ଭୁବନେଶ୍ବର: ରକ୍ତଦାନ ମହତ ଦାନ । ଟୋପାଏ ରକ୍ତ ବିନ୍ଦୁ ବଞ୍ଚାଇପାରେ ଜଣଙ୍କ ଜୀବନ । ଗୋଟିଏ ପରିବାରରେ ହସର କାରଣ ବୁନ୍ଦାଏ ରକ୍ତ ହୋଇଥାଏ । ହେଲେ ଖରା ଦିନ ଆସିଲେ ସାଧାରଣ ଭାବରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳେ । ସାଧାରଣ ଲୋକଙ୍କ ରକ୍ତ ତ ଦୂରର କଥା ବିଶେଷ ଭାବରେ ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀଙ୍କର ରକ୍ତ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । ରକ୍ତ ନେବାର ମାସଟେ ପୂରିଗଲେ ପୁଣି ଲୋଡା ପଡେ ରକ୍ତ । ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏବେଠାରୁ ରକ୍ତ ସଂଗ୍ରହ ସହିତ କିଭଳି ଭାବରେ ଅଧିକରୁ ଅଧିକ ମାତ୍ରାରେ ସ୍ଵଚ୍ଛାସେବୀମାନେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେନେଇ ସଚେତନ କରାଯାଉଛି ।
ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତ ହେବ କ୍ଯାଲେଣ୍ଡର:
ରକ୍ତ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଳାନ । ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର କହିଛନ୍ତି, "ପ୍ରତି ଆୟୁଷ୍ମାନ ଆରୋଗ୍ଯ ମନ୍ଦିରରେ ମିଳିତ ଭାବରେ ପ୍ରତି ପିଏଚସି ସ୍ତରରେ ବର୍ଷକୁ ଦୁଇଟି କ୍ୟାମ୍ପ କରାଯିବ । ପ୍ରତି ଜିଲ୍ଲାରେ ଥିବା ବ୍ଲଡ ବ୍ଯାଙ୍କ ଏହି ପ୍ରୋଗ୍ରାମ କରିବେ। ପ୍ରତି ମାସ ପାଇଁ ଗୋଟିଏ କ୍ଯାଲେଣ୍ଡର ତିଆରି କରିବେ । କେଉଁ ସ୍ଥାନରେ କେଉଁ ସମୟରେ କ୍ୟାମ୍ପ କରାଯିବ ସେନେଇ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଯେଭଳି ଭାବରେ ସରକାରୀ ଅଫିସରେ, ପୋଷ୍ଟାଲରେ, କଲେଜମାନଙ୍କରେ ଏବଂ ଘରୋଇ ସଂସ୍ଥାମାନଙ୍କରେ ରକ୍ତ ସଂଗ୍ରହ ପାଇଁ ସଚେତନତା କରାଯିବ । ପ୍ରତି କ୍ୟାମ୍ପ ପାଇଁ ଅର୍ଥ ପାଇଁ ବ୍ୟବସ୍ଥା କରାଯାଉଛି । ଯଥା ୨୫୦୦ ଟଙ୍କା ମଞ୍ଜୁର କରାଯାଇଛି ।"

କାହିଁକି ଖରା ଦିନରେ କମୁଛି ରକ୍ତ ସଂଗ୍ରହ:
