ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଚାଷୀଙ୍କ ଲାଗି ଭଲ ଖବର । ଧାନକିଣା ୬୫ ଲକ୍ଷ ମେଟ୍ରିକ ଟନରୁ ୭୭ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି ସରକାର । ରାଜ୍ୟରେ ଖରିଫ ଋତୁ ଧାନକିଣା ନେଇ ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ହୋଇଛି ନିଷ୍ପତ୍ତି । ରାଜ୍ୟରେ ଅଦ୍ୟାବଧି ପ୍ରାୟ ୧୦ ହଜାର କୋଟି ଏମଏସପି ଏବଂ ୩୪୭୬ କୋଟି ଇନପୁଟ ସହାୟତା ପ୍ରଦାନ କରାଯାଇଥିବା ନେଇ ମିଳିଛି ସୂଚନା ।
ଏମଏସପି ଓ ଇନପୁଟ ସହାୟତା ବଢ଼େଇଛି ଉତ୍ସାହ :
୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ ଟନ ଧାନ ସଂଗ୍ରହ :
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ବିଭିନ୍ନ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯ ଲକ୍ଷ ୭୭ ହଜାର ୨୯୩ ଜଣ ଚାଷୀଙ୍କଠାରୁ ୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ ଟନ ଧାନ କିଣାଯାଇଛି । ଏପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ପ୍ରାୟ ୧୦ ହଜାର କୋଟି ଟଙ୍କା ସାଙ୍ଗକୁ ଇନପୁଟ ସହାୟତା ବାବଦରେ ୩୪୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ଚଳିତ ବର୍ଷ ଧାନକିଣା ପାଇଁ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ମଣ୍ଡି ଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି । ମଣ୍ଡିରେ ୩୮୮୩ ଜଣ ନୋଡାଲ ଅଧିକାରଙ୍କୁ ନିୟୋଜିତ ହୋଇଛନ୍ତି । ଏଥିସହ ବାହାର ରାଜ୍ୟର ଧାନଗାଡ଼ି ଉପରେ କଡ଼ା ନଜର ରଖିବା ପାଇଁ ୨୧୭ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ହୋଇଛନ୍ତି ।
୪ ଲକ୍ଷ ୧୫ ହଜାର ୨୬୭ଟି ଅଭିଯୋଗ ହୋଇଛି ସମାଧନ :
ମଣ୍ଡିରୁ ମିଲକୁ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି । ଚାଷୀଙ୍କୁ ଟୋକନ, ଇନପୁଟ ସହାୟତା, ଏମଏସପି ପ୍ରଦାନ ସହ ଧାନ ବିକ୍ରୟ ସମ୍ପର୍କିତ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରାଯାଉଛି । ଏଥି ପାଇଁ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି । ଚାଷୀମାନଙ୍କ ହିତରେ ଜାରି ଟୋଲଫ୍ରି ନଂ-୧୯୬୭ ଜରିଆରେ ୪ ଲକ୍ଷ ୧୫ ହଜାର ୨୬୭ଟି କଲ ଗ୍ରହଣ କରାଯାଇ ସମାଧାନ କରାଯାଇଛି । ଏଥିସହ ମିଲଗୁଡ଼ିକୁ ଧାନ ପଠାଯାଇ ଏଥିରୁ ବିଭିନ୍ନ ଉତ୍ପାଦ ପ୍ରକ୍ରିୟା ପ୍ରସ୍ତୁତି ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ବର୍ଷର ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଛି । ତାଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଜିଲ୍ଲାଗସ୍ତ କରି ଧାନକିଣା ପ୍ରକ୍ରିୟାକୁ ତଦାରଖ କରୁଥିବାରୁ ଧାନକିଣା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସଫଳ ହୋଇପାରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏହି ପ୍ରକ୍ରିୟା କିପରି ଅଧିକ ଚାଷୀ ଅନୁକୂଳ ହୋଇପାରିବ, ସେଥିପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ବ୍ୟାପକ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଆସନ୍ତା ରବି ଋତୁରେ ଧାନକିଣା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର