thumbnail

By

Published : Jan 23, 2023, 7:51 PM IST

Updated : Feb 3, 2023, 8:39 PM IST

ETV Bharat / Videos

କିଓସ୍କ ବ୍ୟାଙ୍କ ପରିଚାଳକଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌

ବାଲେଶ୍ଵର: କିଓସ୍କ ବ୍ୟାଙ୍କ ପରିଚାଳକଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସୋର ଥାନା ଅଇଁରି ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ କିଓସ୍କ ବ୍ୟାଙ୍କର ପରିଚାଳକଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ୫ଲକ୍ଷ ଟଙ୍କା । ସୂଚନାନୁସାରେ କିଓସ୍କ ବ୍ୟାଙ୍କର ପରିଚାଳକ ମନୋରଞ୍ଜନ ବାରିକ ଅନନ୍ତପୁରଘାଟ ନିକଟରେ ଏକ କିଓସ୍କ ବ୍ୟାଙ୍କ କରିଛନ୍ତି । ସକାଳେ ସେ ନିଜ ଘର ଅଇଁରିରୁ ବାଇକ୍ ଯୋଗେ ନିଜ କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିଲେ । 

ରାସ୍ତାରେ ଯିବାବେଳେ ଅନନ୍ତପୁର ମଦ କାଉଣ୍ଟର ନିକଟସ୍ଥ ଘଡ଼େଇ ଛକ ନିକଟରେ ୩ଟି ବାଇକରେ ୫ଜଣ ଯୁବକ ହଠାତ ଆସି ତାଙ୍କୁ ଅଟକାଇଥିଲେ । ପରେ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ । ଏହାପରେ ମନୋରଞ୍ଜନ ହାତରେ ଧରିଥିବା କ୍ୟାସ୍‌ ବ୍ୟାଗକୁ ଲୁଟି ନେଇଥିଲେ। ସେହି ବ୍ୟାଗ ଭିତରେ ଥିଲା ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ପରେ ମନୋରଞ୍ଜନ ତୁରନ୍ତ ସୋର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେଠିକାର ସିସିଟିଭି ଫୁଟେଜକୁ ବି ଯାଞ୍ଚ କରିଥିଲା । ଦିନ ଦ୍ବିପହରେ ଏଭଳି ଚୋରି ଡକାୟତି ବାରମ୍ବାର ଘଟୁଥିବା ବେଳେ ସାଧାରଣ ଲୋକ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । 

ତେବେ ଏହି ଘଟଣାକୁ ନେଇ କେହି ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରିଛି ପୋଲିସ । ଗୋଟିଏ ପଟେ ସୋର ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ସୋର ପୋଲିସ ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଛି । କିଛିଦିନ ପୂର୍ବରୁ ଦୁଇଜଣ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ପୁଣି ଆଜି ଏଭଳି ଘଟଣା ସୋର ପୋଲିସର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଦୁଇ ଜଣ ଯୁବକ ଏକ ହୋଟେଲରେ ଦୁଇ ନାବାଳିକାଙ୍କୁ ଦୁଇ ଦିନ ଧରି ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଦୁଇ ଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢନ୍ତି । ସୋର ଅଞ୍ଚଳରେ ବିଶେଷ ଭାବେ ପୋଲିସ ପେଟ୍ରୋଲିଂ ହେଉନଥିବା ଅଭିଯୋଗ ହେଉଥିବା ବେଳେ ଏଥିପ୍ରତି ଜିଲ୍ଲା ପୋଲିସ ମଧ୍ୟ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ସେହିପରି ନିକଟରେ ବାଲେଶ୍ଵରର ନୂଆ ଏସ୍‌ପି ଭାବେ ସାଗରିକା ନାଥ ଯୋଗ ଦେଇଥିବା ବେଳେ ଏସବୁ ଘଟଣା ଓ କ୍ରାଇମ ରେଟ୍‌ କମ୍ କରିବା ନେଇ ସେ କେଉଁ ପ୍ରକାର ଖସଡ଼ା ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.