ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବଜେଟ ଅଧିବେଶନ । ଶନିବାର ଅର୍ଥାତ୍ ଅଧିବେଶନର ଦ୍ୱିତୀୟ ଦିନରେ ଉପସ୍ଥାପନ ହେବ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଗୃହରେ ବଜେଟ ଉପସ୍ଥାପନ କରିବେ । ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡି କେଉଁ ବର୍ଗଙ୍କୁ ଅଧିକ ସୁହାଇବ, କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବ, କେଉଁ ଯୋଜନାମାନ ପ୍ରଣୟନ ହେବ ଓ ଭାରତ ଭଳି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ନା କମିବ ତାହା ଉପରେ ସାରା ଦେଶର ନଜର । ତେବେ ଏହା ମଧ୍ୟରେ ଓଡ଼ିଶା ପ୍ରତି କେନ୍ଦ୍ରର କଣ ଆଭିମୁଖ୍ୟ ରହିବ ତାକୁ ମଧ୍ୟ ଅନେଇ ବସିଛନ୍ତି ଓଡ଼ିଶାବାସୀ ।
ମଧ୍ୟବିତ୍ତ ,ଗରିବଙ୍କୁ ଅଧିକ ଗୁରୁତ୍ୱ ମିଳିବା ଆବଶ୍ୟକ:
ଅନ୍ୟପଟେ ଅର୍ଥନୀତି ବିଷାରଦମାନେ ମଧ୍ୟ ବଜେଟ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରଫୁଲ୍ଲ ଘଡେଇ କହିଛନ୍ତି, " କେନ୍ଦ୍ର ସରକାର ମଧ୍ୟବିତ୍ତ ,ଗରିବଙ୍କୁ ଅଧିକ ଗୁରୁତ୍ୱ ଦେବା ଦରକାର । ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଦେଶରେ ୧୨ କୋଟି ୯୦ ଲକ୍ଷ ଲୋକ ଉତ୍କଟ ଗରିବ ସୀମା ରେଖା ତଳେ ରହୁଛନ୍ତି । ଦୈନିକ ୧୮୧ ଟଙ୍କାରୁ କମ ବ୍ୟୟ କରୁଛନ୍ତି ସେମାନଙ୍କ ସଂଖ୍ୟା ୧୨କୋଟିରୁ ଅଧିକ । ସେମାନଙ୍କ ସ୍ଥିତିରେ ସୁଧାର ଆସିବା ଦରକାର । ମୋଦି ସରକାରରେ ଅସମତା ବଢି ବଢି ଚାଲିଛି । ଦରିଦ୍ର ଦରିଦ୍ର ହେଉଛି, ଧନୀ ବଢି ବଢି ଚାଲିଛି । ମଧ୍ୟବିତ୍ତ ଶ୍ରେଣୀର ବିକାଶ ପାଇଁ କଣ କରିବେ ସରକାର ? ଦରଦାମ ବଢିଚାଲିଛି, ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ତେଣୁ ମଧ୍ୟବିତ୍ତଙ୍କ ପାଇଁ ବଜେଟରେ ଆଶା ରଖାଯାଇଛି ।ଆୟକର ସ୍ଲାବରେ କେତେ ରିହାତି କଣ ଦିଆଯାଉଛି ତାହା ଉପରେ ନଜର ରଖାଯାଇଛି ।"
ନିଯୁକ୍ତି ପାଇଁ ସରକାରଙ୍କ ପଦକ୍ଷେପ:
ସେ ଆଉମଧ୍ୟ କହିଛନ୍ତି, "ଦରଦାମ ନିୟନ୍ତ୍ରଣ ପାଇଁ ସରକାର କି ଠୋସ ପଦକ୍ଷେପ ନେଉଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି । ନିଯୁକ୍ତି ନଦେଲେ ଅର୍ଥନୈତିକ ବିକାଶ ହେବ ନାହିଁ । ମହିଳା ସଶକ୍ତିକରଣ ପାଇଁ କଣ ନୂଆ ଯୋଜନା ଆଣୁଛନ୍ତି ସରକାର ? କୃଷି ଓ କୃଷକ ବିକାଶ ପାଇଁ କଣ ବ୍ୟବସ୍ଥା କରୁଛନ୍ତି ? ଦେଶରେ ପଛୁଆ ବର୍ଗ ପାଇଁ କଣ ବ୍ୟବସ୍ଥା ହେଉଛି ? ବେକାର ଯୁବକ ,ମହିକା ,ସବକା ବିକାଶ ,ବିକଶିତ ଭାରତ କଥା କଣ ହେବ ? କେଉଁ ବର୍ଗକୁ ସନ୍ତୁଷ୍ଟ କରୁଛନ୍ତି ତାହା ଦେଖାଯିବ ।"
ଶିଳ୍ପପତି ଏବଂ ନିବେଶକାରୀଙ୍କୁ ଅଧିକ ପ୍ରଧାନ୍ୟ ମିଳିପାରେ:
