ଘାରିଛି ସେଲ୍ଫି ନିଶା: ଜୀବନକୁ ବେଖାତିର କରି ମଝି ନଈରେ ଚାଲିଛି ଫଟୋ ଉତ୍ତୋଳନ - selfies in the middle point of the river
🎬 Watch Now: Feature Video
କଟକ: ଯୁବପୀଢିଙ୍କୁ ଘାରିଛି ସେଲ୍ଫି ନିଶା। ଜୀବନକୁ ବେଖାତିର କରି ନଈ ମଝିରେ ଚାଲିଛି ସେଲ୍ଫି କ୍ଲିକ୍ । କଟକ ନରାଜ ସ୍ଥିତ କାଠଯୋଡି ନଦୀରେ ଲୋକଙ୍କ ବିପଦଜନକ ମସ୍ତି ଦେଖିବାକୁ ମିଳୁଛି । ନଦୀ ମଝିରେ ଭରା ପାଣିରେ ଚାଲିଛି ବୁଲାବୁଲି ଓ ଫଟୋ ଉତ୍ତୋଳନ ।
ଖାଲି ସେତିକି ନୁହେଁ, ବାପାମାଆ ମଧ୍ୟ ଛୋଟ ପିଲାଙ୍କୁ ପାଣି ମଝିକୁ ନେଇ ସେଲ୍ଫି ନେବାରେ ବ୍ୟସ୍ତ । ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ କିଏ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠୁଛି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାବେଳେ ଉଚ୍ଛୁଳୁଛି ନଦୀ । ଆଉ ଏଭଳି ପରିସ୍ଥିତିରେ ନରାଜ ଡାକବଙ୍ଗଳାଠାରେ ଲୋକେ ନଦୀ ଭିତରକୁ ପ୍ରବେଶ କରି ନଦୀ ଜଳର ମଜା ନେଉଛନ୍ତି । ହଠାତ୍ ଯଦି ବନ୍ୟା ପାଣି ମାଡ଼ି ଆସେ କିମ୍ବା ଗୋଡ଼ ଖସିଯାଏ ତେବେ ଜୀବନହାନିର ସମ୍ଭାବନା ରହିଛି ।
ଏହାକୁ ନେଇ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ବିଗତ ଦିନ ମାନଙ୍କରେ ଏହି ସ୍ଥାନରେ ଅନେକ ଜୀବନ ଯାଇଛି । ଏଠାରେ ପାଣିର ଗଭୀରତା ବେଶ ଅଧିକ ଥିବାବେଳେ ଅସାବଧାନତା ବଶତଃ ଗୋଡ଼ ଖସିଗଲେ ସେଠାରୁ ବାହାରିବା କଷ୍ଟ । ତେଣୁ ଏହି ଦିଗରେ ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।
ଇଟିଭି ଭାରତ, କଟକ