍ (ଦକ୍ଷିଣ ଗୋଲାର୍ଦ୍ଧ ଆକାଶରେ ଦୃଶ୍ୟମାନ ଛୋଟ ଗାଲାକ୍ସି)ର ପର୍ଯ୍ୟବେକ୍ଷଣରୁ ଏ ସମ୍ପର୍କରେ ଜାଣିବାକୁ ପାଇଛନ୍ତି, ଯାହାକି ବ୍ରହ୍ମାଣ୍ଡର ଇତିହାସରେ ତାରା ଗଠନ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବ ।

ଷ୍ଟିଲାର ନର୍ସରୀଜ୍ କଣ ଓ ତାରାମାନଙ୍କ ସୃଷ୍ଟି
ମହାକାଶରେ ତାରା ସୃଷ୍ଟି ହେଉଥିବା କ୍ଷେତ୍ରକୁ ଷ୍ଟିଲାର ନର୍ସରୀ (Stellar nurseries) ବୋଲି କୁହାଯାଏ, ଯେଉଁଠାରେ ଗ୍ୟାସ୍ ଓ ଧୂଳିର ବଡ଼ ବଡ଼ ବାଦଲ ରହିଥାନ୍ତି । ଏହି କ୍ଷେତ୍ରଟି ମଲିକୁଲାର୍ ହାଇଡ୍ରୋଜେନ୍ (ଉଦଜାନ)ରେ ଭରପୂର ହୋଇଥାଏ, ଯାହାକି ବିଶେଷ ଭାବରେ ଆକାଶଗଙ୍ଗା (Milky Way) ପରି ଗାଲାକ୍ସିରେ ଦେଖିବାକୁ ମିଳନ୍ତି । ଏହି କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ଗ୍ୟାସ୍ ଓ ଧୂଳିକୁ ପରସ୍ପର ଆଡ଼କୁ ଆକର୍ଷିତ କରେ । ଯାହାଦ୍ବାରା ପରସ୍ପର ସହ ଧକ୍କା ଦେଇ ବିସ୍ଫୋରଣ ହୋଇଥାଏ ଏବଂ ଘନ କୋର୍ ସୃଷ୍ଟି ହୁଏ । ସମୟ ସହିତ ଏହି କୋର୍ଗୁଡ଼ିକ ପରମାଣୁ ଫ୍ୟୁଜନ୍ ସୃଷ୍ଟି କରିବା ପାଇଁ ଯଥେଷ୍ଟ ଗରମ ଏବଂ ଘନ ହୋଇଯାଏ, ଯାହା ନୂତନ ତାରାଗୁଡ଼ିକୁ ଜନ୍ମ ଦେଇଥାଏ । ଷ୍ଟିଲାର ନର୍ସରୀର ଏକ ବଡ଼ ଉଦାହରଣ ହେଉଛି Orion Nebula, ଯାହାକି ପୃଥିବୀର ସବୁଠୁ ନିକଟତମ ତାରା ସୃଷ୍ଟି କ୍ଷେତ୍ର ଯାହାକୁ ଖାଲି ଆଖିରେ ମଧ୍ୟ ଦେଖିହେବ ।
ଆମ ସୌର ମଣ୍ଡଳ ସୃଷ୍ଟିକୁ ନେଇ କଣ କୁହନ୍ତି ଗବେଷକ ?
ଆମ ଗାଲାକ୍ସି ଆକାଶଗଙ୍ଗାରେ, ତାରକା ଗଠନ କରୁଥିବା କ୍ଲାଉଡ୍ର ଆକାର 'ଫିଲାମେଣ୍ଟାରୀ' ପରି ଯାହାକି ପ୍ରାୟ 0.3 ଆଲୋକ ବର୍ଷ ଚଉଡା । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଆମର ସୌର ମଣ୍ଡଳ ମଧ୍ୟ ସମାନ ଢଙ୍ଗରେ ସୃଷ୍ଟି ହୋଇଥିଲା । ପ୍ରକ୍ରିୟା ଏହିପରି କିଛି ଥାଇପାରେ ଯେତେବେଳେ ଏକ ବଡ଼ ଫିଲାମେଣ୍ଟାରୀ ଗ୍ୟାସ୍ ଏବଂ ଧୂଳିର ବାଦଲ ଅଲଗା ହୋଇ ଛୋଟ ଅଣ୍ଡା କିମ୍ବା 'ମଲିକୁଲାର କ୍ଲାଉଡ୍ କୋର୍' ସୃଷ୍ଟି କରନ୍ତି । ହଜାରେ ବର୍ଷ ଧରି ମାଧ୍ୟାକର୍ଷଣ ଶକ୍ତି ଗ୍ୟାସ୍ ଏବଂ ଅନ୍ୟାନ୍ୟ ପଦାର୍ଥକୁ ଏହି କୋର୍ରେ ଆକର୍ଷିତ କରି ତାରା ଗଠନ କରେ । ଏହିପରି ଭାବରେ ଆମର ସୂର୍ଯ୍ୟ ଏବଂ ଅନ୍ୟ ଗ୍ରହମାନଙ୍କର ଜନ୍ମ ହୋଇଥାଇପାରନ୍ତି ବୋଲି ଗବେଷକମାନେ କହିଛନ୍ତି ।

ଏମିତି ଗବେଷଣା କରିଥିଲେ ଗବେଷକ
