ବଜାରରେ ଅଣାୟତ୍ତ ଆଳୁ ଦର, ଖାଉଟି ଅସନ୍ତୋଷ - Potato price rises

By ETV Bharat Odisha Team

Published : Jul 28, 2024, 3:35 PM IST

thumbnail
Potato price rises (ETV Bharat Odisha)

Potato price rises:ବୌଦ୍ଧ: ଆଳୁ ବଜାରରେ ନିଆଁ । କୃଷି ପ୍ରଧାନ ଜିଲ୍ଲାରେ ପନିପରିବା ଚାଷରେ ଚାଷୀ ଆତ୍ମନିର୍ଭରଶୀଳ ଥିବା ବେଳେ ଆଳୁ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ତଥା ପରାମର୍ଶ ଅଭାବରୁ ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ । ସେପଟେ ଜିଲ୍ଲାର ବିଭିନ୍ନ ବଜାରରେ ଆଳୁ କେଜି ପିଛା ୫୦ ତଳକୁ କମିବାର ନାଁ ଧରୁନି ।

ବଜାରରେ ବେଲଗାମ ଆଳୁ ଓ ପନିପରିବା ଦର । ଯାହାର ସିଧାସଳଖ ପ୍ରଭାବ ପଡୁଛି ପରିବାରର ହାଣ୍ଡିଶାଳ ଉପରେ । ନିୟନ୍ତ୍ରିତ ବଜାର କମିଟି କିମ୍ବା ଯୋଗାଣ ବିଭାଗର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ଅତ୍ୟାବଶ୍ୟକୀୟ ପନିପରିବାର ଦର ! ଗତ ସପ୍ତାହରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାରରେ ଆଳୁ ଓ ପିଆଜ ଦର ପଚିଶରୁ ତିରିଶ ଟଙ୍କା ପ୍ରତି କିଲୋ ଥିବା ବେଳେ ବର୍ତ୍ତମାନ ଏହି ଦର ହଠାତ୍ ପଚାଶ ଟଙ୍କାରେ ପହଞ୍ଚିଲାଣି । କୃଷି ପ୍ରଧାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଚାଷ ହେଉଥିବା ବେଳେ ସରକାରଙ୍କ ଆଳୁ ପିଆଜ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ... ବଜାରରେ ଆଳୁର ମହଙ୍ଗା ମାଡ଼; ଆଳୁଦମ ଦହିବରାରୁ ଆଳୁ ଗାଏବ, ସୋୟାବିନ ବଡ଼ିର ଏଣ୍ଟ୍ରି - Dahibara Aludam Potato Vanishes

ଜିଲ୍ଲାର ସଦର ମହକୁମା ଆଦର୍ଶ କୃଷି ବଜାରରେ ଆଳୁ ଓ ପିଆଜ ଦର ପଚାଶ ଟଙ୍କାରେ ପହଞ୍ଚିଛି । ଆଳୁ ଦୁଇ କିଲୋ ନେଉଥିବା ଗ୍ରାହକ ବର୍ତ୍ତମାନ ୨୫୦ ଗ୍ରାମ କିମ୍ବା ଅଧ କିଲୋର ବଜାର ସଉଦା କରୁଛନ୍ତି । ସରକାରୀ ସ୍ତରରେ ପୂର୍ବରୁ ଆଳୁ ମିଶନ ଓ ପିଆଜ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାର ପନିପରିବା ବ୍ୟବସାୟୀ ବାହାରୁ ଆଳୁ ଆମଦାନୀ ସମସ୍ୟା ତଥା ସେମାନେ ୪୫ କିଲୋ ଆଳୁ ବସ୍ତା ପନ୍ଦର ଶହ ଟଙ୍କାରୁ ଊର୍ଦ୍ଧ୍ବ ଦରରେ କ୍ରୟ କରୁଥିବା ଯୋଗୁଁ ସାଧାରଣ ଖାଉଟିଙ୍କୁ ବାଧ୍ୟ ହୋଇ ଅଧିକ ଦରରେ ଆଳୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.