ରେମୁଣା ବିଧାୟକଙ୍କ ବିରୋଧରେ ଗର୍ଜିଲା ବିଜେପି, 23ରେ ରେମୁଣା ବନ୍ଦ ଡାକରା - bjp pressmeet
🎬 Watch Now: Feature Video
ବାଲେଶ୍ଵର: ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ନାଁରେ ସବସିଡି ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲା ଏବେ ଲୋକାୟୁକ୍ତଙ୍କ ଠାରେ ବିଚାରଧୀନ ଥିବାବେଳେ ବିଧାୟକ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁହାଯାଉଛି। ଏହାକୁ ନେଇ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ 5T ସଚିବଙ୍କ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ ସହ ଆସନ୍ତା 23 ତାରିଖରେ ରେମୁଣା ବନ୍ଦ ଡାକରା ଦେଇଛି ରେମୁଣା ବିଜେପି।
ସୂଚନା ଅନୁସାରେ, ରେମୁଣା ବିଜେପି ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରଶ୍ନ ରଖିବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କହିଛି ବିଜେପି। ଗରିବ ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡ଼ି ହଡ଼ପ କରିଥିବା ରେମୁଣାର ବିଜେଡ଼ି ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ସୁରକ୍ଷା ଦେଉଛି କିଏ ବୋଲି ପ୍ରଶ୍ନ କରିଛି ଦଳ। ଏତେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ବିନା ବିଭାଗୀୟ ଅଧିକାରୀ ଓ କୃଷିମନ୍ତ୍ରୀଙ୍କ ସହାୟତା ବିନା କେମିତି ସମ୍ଭବ ହେଲା ବୋଲି ମଧ୍ୟ ବିଜେପି ପ୍ରଶ୍ନ କରିଛି।
ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ସତ୍ତ୍ବେ ତଦନ୍ତ ନକରି ଭିଜିଲାନ୍ସ ନିରଵ ରହିଥିବାରୁ ଭିଜିଲାନ୍ସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ବିଜେପି ଦାବି କରିଛି । ଏହାକୁ ନେଇ ଆସନ୍ତା 23 ତାରିଖ ରେମୁଣା ବନ୍ଦ କରିବା ସହ 21 ତାରିଖରେ 5T ସଚିବଙ୍କ ଗସ୍ତକୁ ବିରୋଧ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଇଟିଭି ଭାରତ, ବାଲେଶ୍ବର