ଭୁବନେଶ୍ବର: କଥାରେ ଅଛି ଫଟୋ କଥା କୁହେ । କିଛି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆମେ ଫଟୋ ଉଠାଇଥାଉ । ଭବିଷ୍ୟତରେ ଚେହେରାରେ ଟିକିଏ ଖୁସି ଆଣିଦେବା ପାଇଁ ଏହି ଫଟୋ ହିଁ ସାହାଯ୍ୟ କରେ । ଏକ ସୁନ୍ଦର ଫଟୋ କେବଳ ଜଣେ ଭଲ ଫଟୋଗ୍ରାଫରଙ୍କ ପ୍ରତିବିମ୍ବ କହିଲେ ଭୁଲ ହେବ ନାହିଁ । ସେମିତି ଜଣେ ଫଟୋଗ୍ରାଫର ହେଉଛନ୍ତି ରାକେଶ ରାଉଳ । ମହାକୁମ୍ଭର ପ୍ରତିଟି ଛବିକୁ ନିଜ କ୍ୟାମେରା ଲେନ୍ସରେ କଏଦ କରଛନ୍ତି ରାକେଶ । ବିଶ୍ବର ବଡ ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇ ଏବେ ସେ ରାଜ୍ୟବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ମହାକୁମ୍ଭର ଅଭୁଲା ସ୍ମୃତି । ଆଜ୍ଞା ହଁ ତାଙ୍କ ଲେନ୍ସ ମାଧ୍ୟରେ ମହାକୁମ୍ଭର ଅପୂର୍ବ ଚିତ୍ର ଦେଖିବେ ରାଜ୍ୟବାସୀ ।

- ଜୟଦେବ ଭବନରେ ମହାକୁମ୍ଭ ଝଲକ
ୱାଇଲ୍ଡ ଲାଇଫ ଓ ଜ୍ୟୋତିଷ ଫଟୋଗ୍ରାଫୀରେ ସଫଳତା ହାସଲ କରିଥିବା ରାକେଶ ମହାକୁମ୍ଭ ମେଳାର ଦୁଇ ଦିନ ପୂର୍ବରୁ ପ୍ରୟାଗରାଜରେ ପହଞ୍ଚି ଯାଇଥିଲେ । ଏତେ ଭିଡ ମଧ୍ୟରେ ମନପସନ୍ଦର ସ୍ମୃତିକୁ ଏକାଠି କରଥିଲେ ରାକେଶ । ମକର ସଂକ୍ରାନ୍ତିରେ ସାହି ସ୍ନାନ ଅନୁଭୂତିକୁ କ୍ୟାମେରାରେ କଏଦ କରିଥିଲେ ରାକେଶ । ଆଉ ଯେଉଁମାନେ ଏବେ ମହାକୁମ୍ଭର ଅକୁହା ଚିତ୍ର ଦେଖିବାକୁ ଚାହୁଁଛନ୍ତି ସେମାନେ ଜୟଦେବ ଭବନରେ ଆୟୋଜିତ ରାକେଶଙ୍କ ଫଟୋ ପ୍ରଦର୍ଶନୀରେ ଦେଖିପାରବେ । ପାଉଁଶ ଲଗାଇଥିବା ନାଗାସାଧୁ, ବିଦେଶୀଙ୍କ ସ୍ନାନ ହଳଦୀ ରଙ୍ଗର ତିଲକ, ନାଗା ସାଧୁଙ୍କ ପୋଷାକ, କାଦୁଅ ବୋଳା ଶରୀର, ହଳଦିଆ ଫୁଲ ସାଙ୍ଗକୁ ସୂର୍ଯ୍ୟୋଦୟ ପୁଣି କେତେବେଳେ ଚିଲମରୁ ବାହାରୁଥିବା ସେ ଧୂଆଁ ଆଉ ମହାସ୍ନାନରେ ବୁଡ ପକାଉ ଥିବା ଚିତ୍ର ଏସବୁ ରାକେଶଙ୍କ କ୍ୟାମେରାରେ ଜୀବନ୍ତ ହୋଇ ଉଠିଛି ।

ସବୁ ଫଟୋ, ସବୁ ଚରିତ୍ର କିଛି ଭିନ୍ନ କଥା କହୁଛି । ରାକେଶ କୁହନ୍ତି ‘‘ଲକ୍ଷାଧିକ ଭିଡ ମଧ୍ୟରେ ଅନେକ ଫଟୋ ଅଜାଣତରେ ଉଠିଛି । କୁମ୍ଭ ଜଳରୁ ଗଙ୍ଗାନଦୀ ପଠା ପର୍ଯ୍ୟନ୍ତ ସବୁ କାହାଣୀକୁ ମୋ କ୍ୟାମେରା କଏଦ କରିଛି । କିଏ ସେଠି ନିଜକୁ ଭକ୍ତିଭାବରେ ସମର୍ପି ଦେଇଛି ତ ପୁଣି କିଏ ସେ ମାହୋଲକୁ ଉପଭୋଗ କରିବାକୁ ଆସିଛି । ଏମିତି ଅନୁଭୁତି ମୋ ଜୀବନରେ ପ୍ରଥମ । ବହୁତ ଫଟୋ ଏଠି ମୁଁ ବିନା କୌଣସି ଯୋଜନାରେ ଉଠାଇଛି । ଏ ପରିବେଶ କେବେ ମୋତେ ସଠିକ ଫ୍ରେମ୍ ପାଇଁ ସମୟ ଦେଇନାହିଁ । ସମସ୍ତେ ଏଠି ନିଜ ଦୁନିଆରେ ବ୍ୟସ୍ତ । ଏହା ଏମିତି ଏକ ମେଳା ଯେଉଁଠି ଧନୀ ଗରିବର ଭେଦଭାବ ନାହିଁ । ସମସ୍ତେ ଏଠି ସମାନ । ଭକ୍ତିମୟ ପରିବେଶରେ ଏକତ୍ରିତ ହୋଇ ସମସ୍ତେ ମହାକୁମ୍ଭର ମହାସ୍ନାନରେ ହଜି ଯିବାକୁ ଆସିଛନ୍ତି’’ ।

