ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଆନ୍ସିପ୍ ଖେଳିବେ ଧୂନଚନ୍ଦ୍ର, ୮ ଭାରତୀୟଙ୍କ ମଧ୍ୟରେ ଏକମାତ୍ର ଓଡ଼ିଆ - ମାଷ୍ଟର୍ସ ଆଥଲେଟିକ୍ ଖେଳିବେ ପାରାଦ୍ବୀପର ଧୂନଚନ୍ଦ୍ର
🎬 Watch Now: Feature Video
Published : Nov 6, 2023, 5:19 PM IST
ପାରାଦ୍ବୀପ: ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଆନ୍ସିପ୍ରେ ଭାଗନେବେ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଅଞ୍ଚଳର ଧୂନଚନ୍ଦ୍ର ତରାଇ । ଏହି ଖବର ଜଣାପଡିବା ପରେ ଜିଲ୍ଲାର କ୍ରୀଡାବିତ୍ମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରୁ ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ରେ ଭାଗ ନେବାପାଇଁ ଯାଇଛନ୍ତି ଧୂନଚନ୍ଦ୍ର ତରାଇ । ସେ ଆଜି କୋଲକାତାରେ ପହଞ୍ଚିବା ପରେ ସେଠାରୁ ଫିଲିପାଇନ୍ସ ଯାତ୍ରା କରିବେ ।
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ସ୍ଥାୟୀ ବାସିନ୍ଦା ୫୮ ବର୍ଷୀୟ ଧୂନଚନ୍ଦ୍ର ତରାଇ ପାରାଦ୍ବୀପ ବନ୍ଦରରେ ଇଲେଟ୍ରିକାଲ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୮ ତାରିଖରେ ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଆନ୍ସିପ ୨୦୨୩ରେ ଭାଗ ନେବାକୁ ସେ ମନୋନୀତ ହୋଇଛନ୍ତି । ଧୂନଚନ୍ଦ୍ର ପୂର୍ବରୁ କୋଲକାତାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କରିଥିଲେ । ଏହାପରେ ମାଷ୍ଟର୍ସ ଆଥଲେଟ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଫିଲିପାଇନ୍ସରେ ହେବାକୁ ଥିବା କ୍ରୀଡା ପ୍ରତିଯୋଗିତାରେ ଦେଶରୁ ୭ ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ସେଥିରେ ଓଡିଶାରୁ ଏକମାତ୍ର କ୍ରୀଡ଼ାବିତ୍ ଧୂନଚନ୍ଦ୍ର ତରାଇ ରହିଥିଲେ । ଏହି ଖବର ମିଳିବା ପରେ ପାରାଦ୍ବୀପର କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ଫିଲିପାଇନ୍ସରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ କ୍ରୀଡାରେ ଧୂନଚନ୍ଦ୍ର ଲମ୍ବ ଡିଆଁ ଓ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ । ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସରେ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଏସିଆନ୍ ଚମ୍ପିଆନସିପ୍ରେ ସମସ୍ତ ଖେଳାଳିଙ୍କ ବୟସ ୫୦ ବର୍ଷରୁ ଅଧିକ ।
ଇଟିଭି ଭାରତ, ଜଗତସିଂହପୁର