ଅସୁସ୍ଥ ହାତୀ ଛୁଆକୁ ଛାଡ଼ି ପଳାଇଲା ମା’, ଜାରି ରହିଛି ଚିକିତ୍ସା
🎬 Watch Now: Feature Video
ରାଇରଙ୍ଗପୁର: ଅସୁସ୍ଥ ହାତୀ ଛୁଆକୁ ଛାଡି ପଳାଇଲା ମା ହାତୀ । ଗତକାଲି(ସୋମବାର) ରାତିରେ ପ୍ରବଳ ବର୍ଷା ହେବା ଫଳରେ ଛୋଟ ହାତୀ ଛୁଆଟିକୁ ଛାଡି ମାଆ ହାତୀ ଅନ୍ୟତ୍ର ପଳାଇ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ୨୩ ଟିକିଆ ଝାରଖଣ୍ଡି ହାତୀ ପଲ ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ବ୍ଲକର ପାର୍ବତୀପୁର ଗ୍ରାମ ଜଙ୍ଗଲରୁ ଝାରଖଣ୍ଡ ରାଜ୍ୟକୁ ଫେରି ଯାଉଥିଲେ । ତେବେ ସେହି ସମୟରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଜାମୁତି ମୁଣ୍ଡାସାହି ନିକଟରେ ହାତୀ ଛୁଆକୁ ଛାଡି ପଳାଇ ଥିଲେ ହାତୀପଲ । ଆଜି ସକାଳୁ ଗାଁ ଲୋକେ ମୁଣ୍ଡାସାହି ନିକଟରୁ ଛୁଆ ହାତୀକୁ ଉଦ୍ଧାର କରିବା ସହ ବନବିଭାଗକୁ ଏ ସମ୍ପର୍କରେ ଖବର ଦେଇଥିଲେ । ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ନିଜ ହେପାଜତକୁ ନେଇଥିଲେ ।
ବନବିଭାଗର ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଡୁମୁରିଆ ଗ୍ରାମ ନିକଟରେ ଏକ ହାତୀକୁ ନିଆଁ ମାଡ଼ କରା ଯାଇଥିଲା । ତେବେ ଏହି ହାତୀ ଛୁଆଟି ପାଖରେ ଥିବାରୁ ନିଆଁ ମାଡ଼ ଯୋଗୁଁ ଛୁଆ ହାତୀର ପିଠିରେ ମଧ୍ୟ ନିଆଁ ବାଜିଥିଲା। ଫଳରେ ହାତୀ ଛୁଆଟି ଅସୁସ୍ଥ ହୋଇ ପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ଅସୁସ୍ଥର ସଠିକ୍ କାରଣ ଜଣା ପଡ଼ିନାହିଁ । ସେପଟେ ହାତୀ ଛୁଆଟିର ବର୍ତ୍ତମାନ ଦେହର ଉତ୍ତାପ ବହୁତ କମ ଥିବା ବେଳେ ହାତୀଟିକୁ ଡିହାଇଡ୍ରେସନ ହୋଇଥିବା ଜଣାପଡିଛି । ସ୍ଥାନୀୟ ପଶୁ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା ଜାରି ରହିଥିଲେ ବି କେନ୍ଦୁଝର ଜିଲ୍ଲାରୁ WTIର ଅଭିଜ୍ଞ ଡାକ୍ତର ହାତୀ ଛୁଆଟିର ଚିକିତ୍ସା ପାଇଁ ଘଟଣା ସ୍ଥଳକୁ ଆସୁଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