ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିରରେ ଦୀପଦାନ - ମହେଶ୍ବରଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପଦାନ
🎬 Watch Now: Feature Video
Published : Nov 4, 2023, 8:33 AM IST
ପୁରୀ: ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇଛି । ପୁରୀ ବିଜେଡ଼ିର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ସିଂହଦ୍ଵାର ସମ୍ମୁଖରେ ଏକତ୍ରିତ ହୋଇ ଦୀପଦାନ କରିବା ସହ ମହେଶ୍ୱରଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି । ଗତ ମଙ୍ଗଳବାର ଦିନ ମହେଶ୍ୱର ମହାନ୍ତି ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଓ ପୁରୀର ବିକାଶ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ଥିବାରୁ ଖୁବଶୀଘ୍ର ସେ ସୁସ୍ଥ ହୋଇ ଏସବୁ କାର୍ଯ୍ୟ ପୁର୍ନବାର ସମ୍ପାଦିତ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଜେଡ଼ି କର୍ମୀ ।
ଏହାମଧ୍ୟ ପଢନ୍ତୁ: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ, ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଗତ 1995 ମସିହାରୁ ମହେଶ୍ବର ମହାନ୍ତି ପୁରୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଆସିଥିଲେ । ତେବେ 2019 ବିଧାନସଭା ନିର୍ବାଚନରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ । ତାଙ୍କ ସମୟରେ ବିଜେଡିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥିଲେ । ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ । ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସିଥିଲେ । ହେଲେ 2019 ନିର୍ବାଚନରେ ପରାସ୍ତ ହେଇଥିଲେ । ପରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା । ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ ।
ଇଟିଭି ଭାରତ, ପୁରୀ