ନୟାଗଡ଼: ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫସଲ କ୍ଷୟକ୍ଷତି ପରଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ନୟାଗଡ଼ ରଣପୁରରେ ପହଞ୍ଚି ଚାଷୀମାନଙ୍କ ସହ ଜମିକୁ ଯାଇ ଏହାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହ ବାଚସ୍ପତି ସୁରମା ପାଢ଼ୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ନୟାଗଡ଼ ପରେ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ।
ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:
ଅଦିନିଆ ଲଗାଣ ବର୍ଷାରେ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଛି । ଏପରିକି ଧାନ ଫସଲଗୁଡିକ ଗଜା ହୋଇଯାଇଛି । ଚାଷୀମାନେ ଧାର କରଜ କରି ଚାଷ କାର୍ଯ୍ୟ କରିଥିବା ବେଳେ ଧାନ ଫସଲ ବର୍ଷାରେ ନଷ୍ଟ ହୋଇ ଚାଷ ଜମିରେ ଗଜା ହେବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା । ପ୍ରଥମେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସମେତ କୃଷକ ଯୁବ ମୋର୍ଚ୍ଚା, ବ୍ଲକ ଅଧ୍ୟକ୍ଷା କୃଷକମାନଙ୍କ ସହିତ ଆଲୋଚନା କରି ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଣପୁର ବ୍ଲକକୁ ଆସି ସିଧାସଳଖ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି l ସ୍ଥିତି ଅନୁଧ୍ୟାନ କରି କ୍ଷୟ କ୍ଷତିର ଆକଳନ କରିଛନ୍ତି ।
ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରଳାଖେମୁଣ୍ଡିରୁ କାରକେଡ୍ ବାହାରି ଗୋଷାଣୀ ଅନ୍ତର୍ଗତ ଗୁରାଣ୍ଡି ଗାଁ ପର୍ଯ୍ୟନ୍ତ ଆସିବା ସହ, ଅଦିନିଆ ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସେମାନଙ୍କର ଅଭିଯୋଗ ମଧ୍ୟ ଶୁଣିବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କରିବା ନେଇ ମଧ୍ଯ ସୂଚନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ଅଦିନିଆ ବର୍ଷା କ୍ଷୟକ୍ଷତି, ଗ୍ରାଉଣ୍ଡ-ଜିରୋକୁ ଯିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ |
ଇଟିଭି ଭାରତ, ନୟାଗଡ଼