ସମର୍ଥକ ଉଧାର ଆଣି ରାଜନୀତି କରୁଛି ରାଉରକେଲା ବିଜେପି
🎬 Watch Now: Feature Video
Published : Dec 2, 2023, 1:01 PM IST
ରାଉରକେଲା: ରାଉରକେଲା ବିଜେପିରେ ହାସ୍ୟାସ୍ପଦ ଘଟଣା । ଦଳରେ ସମର୍ଥକ ଅଭାବ ହେବାରୁ ଅନ୍ୟ ଦଳରୁ ସମର୍ଥକ ଆଣି ରାଜନୀତି କରୁଛି ବିଜେପି । ଲୋକହସା ହେବାରୁ ବଞ୍ଚିବା ପାଇଁ ଅନ୍ୟ ଦଳରୁ ଲୋକଙ୍କୁ ଆଣୁଛି । ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି କିଛି ହାସ୍ୟସ୍ପଦ ଘଟଣା ଦେଖିବାକୁ ମିଳିଛି । ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ସମର୍ଥକଙ୍କୁ ଉଧାରରେ ନେଇ ବିଜେପି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲା । ରାଉରକେଲା ବିଜେପିର ଏହି ଉଧାର ରାଜନୀତିକୁ ନେଇ ଲୋକନିନ୍ଦାର ସମ୍ମୁଖୀନ ହେବାକୁ ପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କ ମୃତ୍ୟୁ ଶୂନ୍ୟ ସପ୍ତାହ ଏକ ପ୍ରହସନ: ବିଜେପି
ସୂଚନା ଅନୁସାରେ, ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ଦଳ ସ୍ଥାନୀୟ ଅଞ୍ଚଳର କିଛି ଦାବିକୁ ନେଇ ଦାବିପତ୍ର ପ୍ରଦାନ ପାଇଁ ପାନପୋଷ ଉପଜିଲ୍ଲାପାଳ ଅଫିସକୁ ଆସିଥିଲେ । ଏହାର କିଛି ସମୟ ପରେ ଜିଲ୍ଲା ବିଜେପି ସଭାପତି ଏବଂ ବରିଷ୍ଠ ନେତା ନିହାର ରାୟଙ୍କ ସହ ବିଜେପିର ସଦସ୍ୟମାନେ ସେହି ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ବିଜେପିର ଆବଶ୍ୟକ ସଂଖ୍ୟକ ସମର୍ଥକ ନଥିଲେ । ଗଣମାଧ୍ୟମ ସମ୍ମୁଖରେ ଲଜ୍ଜିତ ହେବାରୁ ବଞ୍ଚିବା ପାଇଁ ବିଜେପି ଦଳ ଜର୍ଜ ତିର୍କୀଙ୍କ କିଛି ସମର୍ଥକଙ୍କୁ ସେମାନଙ୍କ ଦଳରେ ଯୋଗଦେବା ପାଇଁ କହିଥିଲେ । ପରେ ପ୍ରାୟ ୩ରୁ ୪ ଜଣ ଯୁବକ ବିଜେପି ନେତାଙ୍କ ସହ ମିଶି ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହି ଘଟଣା ରାଉରକେଲା ରାଜନୀତିରେ ବିଜେପିର ସ୍ଥିତି ପଦାରେ ପକାଇଛି ।
ଇଟିଭି ଭାରତ, ରାଉରକେଲା