"ବିଶେଷ ଭାବରେ ଖରା ଦିନରେ ଅନେକ ଲୋକମାନେ କାମ କରିଥାନ୍ତି । ଆଉ ଥକି ପଡିଥାନ୍ତି । ଏହା ସହିତ ଅନେକ ସମସ୍ୟା ରହିଛି ଯାହା ଫଳରେ ରକ୍ତ ସଂଗ୍ରହ କମିଯାଉଛି । ଲୋକମାନେ ଖରା ଦିନରେ ଇଚ୍ଛା ପ୍ରକାଶ କରିନଥାନ୍ତି । ଯାହା ଫଳରେ ରାଜ୍ୟରେ ଅନେକ ରକ୍ତ ଭଣ୍ଡାରରେ ରକ୍ତ କମିବା ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।
- ଖରା ଦିନରେ ଥକି ପଡନ୍ତି ଲୋକେ
- ଇଚ୍ଛା ନଦେଖାଇବା
ରାଜ୍ୟରେ ରକ୍ତ ଭଣ୍ଡାରର ସ୍ଥିତି:
"ରାଜ୍ୟରେ ପ୍ରତି ବର୍ଷ ୬ ଲକ୍ଷ ୟୁନିଟ୍ ପାଖାପାଖି ରକ୍ତ ସଂଗ୍ରହ କରାଯାଉଛି । ଏହାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଅର୍ଥାତ୍ ୬.୫ - ୭ ଲକ୍ଷ କରିବା ପାଇଁ ଯୋଜନା କରାଯାଇଛି । ଅନ୍ୟପଟେ ରାଜ୍ୟରେ ସଂଗ୍ରହ କରାଯାଉଥିବା ମୋଟ ରକ୍ତ ମଧ୍ୟରୁ ବିଶେଷ ଭାବରେ ୦.୫ ପ୍ରତିଶତ ରକ୍ତ ନଷ୍ଟ ହେଉଛି । ଯେପରିକି HIV ଏବଂ ହେପାଟାଇଟସ ବି, ହେପାଟାଇଟସ ସି' ଭଳି ରୋଗ ଦେଖାଗଲେ ଏହାକୁ ନଷ୍ଟ କରାଯାଉଛି" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।

କେଉଁ ଜିଲ୍ଲାରେ ଅଧିକ ରକ୍ତ ଅଭାବ:
"କଟକ, ଭୁବନେଶ୍ଵର, ବାରିପଦା, ସମ୍ବଲପୁରରେ ଅଧିକ ମାତ୍ରାରେ ରକ୍ତର ଚାହିଦା ଅଧିକ ରହିଥାଏ । ଏପରିକି ସିକିଲ ସେଲ ପାଇଁ ମଧ୍ୟ ସମ୍ବଲପୁର, ଝାରସୁଗୁଡା, ଗଜପତି ଅନୁଗୋଳ ଆଦି ଜିଲ୍ଲା ଗୁଡିକରେ ମଧ୍ୟ ରକ୍ତର ଅଧିକ ଆବଶ୍ୟକତା ରହିଛି । ଏପରିକି ଏସିସବିରେ ବିଭିନ୍ନ ଅପରେସନ କରାଗଲାଣି । ଯାହା ଫଳରେ ରକ୍ତର ମଧ୍ୟ ବ୍ୟବହାର ବଢିଯାଉଛି । ଅନ୍ୟପଟେ ଦୁର୍ଘଟଣା ହେଉ କୌଣସି ଜରୁରୀକାଳିନ ସେବା ମାଧ୍ୟମରେ ମଧ୍ୟ ରକ୍ତର ବ୍ୟବହାର ବୃଦ୍ଧି ପାଉଛି । ଏହାସହ ବିଶେଷ ଭାବରେ ଆଦିବାସୀ ବହୁଳ ଅଞ୍ଚଳରେ ବିଶେଷ କରି ରକ୍ତ ଅଭାବ ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ।
- କଟକ
- ଭୁବନେଶ୍ଵର
- ବାରିପଦା
- ସମ୍ବଲପୁର

କେଉଁ ହସ୍ପିଟାଲରେ କେତେ ରକ୍ତ ରହିଛି, କେମିତି ଜାଣିବେ ?
ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ କହିଛନ୍ତି, "ଆମର ଦୁଇଟି ପୋର୍ଟାଲ ରହିଛି । ଗୋଟିଏ ହେଲା ରାଜ୍ୟ ସରକାରଙ୍କ ଇ- ବ୍ଲଡ଼ ବ୍ୟାଙ୍କ ଓ ଅନ୍ଯଟି ହେଉଛି କେନ୍ଦ୍ର ସରକାରଙ୍କ ଇ ରକ୍ତ କୋଷ ପୋର୍ଟାଲ । ଏହି ଦୁଇଟି ପ୍ଲାଟଫର୍ମ ମିଳିତ ଭାବରେ କାମ କରୁଛନ୍ତି । ସେଥିରୁ କେଉଁ ବ୍ଲଡ ବ୍ଯାଙ୍କରେ ବିଭିନ୍ନ ବ୍ଲଡ ଗ୍ରୁପର କେତେ ରକ୍ତ ରହିଛି ସମସ୍ତ ସୂଚନା ଦିଆଯାଇଛି ।"

କିଏ ରକ୍ତ ଦେଇପାରିବେ:
- ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ସହ ୬୦ ବର୍ଷରୁ କମ ହେବା ଆବଶ୍ୟକ।
- କୌଣସି ହାଇ ରିସ୍କ ରୋଗ ନଥିବ। ବିଶେଷ କରି ସେକ୍ସ ୱାର୍କର୍ସ, ବାରମ୍ବାର ଡ୍ରଗ୍ସ ନେଉଥିବା ଲୋକ, କ୍ୟାନ୍ସର ରୋଗୀ, ରକ୍ତ ଜନିତ ରୋଗ, ଡାଇବେଟିସ ଥିଲେ ରକ୍ତ ଦେଇପାରିବେ ନାହିଁ ।
- ରକ୍ତ ଦେବା ପୂର୍ବରୁ ରକ୍ତ ଦେବା ସ୍ଥାନରେ ସଂପୂର୍ଣ୍ଣ ତଥ୍ୟ ଦିଆଯାଇଥାଏ ।
- ରକ୍ତଦାନ କଲେ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ।
- ବଦଳ ନେବା ପାଇଁ ମଧ୍ୟ ଅର୍ଥ ଆବଶ୍ୟକ ନାହିଁ ।
ଘରୋଇ ହସ୍ପିଟାଲ ଗୁଡିକ କିଛି ଅର୍ଥ ନେଉଥିବାବେଳେ ସରକାର ଏହା ପ୍ରତି କିଛି ଅର୍ଥ କମ କରିବେ ବା ସଂପୂର୍ଣ୍ଣ ଭାବରେ ରକ୍ତ ମାଗଣାରେ ଦେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ କହିଛନ୍ତି ।
'ରକ୍ତଦାନ ପାଇଁ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ'
"ରକ୍ତଦାନ ପାଇଁ ଆଗେଇ ଆସନ୍ତୁ । ଯେତେବେଳେ ରକ୍ତ ଆବଶ୍ୟକ ପଡେ ସେତେବେଳେ ଦେବାକୁ ପଡିଥାଏ । ତେଣୁ ପ୍ରତି ଜିଲ୍ଲାପାଳଙ୍କୁ ଏନେଇ ସଚେତନତା କରାଯାଇଛି । ରକ୍ତ ବ୍ୟାଙ୍କ ସହିତ ପ୍ରତି ମାସରେ ଏକ ବୈଠକ କରାଯାଉଛି । ଜିଲ୍ଲା ପରିଷଦ ସହିତ ବୈଠକ କରାଯାଉଛି । ଲୋକଙ୍କୁ ସଚେତନତା କରିବାକୁ ପଡିବ । କୌଣସି ସମୟରେ ରକ୍ତ ଦାନ କଲେ ରକ୍ତଦାତାଙ୍କର ଦେହ ଖରାପ ହେବ ନାହିଁ କି କୌଣସି ସମସ୍ୟା ହେବ ନାହିଁ" ବୋଲି କହିଛନ୍ତି ରକ୍ତ ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।
ଖରା ଦିନରେ କ'ଣ ଚ୍ୟାଲେଞ୍ଜ:
ବିଶେଷ କରି ପ୍ରତିବର୍ଷ ଖରାଦିନ ଆସିଲେ ଅନେକ ସ୍ଥାନରେ ରକ୍ତର ଅଭାବ ଦେଖାଯାଇଥାଏ । ଖରା ଦିନରେ ଲୋକମାନେ ରକ୍ତ ଦାନ କରିବାକୁ ଆସନ୍ତି ନାହିଁ । ରକ୍ତଦାନ କରୁଥିବା ବଡ ବର୍ଗ ସ୍କୁଲ ଓ କଲେଜ ପିଲାଙ୍କ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବନ୍ଦ ରହିଥାଏ । ସେଥିପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ଅଧିକ ରକ୍ତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଏ । ହେଲେ ସେହି ସମୟ ମଧ୍ୟରେ ରକ୍ତ ସଂଗ୍ରହରେ ବାଧା ଉପୁଜିଥାଏ । ଏପଟେ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାକୁ ଚେଷ୍ଟା କରାଯାଉଛି । ଖରାଦିନରେ ଲୋକମାନଙ୍କୁ ଅନୁରୋଧ କି ସ୍ବ ଇଚ୍ଛାରେ ହସ୍ପିଟାଲ ଆସି ରକ୍ତଦାନ କରନ୍ତୁ । ଯାହା ଫଳରେ ଖରା ଦିନରେ ରକ୍ତ ଅଭାବ ରହିବ ନାହିଁ । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ ।
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରକ୍ତ ସଂଗ୍ରହ ସାମାନ୍ୟ କମିଛି:
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରକ୍ତ ସଂଗ୍ରହ ସାମାନ୍ଯ କମିଛି । ବିଶେଷ ଭାବରେ ୬୦୦ ରୁ ୧୦୦୦ ରକ୍ତ ୟୁନିଟ କମିଥିବା କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।


