Siddhant Mahapatra Exclusive Interview: ପୁଣି ନିର୍ବାଚନ ଲଢିବେ କି ସିଦ୍ଧାନ୍ତ ?
ବ୍ରହ୍ମପୁର: ଗଞ୍ଜାମ ରାଜନୀତିରେ ଓଡିଆ ସିନେ ତାରକା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଦିନକୁ ଦିନ ବଢୁଛି ଚର୍ଚ୍ଚା । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ସାଂସଦଙ୍କ ବ୍ରହ୍ମପୁର ସହର ସମେତ ଛତ୍ରପୁର ଭଳି ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନକୁ ଗସ୍ତ କରି ଦଳୀୟ କର୍ମୀଙ୍କୁ ସାକ୍ଷାତ କରୁଥିବା ନେଇ ପୁଣି ଥରେ ନିର୍ବାଚନ ମୈଦାନକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟର ଜଣେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଭାବରେ ପରିଚିତ ରହିଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜୁ ଜନତା ଦଳ ପକ୍ଷରୁ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଟିକେଟ ଦିଆଯିବା ପରେ ସେହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ହରାଇ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ।
ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ଦ୍ବିତୀୟ ଥର ପାଇଁ ମଧ୍ୟ ସାଂସଦ ଭାବରେ ବିଜୟୀ ହୋଇଥିଲେ । ହେଲେ ୨୦୧୯ ନିର୍ବାଚନରେ ସିଦ୍ଧାନ୍ତଙ୍କୁ ଟିକେଟ ଦିଆନଯିବା ଯୋଗୁଁ ସେ କିଛି ମାସ ଧରି ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହିଥିଲେ । ଏପରିକି ପୁରୁଣା ସଂସଦୀୟ କ୍ଷେତ୍ରରେ ତାଙ୍କୁ ସେତେଟା ଦେଖିବାକୁ ମିଳିନଥିଲା । ହେଲେ ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ଦଳୀୟ ରାଜନୀତିରେ ଗୋଷ୍ଠୀ କନ୍ଦଳ ଯୋଗୁଁ ରାଜନୈତିକ ପାଣିପାଗ କ୍ଷେତ୍ରରେ ଉଷ୍ଣତା ଲାଗିରହିଥିଲା ।
ଏଭଳି ସ୍ଥଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଣି ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବା ନେଇ ନାନା ଆଲୋଚନା ହେଉଥିବା ବେଳେ ଏ ନେଇ ଇଟିଭି ଭାରତ ସହ ଆଲୋଚନା ସମୟରେ ସେ ଦଳରେ ରହିଛନ୍ତି ଏବଂ ଦଳର ଯାହା ବି ନିର୍ଦ୍ଦେଶ ଦେବ କର୍ମୀ ଭାବରେ ପାଳନ କରିବାକୁ ପ୍ରସ୍ତୁତ ରହିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଓଡ଼ିଆ ସିନେ ତାରାକା ତଥା ପୂର୍ବତନ ବ୍ରହ୍ମପୁରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ସ୍ବତନ୍ତ୍ର ଭାବରେ ବର୍ତ୍ତମାନର ଗଞ୍ଜାମ ରାଜନୈତିକ ସ୍ଥିତି ଏବଂ ତାଙ୍କର ଆଗମନକୁ ନେଇ ଲାଗି ରହିଥିବା ଚର୍ଚ୍ଚାକୁ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।
ଇଟିଭି ଭାରତ, ବ୍ରହ୍ମପୁର