ଗଜପତି: ହାତରେ ଟୋକନ ଅଛି, କିନ୍ତୁ ଧାନ ନେଉନାହାନ୍ତି ମିଲର । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ପ୍ରତିଶ୍ରୁତି ମିଳୁଛି, କିନ୍ତୁ ଚାଷୀଙ୍କ ଧାନ କ୍ରୟ ହେଲାନି । ଏଥିରେ ଅତିଷ୍ଠ ହୋଇ ଶେଷରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଧାନ କିଣି ଦାବିରେ ଆଜି ଗଜପତି ଜିଲ୍ଲାର କାଶୀନଗରରେ ବନ୍ଦ ଡାକରା ଦେଇ ରାସ୍ତାରୋକ କରିଛନ୍ତି ଚାଷୀ । ଧାନ କିଣାନଯିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି । ସେପଟେ ଚାଷୀଙ୍କ ସମସ୍ତ ଧାନ କିଭଳି କିଣାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
କେହି ଶୁଣୁନାହାନ୍ତି ଚାଷୀର କଥା, ଧାନ ବିକ୍ରି ପାଇଁ ରାସ୍ତାରୋକ:
ଗତ ନଭେମ୍ବର ଶେଷ ସପ୍ତାହରୁ ଧାନ ଅମଳ ହୋଇଛି । କିନ୍ତୁ ଦୀର୍ଘ ୩ମାସ ହେଲାଣି ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରି କରିପାରୁନାହିଁ । ପ୍ରଶାସନ ଚାଷୀ ହାତରେ ଟୋକନ ଖଣ୍ଡିଏ ଦେଇଛି, ହେଲେ ସେହି ଟୋକନ ଧରି ଧାନ କ୍ରୟ କରିବାକୁ ଗଲେ ମିଲର ଏହାକୁ ଗ୍ରହଣ କରୁନାହାନ୍ତି । ଏ ସଂପର୍କରେ ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏହାର ପ୍ରତିବାଦରେ ଗଜପତି ଜିଲ୍ଲାରେ ବାରମ୍ବାର ଚାଷୀ ଆନ୍ଦୋଳନ ହେଉଥିଲେ ମଧ୍ୟ ପ୍ରତ୍ୟେକ ଥର ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ନିଜର କର୍ତ୍ତବ୍ୟ ସାରିଦେଉଛି । ଫଳରେ ସାଧାରଣ ଚାଷୀ ନିଜର ଧାନ ବିକ୍ରି ନକରିପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି କିଛି ଅଭିଯୋଗ କରିବା ସହ ତୁରନ୍ତ ଧାନ ଖିଣିବା ଦାବିରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକର ଚାଷୀମାନେ କାଶୀନଗର ବନ୍ଦ ଡାକରା ଦେବା ସହ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ଧାନ ମଣ୍ଡିରେ କଟନୀ ଛଟନୀ, 10ଟି ସୋସାଇଟ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ - PADDY PROCUREMENT
ଏହା ମଧ୍ଯ ପଢନ୍ତୁ-ଗଞ୍ଜାମରେ ହେବ ୩ଟି ଶୀତଳ ଭଣ୍ଡାର: ଯୋଗାଣ ମନ୍ତ୍ରୀ - KHARIF PADDY PROCUREMENT GANJAM
ଧାନ କ୍ରୟ କରାଯିବାକୁ ନେଇ ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ:
ଏହି ଖବର ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । କାଶୀନଗର ବ୍ଲକର ୮୦ପ୍ରତିଶତ ଧାନ କିଣାଯାଇସାରିଥିବା ବେଳେ ବଳକା ୨୦ପ୍ରତିଶତ ଧାନ ରହିଯାଇଛି । କାଶୀନଗର ଏନଏସି ଏବଂ ବ୍ଲକର ପ୍ରାୟ ୧୦ହଜାର କ୍ବିଣ୍ଟାଲ ଧାନ ବିକ୍ରି ନହୋଇ ରହିଯାଇଛି । ଯାହାକୁ ନେଇ ଆଜି ଆନ୍ଦୋଳନ ହୋଇଥିଲା । ଏହାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ।
ଖୋଲିଥିଲା ୪୫ ଗୋଟି ମଣ୍ଡି:
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଜିଲ୍ଲାର ୪୫ ଗୋଟି ମଣ୍ଡି ଖୋଲାଯାଇଥିଲା । ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ କେନ୍ଦ୍ରରେ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତି ଏହା ପୂର୍ବରୁ ଟାର୍ଗେଟ ପୂରଣ ହୋଇଥିବାରୁ ଚାଷୀଙ୍କ ଧାନ କ୍ରୟ ହୋଇପାରୁନି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୮୪ ହାଜର କ୍ବିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଧାନ କ୍ରୟ କରିବା ପାଇଁ ଜିଲ୍ଲାର ୧୫ ହଜାର ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ।
ଆନ୍ଦୋଳନକାରୀ କେଦାର ଶବର କହିଛନ୍ତି, '' କାଶୀନଗର ଚାଷୀଙ୍କ ପାଖରେ ଯେଉଁ ଧାନ ରହିଛି ତାକୁ କ୍ରୟ କରାଯାଇନାହିଁ । ତେଣୁ ଏହାକୁ ବିରୋଧ କରି ଆମେ ଆଜି କାଶୀନଜର ବନ୍ଦ ଡାକରା ଦେଇଛୁ । ସମସ୍ତ ଚାଷୀ ଭାଇ ରାସ୍ତାରୋକରେ ବସିଛନ୍ତି । ସରକାର ଆମର ଧାନ କିଣିବା ଆମର ଦାବି । ବହୁଚ ଚାଷୀଙ୍କୁ ଟୋକନ ମିଳିଛି, କିନ୍ତୁ ଧାନ କ୍ରୟ କରାଯାଇନାହିଁ । ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଛୁ । କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଆମେ ଧାରଣାକୁ ଓହ୍ଲାଇଲୁ । ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଗତକାଲି ଠାରୁ ଧାନ ଉଠାଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ''
ଆନ୍ଦୋଳନକାରୀ ଆର.ଲୋକନାଥମ କହିଛନ୍ତି, ''ଧାନ କିଣାନଯିବାରୁ ଆମେ ରାସ୍ତାରୋକ କରିଛୁ । ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲୁ । ଜିଲ୍ଲାପାଳ ସମସ୍ୟାର ସମାଧାନ ହେବା ନେଇ କହିଥିଲେ । କିନ୍ତୁ କିଛି ହେଲାନାହିଁ । ବହୁଥର ଆମେ ଧାରଣା ଦେଇଛୁ । ଶେଷରେ ଦାବି ପୂରଣ ପାଇଁ ଆଜି କାଶୀନଗର ବନ୍ଦ ଡାକରା ଦେଇଛୁ । ''
ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି,''କାଶୀନଗର ବ୍ଲକରେ ଧାନ କ୍ରୟ ପାଇଁ 80 ପ୍ରତିଶତ ଟାର୍ଗେଟ ରହିଥିଲା । ବଳକା ଯେଉଁ 20 ପ୍ରତିଶତ ରହିଛି ତାକୁ ନେଇ ରାସ୍ତାରୋକ କରିଛନ୍ତି ଚାଷୀ । 8ରୁ 10 ହଜାର କ୍ବିଣ୍ଟାଲ ଧାନ ବଳିଯାଇଛି । 2 ଦିନ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ହେବ । ''
ଇଟିଭି ଭାରତ, ଗଜପତି