- ଜୀବନ ଆଗ ଫଟୋ ପଛ
ମୌନୀ ଅମାବାସ୍ୟାର ଦଳା ଚକଟାରେ ବି ସଙ୍ଗମ ସ୍ଥଳରେ ଥିଲେ ରାକେଶ । କିନ୍ତୁ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ । ସେ କହିଛନ୍ତି ‘‘ମୁଁ ସେହି ଦଳାଚକଟା ସ୍ଥାନକୁ ଟିକିଏ ବିଳମ୍ବରେ ପହଞ୍ଚିଥିଲି । କିନ୍ତୁ ସେଠିକା ସ୍ଥିତି ଦେଖି ପ୍ରଥମେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି । ସେଠାରୁ କିଛି ଫଟୋ ଆଣିଥିବା ପ୍ରଶ୍ନରେ ରାକେଶ କହିଛନ୍ତି ଏହା ଲୋକଙ୍କ ଜୀବନ ମରଣ କଥା । ଏହି ସମୟରେ କିଛିଟା ଫଟୋ ପାଇଁ ଜୀବନକୁ ବାଜି ପକାଇ ପାରିବିନି । ମହାକୁମ୍ଭରେ ପ୍ରଥମ ଥର 8 ଦିନ ରହି ଫେରି ଆସିବା ପରେ ଦ୍ବିତୀୟ ଥର ପ୍ରୟାଗରାଜ ଯାଇଥଲେ ରାକେଶ’’ ।

ନା ତାଙ୍କ ପାଖରେ କୌଣସି ପାସ୍ ବ୍ୟବସ୍ଥା ଥିଲା । ନା ରହିବା ପାଇଁ କୌଣସି ଜାଗା । ଦୁଇ ଦିନ ଦୁଇ ରାତି ସେ ବିଶ୍ରାମ ନନେଇ କାମ କରିଛନ୍ତି । ଗଙ୍ଗାନଦୀ ପଠାରେ ବିତିଥିଲା ରାକେଶଙ୍କ ଦିନରାତି । କେବଳ ନିଜ କ୍ୟାମେରାକୁ ଯତ୍ନର ସହ ଧରି ରଖିବା ଛଡା ତାଙ୍କ ପାଖରେ କୌଣସି ରାସ୍ତା ନଥିଲା ।

- ଫଟୋ ପ୍ରଦର୍ଶନୀରେ ବଛାବଛା 160 ଫଟୋ
ମହାକୁମ୍ଭ ମେଳାର 500 ଫଟୋ ମଧ୍ୟରୁ ଫଟୋ ପ୍ରଦର୍ଶନୀରେ 160 ଟି ବଛା ବଛା ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇଛି । ସାହି ସ୍ନାନ ପୂର୍ବରୁ ପ୍ରଥମ ପୂଜାର୍ଚ୍ଚନା ଫଟୋ ତାଙ୍କର ଶ୍ରେଷ୍ଠ ଫଟୋ ବୋଲି ସେ କହିଛନ୍ତି । ଏହି ମୁହୁର୍ତ୍ତ ଅତ୍ୟନ୍ତ ପବିତ୍ର ଥିଲା । ଚାରିଆଡେ କେବଳ ବିଶ୍ବାସର ବର୍ଷା ୟାହାର ଚିତ୍ରକୁ କଏଦ କରିବା ପାଇଁ ଭାବବିହ୍ବଳ ସେ ହୋଇପଡିଥିଲେ ।

ସେ କହିଛନ୍ତି ‘‘ଗୋଟିଏ ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା ପାଇଁ ଛାତିଏ ପାଣିରେ ପଶି ଏତେ ଓଜନର କ୍ୟାମେରା ଧରିବା ସତରେ ଚ୍ୟାଲେଞ୍ଜଦାୟକ । ନାଗା ସାଧୁ ସ୍ନାନ କଲା ସମୟରେ ବିପରୀତ ଦିଗରେ ପାଣିରେ ପଶି କ୍ୟାମେରା ଓ କ୍ୟାମେରା ବ୍ୟାଗକୁ ଅତି ଯତ୍ନର ସହ ଧରି ଫଟୋ ଉଠାଇଥିଲି । ଅତି ନିକଟରୁ ସାଧୁଙ୍କ ଫଟୋ ଆଣିବା ସତରେ କାଠିକର ପାଠ ଥିଲା ’’।

ମହାକୁମ୍ଭର ଦିବ୍ୟ ଅନୁଭୁତି ପାଇବାରୁ ଅନେକ ଲୋକେ ବଞ୍ଚିତ ହୋଇଥିଲେ । ଯେଉଁମାନଙ୍କ ପାଇଁ ଫଟୋ ପ୍ରଦର୍ଶନୀର ଆୟୋଜନ କରିଛନ୍ତି ରାକେଶ । ମହାକୁମ୍ଭର ଶେଷ ଦିନ ସରିବ ରାକେଶଙ୍କ ଫଟୋ ପ୍ରଦର୍ଶନୀ ।