ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ରାମଲୀଳା ମହୋତ୍ସବ ଉଦଯାପିତ - Ramlila Mahostav - RAMLILA MAHOSTAV

🎬 Watch Now: Feature Video

thumbnail

By ETV Bharat Odisha Team

Published : May 5, 2024, 11:53 AM IST

Ramlila Mahostav: ବୌଦ୍ଧ: ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାରମ୍ପରିକ ଲୋକ ନାଟକ ରାମଲୀଳା ମହୋତ୍ସବ ଶନିବାର ଦିନ ଉଦଯାପିତ ହୋଇଛି । ଶେଷ ରାତିରେ ଖୋଲା ରଙ୍ଗମଞ୍ଚରେ ରାବଣ ବଧ ପରିବେଷଣ ହୋଇଥିଲା । ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର ଦର୍ଶକ ଯୋଗଦେଇ ପ୍ରାଚୀନ ଲୋକ ସଂସ୍କୃତିର ଭରପୂର ମଜା ଉଠାଇଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଦୀର୍ଘ ଅଠର ଦିନ ଧରି ଚାଲିଥିଲା ଏହି ପାରମ୍ପରିକ ଲୋକ ନାଟକ ରାମଲୀଳା  । ଏହି ଯାତ୍ରା ଶତାଧିକ ବର୍ଷରୁ ଅନୁଷ୍ଠିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ଶ୍ରୀରାମ ନବମୀ ଠାରୁ ଅଠର ଦିନ ଧରି ଏହି ଲୀଳା ନାଟକ ଖୋଲା ରଙ୍ଗମଞ୍ଚରେ ପାରମ୍ପରିକ ଶୈଳୀରେ ପରିବେଷଣ କରାଯାଇଥାଏ । ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ଅନେକ କଟକଣା ମଧ୍ୟରେ ଏହି ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଶଟି ରାବଣ ସୁସଜ୍ଜିତ ରଥରେ ସହର ପରିକ୍ରମା କରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ନିହତ ହୋଇଥିଲେ । ରାବଣ ବଧ ଯାତ୍ରା ପାଇଁ ସାରା ବୌଦ୍ଧ ସହର ଉତ୍ସବମୁଖର ହୋଇଉଠିଥିଲା  । ରାତି ତମାମ ଜିଲ୍ଲା ଷ୍ଟାଡିୟମ, ବାଘଗୁଡା ଛକ, ଗାନ୍ଧି ଛକ, ବସଷ୍ଟାଣ୍ଡ ରାମଲୀଳା ମଇଦାନ ସମେତ ସହରର ପ୍ରମୁଖ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଏହାମଧ୍ୟ ପଢନ୍ତୁ... ରାମଲୀଳା ଯାତ୍ରା; ସମ୍ପୂର୍ଣ୍ଣ ସାମାଜିକ ରୀତିନୀତିରେ ସମ୍ପନ୍ନ ହେଲା ସୀତାରାମଙ୍କ ବିବାହ ଉତ୍ସବ - Ramlila Yatra

ଜିଲ୍ଲାର ଏହି ସାଂସ୍କୃତିକ ଉତ୍ସବରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥାଏ । ଏହି ଯାତ୍ରା କେବଳ ହିନ୍ଦୁମାନେ ନୁହନ୍ତି ବରଂ ମୁସଲମାନ ସଂପ୍ରଦାୟର ଅଧିବାସୀମାନେ ମଧ୍ୟ ବେଶ ସହଯୋଗ କରି ସଫଳ କରିଆସୁଛନ୍ତି । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ଏହି ମହୋତ୍ସବରେ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଂଶଗ୍ରହଣ କରି ନାଚଗୀତରେ ସାମିଲ ହୋଇଥିଲେ ।


ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.