ଗାଁକୁ ଫେରିଲା ମୃତଦେହ: ଦାଦନ ଖଟିବାକୁ ଯାଇ ଗଲା ଜୀବନ, ୨ମହଲା ଉପରୁ ପଡି ଶ୍ରମିକ ମୃତ - poverty in kalahandi
🎬 Watch Now: Feature Video
କଳାହାଣ୍ଡି: ପୁଣି ଦାଦନ ଦୁଃଖ । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ତାହାର ଓଲଟା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗାଁର ଭିକାରୀ ବାଗ ପରିବାର ପ୍ରତିପୋଷଣ ଆଶାରେ ନିଜ ସମ୍ପର୍କୀୟଙ୍କ ସହ ଗତ ୨୦ ଦିନ ତଳେ ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ସେ ଏକ ଠିକା ସଂସ୍ଥାର ଦିନ ମଜୁରିଆ ଭାବରେ କାମ କରୁଥିବାବେଳେ ୨ ମହଲା ଉପରୁ ପଡିଯାଇ ଗୁରୁତର ହୋଇଥିଲେ। ତୁରନ୍ତ ସାଥି ଶ୍ରମିକ ଭିକାରୀଙ୍କୁ ନିକଟରେ ଥିବା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏନେଇ ଭିକାରୀଙ୍କ ସାଙ୍ଗରେ ଯାଇଥିବା ତାଙ୍କ ଶଳା ପରିବାରଲୋକଙ୍କୁ ଖବର ଦେଇଥିଲେ। ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ପରିବାର ସଦସ୍ୟଙ୍କ ଆଖିରୁ ଆଉ ଲୁହ ଶୁଖୁ ନାହିଁ। ସେପଟେ ମୃତଦେହ ଫେରାଇ ଆଣିବା ପାଇଁ ସମ୍ପୃକ୍ତ କମ୍ପାନୀକୁ ନିବେଦନ କରିଥିଲେ ମଧ୍ୟ ସମ୍ପୃକ୍ତ ମାଲିକ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଥିଲା । ଏନେଇ ମୃତଦେହ ଗାଁ କୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ନେହୁରା ହୋଇଥିଲେ ପରିବାର। ପରେ ଜିଲ୍ଲା ପ୍ରଶାସନର ସହାୟତାରେ ଆଜି ଗାଁରେ ପହଞ୍ଚିଛି ମୃତଦେହ । ଭିକାରୀଙ୍କ ମୃତ୍ୟୁ ପରେ ପୁରୁଷ ଶୂନ୍ୟ ହୋଇ ପଡିଛି ପରିବାର । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି ବୃଦ୍ଧ ବାପା, ମାଆ ସ୍ତ୍ରୀ ଓ ଦୁଇ ଝିଅ ।
ଇଟିଭି ଭାରତ, କଳାହାଣ୍ଡି