ଗତ 12 ବର୍ଷର ତଥ୍ୟ:
ଗତ 12 ବର୍ଷ ମଧ୍ୟରେ କେଉଁ ବର୍ଷ କେତେ ରକ୍ତ ସଂଗ୍ରହ ହୋଇଥିଲା ଏବଂ କେଉଁ ସବୁ ମାଧ୍ୟମରେ ହୋଇଥିଲା ନଜର ପକାନ୍ତୁ ।
- ୨୦୧୨ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୦୮, ୭୯୩ ୟୁନିଟ୍ । ସେହିପରି ଭାବରେ ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୨୫,୦୨୫ ୟୁନିଟ୍ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୮୩, ୭୬୮ ୟୁନିଟ୍ । ତେବେ ମୋଟ କ୍ୟାମ୍ପ ୨୬୯୦ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୧,୩୨, ୬୮୦ ୟୁନିଟ ରକ୍ତ ।
- ୨୦୧୩ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩, ୦୪, ୭୭୧ ୟୁନିଟ୍ । ସେହିପରି ସ୍ଵଚ୍ଛାସେବୀଙ୍କ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୨୫,୦୨୫ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୦୦,୬୮୩ ୟୁନିଟ। ମୋଟ କ୍ୟାମ୍ପ ୨୭୫୬ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୧,୩୦,୦୬୨ ୟୁନିଟ ରକ୍ତ ।
- ୨୦୧୪ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୩୭,୩୦୯ ୟୁନିଟ । ସେହିପରି ଭାବରେ ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୩୩,୬୫୬ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୦୩,୬୫୩ ୟୁନିଟ । ତେବେ ମୋଟ କ୍ୟାମ୍ପ ୨୯୫୪ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୧,୪୪,୨୬୪ ୟୁନିଟ ରକ୍ତ।
- ୨୦୧୫ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୫୭,୭୦୭ ୟୁନିଟ୍ । ସେହିପରି ଭାବରେ ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୮୦,୮୮୪ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୭୬,୮୨୩ ୟୁନିଟ । ତେବେ ମୋଟ କ୍ୟାମ୍ପ ୨୮୨୩ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୧,୯୧,୬୩୧ ୟୁନିଟ ରକ୍ତ ।
- ସେହିପରି ୨୦୧୬ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୮୮,୫୪୫ ୟୁନିଟ । ସ୍ଵଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୯୦,୧୯୬ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୯୮,୩୪୯ ୟୁନିଟ । ତେବେ ମୋଟ କ୍ୟାମ୍ପ ୩୨୫୨ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨,୦୯,୪୩୮ ୟୁନିଟ ରକ୍ତ ।
- ୨୦୧୭ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୭୯,୫୪୮ ୟୁନିଟ୍ । ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୬୩,୮୨୦ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୧୫,୭୨୮ ୟୁନିଟ । ତେବେ ମୋଟ କ୍ୟାମ୍ପ ୩୨୦୪ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୧,୮୫,୯୫୫ ୟୁନିଟ ରକ୍ତ ।
- ୨୦୧୮ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪,୦୬,୨୬୯ ୟୁନିଟ । ସେହିପରି ଭାବରେ ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୮୨,୩୩୪ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୨୩,୯୩୫ ୟୁନିଟ । ତେବେ ମୋଟ କ୍ୟାମ୍ପ ୩୭୫୬ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨,୦୯,୪୮୨ ୟୁନିଟ ରକ୍ତ ।