ଗବେଷକ ଟିମ୍ ପୃଥିବୀଠାରୁ ପ୍ରାୟ 20,000 ଆଲୋକ ବର୍ଷ ଦୂର ବା Milky Way ନିକଟରେ ଥିବା ଏକ ଛୋଟ ମ୍ୟାଗେଲାନିକ୍ କ୍ଲାଉଡ୍ (SMC) ଉପରେ ଗବେଷଣା କରି ଏହି ତଥ୍ୟ ରଖିଛନ୍ତି । SMC ମିଲ୍କି ୱେର ଭାରି ଉପାଦାନଗୁଡିକର ପ୍ରାୟ ଏକ-ପଞ୍ଚମାଂଶ ଧାରଣ କରିଥାଏ, ଯାହା ପ୍ରାୟ 10 ବିଲିୟନ ବର୍ଷ ପୂର୍ବେ ପ୍ରାଥମିକ ବ୍ରହ୍ମାଣ୍ଡର ପରିବେଶ ସହିତ ଅତି ନିକଟତର ହୋଇଥିଲା । ଅବଶ୍ୟ SMCରେ ଥିବା ମଲିକୁଲାର କ୍ଲାଉଡ୍ ଉପରେ ନଜର ରଖିବା ପାଇଁ ସ୍ପାସିଆଲ୍ ରିଜୋଲ୍ୟୁସନ୍ ପ୍ରାୟତଃ ପର୍ଯ୍ୟାପ୍ତ ନଥିଲା ଏବଂ ସମାନ ଫିଲାମେଣ୍ଟାରୀ ପରି କିଛି ଜିନିଷ ଦେଖାଯିବ କି ନାହିଁ ତାହା ଅସ୍ପଷ୍ଟ ଥିଲା ।
କିନ୍ତୁ ସୌଭାଗ୍ୟବଶତଃ, ଦକ୍ଷିଣ ଆମେରିକୀୟ ଦେଶ ଚିଲି (Chile)ରେ ଥିବା ALMA ରେଡିଓ ଟେଲିସ୍କୋପ ଛୋଟ ମ୍ୟାଗେଲାନିକ୍ କ୍ଲାଉଡ୍ (SMC)ର ସ୍ପଷ୍ଟ ଫଟୋ ଉତ୍ତୋଳନରେ ସକ୍ଷମ ଥିଲା । ଏହାସହିତ ଫିଲାମେଣ୍ଟାରୀ ମଲିକୁଲାର୍ କ୍ଲାଉଡର ଉପସ୍ଥିତି ଓ ଅନୁପସ୍ଥିତିକୁ ମଧ୍ୟ ଚିହ୍ନଟ କରିବାର କ୍ଷମତା ରଖିଥିଲା ।
କ୍ୟୁଶୁ ବିଶ୍ବବିଦ୍ୟାଳୟର ବିଜ୍ଞାନ ବିଭାଗର ପୋଷ୍ଟଡକ୍ଟରାଲ୍ ତଥା ଅଧ୍ୟୟନର ଲେଖକ କାଜୁକି ଟୋକୁଡା କହିଛନ୍ତି, "ମୋଟ ଉପରେ ଆମେ 17ଟି ମଲିକୁଲାର କ୍ଲାଉଡ୍ରୁ ତଥ୍ୟ ସଂଗ୍ରହ କରି ବିଶ୍ଳେଷଣ କରିଥିଲୁ । ପ୍ରତ୍ୟେକ ମଲିକୁଲାର କ୍ଲାଉଡ୍ ସୂର୍ଯ୍ୟଙ୍କଠାରୁ 20ଗୁଣ ଅଧିକ ଛୋଟ ତାରକା (Baby Stars)କୁ ଜନ୍ମ ଦେଇଛନ୍ତି । ଆମେ ଦେଖିଲୁ ଯେ ପ୍ରାୟ 60% ମଲିକୁଲାର କ୍ଲାଉଡ୍ରେ ପ୍ରାୟ 0.3 ଆଲୋକ ବର୍ଷର ପ୍ରସ୍ଥ ସହିତ ଏକ ଫିଲାମେଣ୍ଟାରୀ ଆକାରର ଜିନିଷ ଅଛି, କିନ୍ତୁ ଅବଶିଷ୍ଟ 40% ଏକ 'ଫ୍ଲଫି' ଆକୃତି ଅଛି ।"
ଫ୍ଲପି ମଲିକୁଲାର କ୍ଲାଉଡ୍ କଣ ବୋଲି ବ୍ୟାଖ୍ୟା କରି ଓସାକା ମେଟ୍ରୋପଲିଟାନ୍ ୟୁନିଭର୍ସିଟିର ସ୍ନାତକୋତ୍ତର ବିଜ୍ଞାନ ଛାତ୍ର ୟୁରି କୁନିତୋସି କହିଛନ୍ତି, "ଫ୍ଲପି ମଲିକୁଲାର୍ କ୍ଲାଉଡ୍, ଫିଲାମେଣ୍ଟାରୀ ମଲିକୁଲାର୍ କ୍ଲାଉଡ୍ଠାରୁ ଅଲଗା ହୋଇଥାଏ, ଯାହାକି ଆମ ଗାଲାକ୍ସି ଆକାଶଗଙ୍ଗା ସହିତ ଅନ୍ୟ ଗାଲାକ୍ସିରେ ମଧ୍ୟ ରହିଛନ୍ତି । ଗତ 10 ବିଲିୟନ ବର୍ଷ ପୂର୍ବେ ପ୍ରାଚୀନ ବ୍ରହ୍ମାଣ୍ଡରେ ତାରା ଗଠନ ପ୍ରକ୍ରିୟାକୁ ଆହୁରି ସ୍ପଷ୍ଟ ଭାବେ ଜାଣିବା ଲାଗି ଅନେକ ଗାଲାକ୍ସି ଉପରେ ଆମେ ଗବେଷଣା ଜାରି ରଖିବୁ ।"