thumbnail

By

Published : Apr 27, 2023, 10:52 PM IST

ETV Bharat / Videos

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା ପରେ ଜୀବନ ହାରିଲା ସ୍ବାମୀ

ରାଇରଙ୍ଗପୁର: ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସ୍ବରୂପଭିଲାର ପାତ୍ରସାହିରେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ହତ୍ୟା ଓ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହାପରେ ଉଭୟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  

ପାତ୍ର ସାହିରେ ଥିବା ବନ୍ଦ ଘରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର କରିଛି ପୋଲିସ । ସ୍ତ୍ରୀକୁ ଅତି ନିର୍ମମ ଭାବେ ଏକ କୋଦାଳ ସାହାଯ୍ୟରେ ହତ୍ୟା କରିବା ପରେ ସ୍ବାମୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ବାରିପଦା ସଦର ଥାନା ଅନ୍ତର୍ଗତ ସ୍ବରୂପଭିଲାର ପାତ୍ରସାହି ଅଞ୍ଚଳରେ ବନ୍ଦ ଘରେ ଘଟିଥିବା ବେଳେ କେହି ଏ ବିଷୟରେ ସୁରାକ ମଧ୍ୟ ପାଇ ପାରିନଥିଲେ। ଆଜି ଗୁରୁବାର ସକାଳ ସମୟରେ ପରିବାର ଲୋକେ ହସ୍ପିଟାଲରୁ ଫେରି ଘର କବାଟ ବାଡେଇଥିଲେ ।  କିନ୍ତୁ କେହି କବାଟ ଖୋଲିନଥିଲେ। ତେବେ କବାଟ ଭାଙ୍ଗି ଘର ଭିତରେ ଦେଖିଲା ବେଳକୁ ସ୍ତ୍ରୀ ସୁବୁନିର ରକ୍ତାକ୍ତ ମୃତଦେହ ପଡିଥିବା ବେଳେ ସ୍ବାମୀ ଉମାକାନ୍ତର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।  

ଏହା ବି ପଢନ୍ତୁ-  ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ଟାଉନ ଥାନା ପୋଲିସ

ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ସୁବୁନି ପାତ୍ରକୁ ଶୋଇଥିବା ଅବସ୍ଥାରେ ଏକ କୋଦାଳରେ ହାଣି ହତ୍ୟା କରିବା ପରେ ସ୍ବାମୀ ଉମାକାନ୍ତ ପାତ୍ର ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାକୁ ନେଇ ପୁଅ ରଞ୍ଜନ ପାତ୍ର ବାରିପଦା ସଦର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ବାରିପଦା ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରଖିଥିଲେ। ପରେ ପୋଲିସ କେଶ ନମ୍ବର ୯୩/୨୩ରେ ହତ୍ୟାକାଣ୍ଡ ମାମଲା ରୁଜୁ ଓ କେଶ ନମ୍ବର ୧୪/୨୩ରେ ଏକ ଅପମୃତ୍ୟ ମାମଲା ରୁଜୁ କରିଥିଲେ।  

ପୋଲିସ ଉଭୟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପଠାଇଥିଲେ । ଏଠାରେ ସୂଚନା ଥାଉ କି ସ୍ବାମୀ ଉମାକାନ୍ତ ପାତ୍ର ଓ ସ୍ତ୍ରୀ ସୁବୁନି ପାତ୍ରଙ୍କ ମଧ୍ୟରେ ପାରିବାରିକ କଳହ ବହୁ ପୂର୍ବରୁ ଲାଗି ରହିଥିଲା । ତେବେ ପାରିବାରିକ କଳହ ଏତେ ଉଗ୍ର ରୂପ ନେବ ବୋଲି ତାହା ପାଖାପାଖି ବାସିନ୍ଦା ବିଶ୍ବାସ କରି ପାରିନଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.