ସେହିଭଳି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି,"ଶିଳ୍ପପତି ଏବଂ ନିବେଶକାରୀଙ୍କୁ ଅଧିକ ପ୍ରଧାନ୍ୟ ମିଳିପାରେ । ସ୍ୱାସ୍ଥ୍ୟକୁ ଘରୋଇକରଣ କରିସାରିଛନ୍ତି । ଘରୋଇ ହସ୍ପିଟାଲ ଲାଭବାନ ହେଉଛନ୍ତି । phc, chc ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ଘରୋଇ ହସ୍ପିଟାଲକୁ ଗୁରୁତ୍ୱ ଦେଇଛନ୍ତି । ଶିକ୍ଷା ମଧ୍ୟ ଘରୋଇକରଣ ହୋଇଛି । ଆଦର୍ଶ ବିଦ୍ୟାଳୟକୁ ସଶକ୍ତ କରାଗଲେ ଶିକ୍ଷାର ଉନ୍ନତି ଘଟିବ । କୃଷି କ୍ଷେତ୍ରରେ ମଧ୍ୟ ଘରୋଇ କଂପାନୀମାନଙ୍କର ହାତ ରହିଛି । ସାର କିଣିବାକୁ ସେମାନେ ପ୍ରଭାବିତ କରିପାରନ୍ତି । ବଜେଟରେ ଧନୀ ବର୍ଗଙ୍କୁ ପ୍ରାଧାନ୍ୟ ଦେଇପାରନ୍ତି କେନ୍ଦ୍ର ସରକାର । ମଧ୍ୟବିତ୍ତ ପରିବାର ଉପେକ୍ଷିତ ହେବେ । ଆର୍ଥିକ ସ୍ୱଚ୍ଛତା ଭିତରେ ଆସିବାକୁ ହେଲେ ସମସ୍ତଙ୍କ ରୋଜଗାର ବୃଦ୍ଧି ପାଇବା ଦରକାର । ପେ କମିଶନରେ ଦରମା ବୃଦ୍ଧି ପାଇବ, ଏଥିସହ ଦରମା ବୃଦ୍ଧିକୁ ଲକ୍ଷ କରି ଆୟକର ବଢିବ ।"
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି:
ସେପଟେ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି, "ଓଡ଼ିଶାରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବରୁ ବିଜେଡି ସରକାର ଲାଗିଥିଲେ । ଓଡିଶା ଭଳି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୀର୍ଘବର୍ଷ ହେବ ବିଜେଡି କରି ଆସୁଛି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆମର ଦାବି , ହେଲେ କେନ୍ଦ୍ର ଏ କଥାକୁ ଗୁରୁତ୍ୱ ଦେଉନାହିଁ । ଓଡ଼ିଶାର ମଧ୍ୟମ ବର୍ଗ ,ଗରିବ ଏବଂ ଆୟକର ଦାତାଙ୍କ ଟିକସ ସ୍ଲାବ କମେଇବା ଦରକାର । ଦରଦାମ ହ୍ରାସ କରିବା ଆମର ଦାବି ରହିବ ।"
କୃଷି ସେକ୍ଟରରେ ଚାଷୀଙ୍କ ପାଇଁ ବୀମା ବୃଦ୍ଧି ସମ୍ଭାବନା:
ଅନ୍ୟପଟେ ଅର୍ଥନୀତି ବିଶେଷଜ୍ଞ ଅକ୍ଷୟ ସାହୁ କହିଛନ୍ତି, "ମୁଦ୍ରାସ୍ଫୀତି ଏକ ବଡ଼ ବାଧକ ସାଜିଛି । ତେଣୁ ଏହାକୁ ନିୟନ୍ତ୍ରଣ ଭିତରେ ରଖିବାର ଆବଶ୍ୟକତା ରହିଛି । କେନ୍ଦ୍ର ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । 8 ରୁ 10 ଲକ୍ଷ ପର୍ଯ୍ୟନ୍ତ ରୋଜଗାରରୁ ଟିକସ ଛାଡ, ମୁଦ୍ରାସ୍ଫୀତି ଯୋଗୁ ଦରଦାମ ବୃଦ୍ଧି, କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ, ପୁଞ୍ଜି ବ୍ୟୟର ସ୍କେଲ ବୃଦ୍ଧି କରିପାରନ୍ତି ସରକାର ଯାହା ଉତ୍ପାଦିତ ସେକ୍ଟର ଷ୍ଟିଲ କ୍ଷେତ୍ରରେ ବୃଦ୍ଧି ପାଇବ । ଲୋକଙ୍କ ରୋଜଗାର ବୃଦ୍ଧି ପାଇବ । କୃଷି ସେକ୍ଟରରେ ଚାଷୀଙ୍କ ପାଇଁ ବୀମା ବୃଦ୍ଧି ସମ୍ଭାବନା ରହିଛି।ପୁଞ୍ଜି ବ୍ୟୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।"
ଶନିବାର ବଜେଟ ଉପସ୍ଥାପନ ଥିବା ବେଳେ ଏହି ବଜେଟ କାହାକୁ ସୁହାଇବ ତାହା ଉପରେ ସମସ୍ତଙ୍କ ନଜର ।
ଇଟିଭି ଭାରତ, ଭୁବନେଶ୍ବର