କେନ୍ଦ୍ରାପଡ଼ା: ପୁଣି ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି । ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାବେଳେ ଏହାକୁ ସହ୍ୟ କରି ନପାରି ଚାଷୀ ଜୀବନ ହାରିଛନ୍ତି । ଏନେଇ ପରିବାର ଲୋକ ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ଗୋଟିଏ ସପ୍ତାହରେ ଜିଲ୍ଲାରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା ।
ଜୀବନ ହାରିଲେ ଚାଷୀ:
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତର କୋସିଦା ଗାଁର ଦୈତାରୀ ଜେନା (୭୨) ଗତ ୨୩ ତାରିଖ ଦିନ ସକାଳେ ଚାଷ ଜମିକୁ ଫସଲ ଦେଖିବାକୁ ଯାଇଥିଲେ । ଲଗାଣ ବର୍ଷା ପ୍ରଭାବରେ ଚାଷ ଜମିରେ କଟା ହୋଇଥିବା ଧାନରେ ପାଣି ଲହଡି ମାରୁଥିବା ଦେଖି ଏହାକୁ ସହ୍ୟ କରିପାରିନଥିଲେ । ପରେ ଘରକୁ ଫେରି ଘରେ କେହି ନଥିବାବେଳେ ଦୈତାରୀ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ କଟକ ବଡ଼ ମେଡିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧାର କରଜ କରି ଧାନ ଚାଷ କରିଥିବାବେଳେ ବର୍ଷା ପ୍ରଭାବରେ ଧାନ ନଷ୍ଟ ହେବାରୁ ଏହାକୁ ସହି ନପାରି ଦୈତାରୀ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏନେଇ ମୃତ ଦୈତାରୀ ଜେନାଙ୍କ ପୁଅ ରଘୁନାଥ ଜେନା କହିଛନ୍ତି,"ବାପା ବହୁତ ଧାର କରଜ କରି ୩ ଏକର ଜମିରେ ଧାନ ଚାଷ କରିଥିଲେ । ବର୍ଷା ପରେ ବାପା ବିଲକୁ ଯାଇଥିଲେ। ପାଣିରେ ଧାନ ପଡ଼ିରହି ଗଜା ହୋଇଥିବା ଦେଖି ମନ ଦୁଃଖ କରିଥଲେ । ବିଲରୁ ଘରକୁ ଫେରିବା ପରେ ଘରେ କେହି ନଥିବାବେଳେ ସେ ଜୀବନ ହାରି ଦେଇଛନ୍ତି ।"
କ୍ଷତିପୂରଣ ପାଇଁ SRCଙ୍କୁ ଚିଠି :
ସେପଟେ କେନ୍ଦ୍ରାପଡ଼ାରେ ଅଦିନିଆ ବର୍ଷା ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବାବେଳେ ଏନେଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ SRCଙ୍କ ପାଖକୁ ଚିଠି ଲେଖିଛନ୍ତି । ଗଣେଶ୍ବର ବେହେରା ଲେଖିଛନ୍ତି, "ଅଦିନିଆ ବର୍ଷା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଆଳି, ଡେରାବିସ, ଗରଦପୁର, ମର୍ଶାଘାଇ ଓ ମହାକାଳପଡ଼ା ଭଳି ୯ଟି ବ୍ଲକରେ ଧାନ ନଷ୍ଟ ହୋଇଛି । ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ, ୨୦୨୩-୨୪ ଖରିଫ ଋତୁରେ ଜିଲ୍ଲାରେ ୧ ଲକ୍ଷ ୨୪ ହଜାର ୮୫୭ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୭ ଓ ୨୮ ତାରିଖରେ ମୁଁ କେନ୍ଦ୍ରାପଡ଼ା ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି । ଅମଳ ହୋଇଥିବା ଧାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ବେଳେ ଅମଳ ହୋଇ ନଥିବା ଧାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ଜଳମଗ୍ନ ଥିବାରୁ ବିଲରେ ଥିବା ଧାନ ଆଣିବା ଚାଷୀ ପକ୍ଷେ ସମ୍ଭବ ନୁହେଁ । ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ଯାହାକୁ ନେଇ ଡେରାବିସ ବ୍ଲକ କୋସିଦା ଗାଁର ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେଣୁ ଆମେ ଅନୁରୋଧ କରୁଛୁ ଯେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ।"
ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର ଏହା ମଧ୍ୟ ପଢ଼ନ୍ତୁ...ଉଜୁଡା ଫସଲ ଉଜାଡିଲା ପରିବାର, ଜୀବନ ହାରିଲେ ଚାଷୀ |
ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ତଥା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଗାଁର ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ଲଗାଣ ବର୍ଷା ଜନିତ ଚାଷ ଜମି କ୍ଷୟକ୍ଷତି ପାଇଁ ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡ଼ା