ସରିଲା ପାହୁର ଯାତ୍ରା, ଆଜି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ - ବଲାଙ୍ଗୀରରେ ନୂଆଖାଇ
🎬 Watch Now: Feature Video
Published : Sep 20, 2023, 6:37 AM IST
ବଲାଙ୍ଗୀର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । କୃଷି ଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସେପଟେ ଏନେଇ ଉତ୍ସବ ମୁଖର ହୋଇଉଠିଛି ବଲାଙ୍ଗୀର । ନୂଆଖାଇ ପାଇଁ ଗତକାଲି ସମ୍ପନ୍ନ ହୋଇଥିଲା ପାହୁର ଯାତ୍ରା । ସବୁ ଇଷ୍ଟ ଦେବୀଙ୍କ ପାଖରେ ପହଞ୍ଚିଛି ନୂଆ ସାମଗ୍ରୀ । ତେବେ ବଲାଙ୍ଗୀରର ସଂସ୍କୃତିକ ସଂଗଠନ ଅନେକ ବର୍ଷ ଧରି ଜିଲ୍ଲାର ଇଷ୍ଟ ଦେବୀଙ୍କ ପାଇଁ ନୂଆଖାଇ ସରଞ୍ଜାମ ଦେବାସହ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରିଥାଏ । ଯାହାକୁ ପାହୁର ଯାତ୍ରା ବୋଲି କୁହାଯାଏ । ଏଥିରେ ଭାରରେ ମା ସମଳେଇ, ମା ପଟଣେଶ୍ୱରୀ ଅନ୍ୟ ଦେବୀଙ୍କ ପାଇଁ ନୂଆ ସାମଗ୍ରୀ ପହଞ୍ଚା ଯାଇଥାଏ ଏବଂ ସେସବୁ ନୂଆଖାଇରେ ମାଙ୍କ ପାଖରେ ଲାଗି ହୋଇଥାଏ । ଯେଉଁଥିରେ ମା'ଙ୍କ ଆଭୂଷଣ, ଶୃଙ୍ଗାର ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ନୂଆ ଧାନ ଇତ୍ୟାଦି ଲାଗି ହୋଇଥାଏ । ତେବେ ଗତକାଲି ବଲାଙ୍ଗୀରର ସାଂସ୍କୃତିକ ସଂଗଠନ ଦ୍ୱାରା ଏହି ଭାର ସବୁ ମନ୍ଦିରକୁ ଯାଇଛି ।
ସେପଟେ ସଂଗଠନର ସଭାପତି ନିମାଇଁ ଚରଣ ପାଢ଼ୀ କହିଛନ୍ତି ଯେ, ନୂଆଖାଇ ଦିନକ ପୂର୍ବରୁ ଏହି ସାମଗ୍ରୀ ରାଜା ଘରୁ ଆସୁଥିଲା ଏବଂ ପରେ ଏହି ଦାୟିତ୍ୱ ସଂଗଠନକୁ ଦିଆ ଯାଇଛି । ଯେଉଁଥିରେ ମାଙ୍କ ପାଇଁ ନୂଆ ସାମଗ୍ରୀ ଅର୍ପଣ କରା ଯାଇଛି । ତେବେ ଆଜି ମା'ଙ୍କ ନିକଟରେ ନୂଆ ଲାଗି ହେବାପରେ ସାରା ଜିଲ୍ଲା ଅତି ଧୁମଧାମରେ ନୂଆ ଖାଇବେ ଏବଂ ଏହା ଏକ ଚାଷୀ ପରମ୍ପରା ଯାହାକୁ ସମସ୍ତେ ପାଳନ କରନ୍ତି ବୋଲି ସେ କହିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ...ନୂଆଖାଇ ପାଇଁ ଘର ବାହୁଡା; ସମ୍ବଲପୁର ଷ୍ଟେସନରେ ଅସମ୍ଭାଳ ଭିଡ
ସେହିପରି ମା' ସମଲେଇ ମନ୍ଦିର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରୀ କହିଛନ୍ତି ଯେ, ମା'ଙ୍କ ପାଇଁ ତାଙ୍କ ମାଆଙ୍କ ଘର ମିର୍ଦ୍ଧା ପାଳିରୁ ନୂଆ ସାମଗ୍ରୀ ଆସିଥାଏ । ସେହିପରି ଏବେ ଏହି ସଂଗଠନ ଓ ଅନ୍ୟ ସଂଗଠନ ମାନେ ମଧ୍ୟ ମା'ଙ୍କ ପାଇଁ ନୂଆ ସାମଗ୍ରୀ ଅର୍ପଣ କରିଛନ୍ତି । ଦେବୀ ମା' କାଲି ନବ ବେଶରେ ଦର୍ଶନ ଦେବେ । ସେହିପରି ମାଙ୍କ ନିକଟରେ ଆଜି ଅମୃତ ବେଳା ସକାଳ 10ଟା 28 ମିନିଟରୁ 10ଟା 45 ମିନିଟ ମଧ୍ୟରେ ନୂଆ ଅନ୍ନ ଲାଗି ହେବ । ଏହାପରେ ନିଜ ଘରେ ନୂଆ ପିନ୍ଧିବା ସହ ସମସ୍ତେ ମିଳି ମିଶି ନୂଆ ଖାଇବେ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର