thumbnail

By ETV Bharat Odisha Team

Published : Sep 19, 2023, 9:44 PM IST

ETV Bharat / Videos

ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହର

ଖୋର୍ଦ୍ଧା: ଜଟଣୀ ସହରରେ ଆଜିଠୁ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି ।  ଦେଶରେ ମୁମ୍ବାଇ ପରେ ରାଜ୍ୟରେ ଗଣେଶ ପୂଜା ପାଇଁ ଜଟଣୀ ପ୍ରସିଦ୍ଧି ଲାଭ କରିଛି ।  ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ଗଣେଶ ପୂଜା ଆସନ୍ତା 11 ଦିନ ଧରି ଚାଲିବ । ଚଳିତ ବର୍ଷ ଜଟଣୀ ସହର ଓ ଗ୍ରାମାଞ୍ଚଳରେ 200ରୁ ଉର୍ଦ୍ଧ୍ବ ପୂଜା ପେଣ୍ଡାଲରେ ଗଣେଶ ପୂଜା ପାଇଛନ୍ତି । ସେପଟେ ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ଓ ସୁଉଚ୍ଚ ତୋରଣ ପୂଜା ମାହୋଲକୁ ଆହୁରି ରୋମାଞ୍ଚକର କରିଛି ।  

ଜନଶ୍ରୁତି ଅନୁସାରେ ଜଟଣୀ ସହରରେ ଗଣେଶ ପୂଜା 100 ବର୍ଷର ପୁରୁଣା । ଗଣେଶ ଚତୁର୍ଥୀଠାରୁ ପୂଜା ଆରମ୍ଭ କରାଯାଉଛି । ପୂଜା ପେଣ୍ଡାଲରେ ଗଣେଶ, ଲକ୍ଷ୍ମୀ ଓ ସରସ୍ଵତୀ 3 ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯିବା ବିଧି ରହିଛି । ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ଗଣେଶ ପୂଜା 11 ଦିନ ଧରି ଚାଲିବ । ପୂର୍ଣ୍ଣମୀ ସନ୍ଧ୍ୟାରେ ମେଢ଼ ବିସର୍ଜନ କରାଯିବା ପରମ୍ପରା ରହିଛି । ଚଳିତ ବର୍ଷ ଜଟଣୀ ସହର ଓ ଗ୍ରାମାଞ୍ଚଳରେ 200ରୁ ଊର୍ଦ୍ଧ୍ବ ପୂଜା ପେଣ୍ଡାଲରେ ଗଣେଶ ପୂଜା ପାଇଛନ୍ତି ।  

ଏହା ବି ପଢନ୍ତୁ- ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ

ଚଳିତ ବର୍ଷ ସହରରେ ଧୁମଧାମରେ ପୂଜା ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ନିଷ୍ପତ୍ତି ନେଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ପେଣ୍ଡାଲ ଓ ତୋରଣ ପ୍ରତିଷ୍ଠା କରାଯାଇଛି । ପୂଜା ପେଣ୍ଡାଲ ଏବଂ ବଜାରକୁ ରଙ୍ଗୀନ ବିଦ୍ୟୁତ ଆଲୋକମାଳାରେ ସଜାଇ ଦିଆଯାଇଛି । ବଜାର ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ବେଳେ ଗଣେଶ ପୂଜା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜଟଣୀ ସହରରେ ବିଶ୍ବ ରଙ୍ଗ ମହଲ, ବିଶ୍ଵ ଦରବାର, ପାର୍ବତୀ, ଇନ୍ଦ୍ରଭୁବନ ଏବଂ ବାଘାଯତୀନ ଭଳି 5ଟି ଅପେରା ପରିବେଷଣ କରିବ ବୋଲି ସୂଚନା ମିଳିଛି ।  

ଏହା ବି ପଢନ୍ତୁ- ସୁପ୍ରିୟାଙ୍କ ନିଆରା କଳାକୃତି; କାଗଜରେ ଗଢିଲେ ଅଗ୍ରପୂଜ୍ୟ ଗଜାନନଙ୍କ ମୂର୍ତ୍ତି

ସେହିପରି ରେଳ ଲୋକୋ କଲୋନୀ, ପୌର ପାଳିକା ଛକ ସୂଜାତା ଆନନ୍ଦ ପଡ଼ିଆ , ଖୁଦୁପୁର ଖେଳ ପଡ଼ିଆ ଏବଂ ଷଣ୍ଢପୁର ଖେଳ ପଡ଼ିଆରେ 4ଟି ମୀନାବଜାର ଆୟୋଜନ କରାଯାଇଛି । ପ୍ରତି ସନ୍ଧ୍ୟାରେ ବିଭିନ୍ନ ପୂଜା ପେଣ୍ଡାଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପୂଜା କମିଟି ଲାଗି ପଡ଼ିଛନ୍ତି । ଉକ୍ତ ପୂଜାସୋବକୁ ଉପଭୋଗ କରିବା ଲାଗି ଜଟଣୀ ସହର, ରାଜଧାନୀ ଏବଂ ଆଖପାଖ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.