- ୨୦୧୯ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪,୨୯,୮୨୩ ୟୁନିଟ । ସେହିପରି ଭାବରେ ସ୍ଵଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୯୪,୬୭୧ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୩୫,୧୫୨ ୟୁନିଟ । ତେବେ ମୋଟ କ୍ୟାମ୍ପ ୩୮୦୪ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨,୧୪,୧୮୮ ୟୁନିଟ ରକ୍ତ ।
- ୨୦୨୦ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩,୮୨,୧୨୨ ୟୁନିଟ । ସେହିପରି ଭାବରେ ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୨,୭୩,୭୦୦ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୦୮,୪୨୨ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୭୭୧ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨,୧୯,୦୪୮ ୟୁନିଟ ରକ୍ତ।
- ୨୦୨୧ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪,୩୦,୧୫୩ ୟୁନିଟ । ସେହିପରି ସ୍ଵେଚ୍ଛାସେବୀ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୩,୦୯,୪୦୬ ୟୁନିଟ । ଏକ୍ସଚେଞ୍ଜ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିଲା ୧,୨୦,୭୪୭ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୯୪୨ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨,୬୦,୫୮୧ ୟୁନିଟ ରକ୍ତ ।
- ୨୦୨୨ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୪,୯୮,୪୮୨ ୟୁନିଟ । ଏହାସହ ସ୍ଵଚ୍ଛାସେବୀ ମାଧ୍ୟମରେ ୩,୩୪,୮୬୧ ରକ୍ତ ସଂଗ୍ରହ କରାଯାଇଥିବାବେଳେ ରକ୍ତ ଦାନ କ୍ୟାମ୍ପ ହୋଇଥିଲା ୪୫୯୬ଟି । ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୨,୭୬,୧୪୭ ୟୁନିଟ ରକ୍ତ ।
- ୨୦୨୩ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫,୩୯,୩୮୮ ୟୁନିଟ । ଏହାସହ ସ୍ଵେଚ୍ଛାସେବୀ ମାଧ୍ୟମରେ ୩,୭୫,୮୫୧ ରକ୍ତ ସଂଗ୍ରହ କରାଯାଇଥିବାବେଳେ ରକ୍ତ ଦାନ କ୍ୟାମ୍ପ ହୋଇଥିଲା ୪୮୨୧ ଟି । ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୩୧୨୨୮୯ ୟୁନିଟ ରକ୍ତ।
ସ୍ଵେଚ୍ଛାସେବୀ ରାକେଶ କୁମାର ସାହୁ କହିଛନ୍ତି, "ରକ୍ତଦାନ ଏକ ମହତ୍ କାମ । କିନ୍ତୁ ସବୁବେଳେ ରକ୍ତ ଅଧିକ ପରିମାଣରେ ସଂଗ୍ରହ କରାଯାଉଥିବାବେଳେ ବିଶେଷ ଭାବରେ ଖରାଦିନରେ ରକ୍ତ ସଂଗ୍ରହ କମିଯାଇଥାଏ । ଯାହା ଫଳରେ ରକ୍ତଦାନ କ୍ୟାମ୍ପ କଲେ ମଧ୍ୟ ସେତେ ମାତ୍ରାରେ ରକ୍ତ ସଂଗ୍ରହ ହୋଇପାରେ ନାହିଁ । ଯାହା ଫଳରେ ରକ୍ତର ଅଭାବ ଦେଖାଯାଇଥାଏ । ସାଧାରଣ ଲୋକଙ୍କୁ ଅନୁରୋଧ ଯେ, ସେମାନେ ଇଚ୍ଛା ଅନୁସାରେ ଆସି ରକ୍ତ ଦାନ କରନ୍ତୁ । ଏହାଦ୍ୱାରା ଥାଲାସେମିଆ ପିଲାମାନେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି ।"
ରାଜ୍ୟରେ କେତେ ରକ୍ତ ଭଣ୍ଡାର ରହିଛି ?
ରାଜ୍ୟରେ ବର୍ତ୍ତମାନ ସୁଧା ୮୪ ଟି ରକ୍ତ ଭଣ୍ଡାର ରହିଥିବାବେଳେ ସରକାରୀ ରକ୍ତ ଭଣ୍ଡାର ୫୫, ବେସରକାରୀ ରକ୍ତ ଭଣ୍ଡାର ୧୦ ଟି ରହିଛି । ସେହିପରି ଭାବରେ ରେଡ କ୍ରସର ୪ ଟି ରକ୍ତ ଭଣ୍ଡାର ରହିଥିବାବେଳେ ପିଏସୟୁରେ ୧୫ ଟି ରକ୍ତ ଭଣ୍ଡାର ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସଙ୍କ ରିପୋର୍ଟ, ଇଟିଭି ଭାରତ