କଟକ: ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ । ଏଥିପାଇଁ ପ୍ରସ୍ତୁତ ଉଭୟ ଦଳର ଖେଳାଳି । ଆସନ୍ତାକାଲି ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀ ଷ୍ଟାଡିୟମକୁ ଆସିବେ । ଏଥିପାଇଁ ପୋଲିସ ପକ୍ଷରୁ କଟକଣା କରାଯାଇଛି । ବିଶେଷକରି କେଉଁ ସ୍ଥାନ ଦେଇ ଆସିବେ ଏବଂ କେଉଁ ସ୍ଥାନରେ ପାର୍କିଂ କରିବେ, ସେନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟ କରାଯାଇଛି । ଆସନ୍ତୁ ଜାଣିବା ଷ୍ଟାଡିୟମକୁ କ'ଣ କ'ଣ ଆଣିବେ ଆଉ କେଉଁଠି ପାର୍କିଂ କରିବେ !
ଷ୍ଟାଡିୟମକୁ କ'ଣ କ'ଣ ନେଇ ପାରିବେ ?
ଷ୍ଟାଡିୟମ୍ର କୌଣସି ଗ୍ୟାଲେରୀ ବା ପାଭିଲିୟନ୍କୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ବା କାଗଜ ଟଙ୍କା ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । ଏଥିସହିତ କୌଣସି ପ୍ରକାର ବ୍ୟାଗ୍, କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ । ଷ୍ଟାଡିୟମ୍ର ସବୁ ଗ୍ୟାଲେରୀ ଓ ପାଭିଲିଅନ୍ରେ ପିଇବା ପାଣି, ସୁଖିଲା ଖାଦ୍ୟ ଓ ଅନ୍ୟ ପାନୀୟ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ତେଣୁ ସାଙ୍ଗରେ କିଛି ଖାଦ୍ୟ ଓ ପିଇବା ପାଣି ନେଇପାରିବେ ନାହିଁ । ସେହିପରି କୌଣସି ପ୍ରକାର ବାଇନାକୁଲାର, ବାଡ଼ିରେ ବନ୍ଧା ହୋଇଥିବା ପତାକା, ରେଡ଼ିଓ, ଡିଜିଗଲ୍ କ୍ୟାମେରା, ପାଣି ପାଉଚ, କୌଣସି ପ୍ରକାର ମାଦକଦ୍ରବ୍ୟ, ଗୁଖା, ବିଡ଼ି, ସିଗାରେଟ୍, ପାନମସଲା ଓ ଭଙ୍ଗା ହୋଇଥିବା ପାନ ସାଙ୍ଗରେ ଦର୍ଶକ ନେଇଯାଇପାରିବେ ନାହିଁ ।
ଘରୁ ଦର୍ଶକ ଆସିବା ବେଳେ ସାଙ୍ଗରେ କେବଳ ଟିକେଟ୍ କିମ୍ବା ପାସ୍, ନିଜର ଏକ ପରିଚୟପତ୍ର ଓ କିଛି ନୋଟ୍ ନେଇଆସିବାକୁ ପୋଲିସ କହିଛି । ଯଦି ବାରଣ କରାଯାଇଥିବା ଜିନିଷକୁ କେହି ଦର୍ଶକ ସାଙ୍ଗର ଆଣିବେ ତାହାଲେ ସେଗୁଡ଼ିକୁ ଷ୍ଟାଡିୟମ୍ର ପ୍ରବେଶ ପଥରେ ଛଡ଼ାଇ ରଖାଯିବ ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ ଏକଦିବସୀୟ କ୍ରିକେଟ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଭଳି ସୂଚନା ଦେଇଛନ୍ତି ।
କେଉଁ କେଉଁ ସ୍ଥାନରେ କଟକଣା କରାଯାଇଛି !
କଟକ କମିଶନରେଟ ପୋଲିସ ପକ୍ଷରୁ କରାଯାଇଥିବା ଟ୍ରାଫିକ କଟକଣା ଅନୁଯାୟୀ, ମାତାମଠ ପଟୁ ରିଂ ରୋଡ଼ରେ ଆସୁଥିବା ଗାଡି ଗୁଡିକ ବାଲିଯାତ୍ରା ତଳ ପଡ଼ିଆରେ ପାର୍କିଂ କରିବେ । ହାଓଡ଼ା ମୋଟର ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡି ଗୁଡିକ ଲ ହଷ୍ଟେଲ ଛକରୁ ରିଂ ରୋଡ଼କୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ରଖିବେ । ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡି ଆନନ୍ଦ ଭବନ ଛକରୁ ସିଧା କିଲ୍ଲା ପଡିଆ ଆଡକୁ ଯାଇ ପାରିବେ ନାହିଁ ।ଏହି ଗାଡି ଗୁଡିକ ଖ୍ରୀଷ୍ଟିଆନ ପଡ଼ିଆରେ ରହିବ । ହରିଣ ପାର୍କ ଏବଂ ମଧୁସୂଦନ ନଗର ଆଡୁ ରିଂ ରୋଡ଼ରେ ଆସୁଥିବା ଗାଡି ଗୁଡିକ କାର୍ତ୍ତିକସ୍ଵର ଗଡ଼ାରେ ବାମକୁ ଗଡି ପାର୍କିଂ ସ୍ଥାନକୁ ଯିବେ ।
ସମାଜ ଅଫିସ ଛକ ଆଡୁ ଆସୁଥିବା ଗାଡି ଗୁଡିକୁ ହନୁମାନ ମନ୍ଦିର ଆଡକୁ ନ ଯାଇ ଚଣ୍ଡୀ ଛକ ହୋଇ ଖ୍ରୀଷ୍ଟିଆନ ପଡିଆକୁ ଯିବେ । କେବଳ ଓସିଏ ପାସଧାରୀ ଗାଡି ଷ୍ଟାଡିୟମର ୧ ନମ୍ବର ଗେଟ ଦେଇ ଓସିଏ ପାର୍କିଂ ସ୍ଥାନକୁ ଯିବେ । ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡି ଷ୍ଟାଡିୟମ ଆଡକୁ ଯାଇ ପାରିବେ ନାହିଁ । ଚକ୍ଷୁ ହସ୍ପିଟାଲ ଛକରୁ କିଲ ଖାନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ସେହି ରାସ୍ତାରେ ଆସୁଥିବା ଗାଡି ଗୁଡିକ କଳା ବିକାଶ କେନ୍ଦ୍ର ଦେଇ ପାର୍କିଂ ସ୍ଥାନକୁ ଯିବ । କେବଳ ସେତିକି ନୁହେଁ ଆସନ୍ତାକାଲି ସକାଳ ୮ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ମହାନଦୀ ଓ କାଠଯୋଡ଼ି ରିଂ ବନ୍ଧରେ କୌଣସି ଭାରିଯାନ ଚଳାଚଳ କରି ପାରିବନାହିଁ ।
କେଉଁଠି କରିବେ ଗାଡି ପାର୍କିଂ ?
ରିଂବନ୍ଧ ଦେଇ ଆସୁଥିବା ଗାଡି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । କନିକା ଛକ ବିଜୁପଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆ, ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା କେବଳ ଦୁଇ ଚକିଆ ଯାନ ପାଇଁ ଦୟାଶ୍ରମ ସାମ୍ନା ପଡିଆ । ଜାଭିଅର ପଡିଆର ପାସ ପାଇଥିବା ବ୍ୟକ୍ତି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ଷ୍ଟାଡିୟମର ୧୪ ନମ୍ବର ଗେଟରେ ଯାଇ ପାର୍କିଂ କରି ପାରିବେ । ମାତାମଠ କିମ୍ବା କ୍ୟାଣ୍ଟେନମେଣ୍ଟ ଥାନା ପଟୁ ଆସୁଥିବା ପାସଧାରୀ ଗାଡି ଗୁଡିକ ବାଉଁଶ ଗଡା ପର୍ଯ୍ୟନ୍ତ ଆସି ସେଠାରେ ଗାଡି ରଖି ପାରିବେ ।
ଇଟିଭି ଭାରତ, କଟକ