ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଷ୍ଠା ଖୁଆଇବା ଉଦ୍ୟମ ଘଟଣା, 5 ଗିରଫ - ଚନ୍ଦାହାଣ୍ଡି
🎬 Watch Now: Feature Video

ନବରଙ୍ଗପୁର: ଆଜି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅନେକ ଲୋକ । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜାମାଦାରପଡା ଗାଁରେ ଜଣେ ଯୁବକ ଦେବିସିଂ ହାତି(୨୬) ଗତ ୪ ତାରିଖ ଦିନ ସାପ କାମୁଡାରେ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାର ଲୋକେ ଛତିଶଗଡର ଜଣେ ଗୁଣିଆକୁ ଡାକି ଘରେ ପୂଜା ପାଠ କରିଥିଲେ। ଗୁଣିଆ କୁଆଡେ ସେହି ଗାଁର ହିରାସିଂ ଦଳେଇ (୩୦) ଗୁଣି କରି ସାପ ଦ୍ବାରା ହତ୍ୟା କରିଥିବା ନେଇ କହିଥିଲା। ଗୁଣିଆ କଥାରେ ବିଶ୍ବାସ କରି ମୃତକ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ବୈଠକରେ ଗାଁ ଦାଣ୍ଡରେ ହିରାସିଂ କୁ ମାଡ ମାରିଥିଲେ ଓ ଗାଳି ଗୁଲଜ କରିଥିଲେ। ଶେଷରେ ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ଥାନାରେ ଏତଲା ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ମୃତକଙ୍କ ସମ୍ପର୍କୀୟ।