ସମ୍ବଲପୁର: "ଜଙ୍ଗଲ ପାଖରେ ଥିବା ଜମିରେ ପୂର୍ବରୁ ପନିପରିବା ଚାଷ କରୁଥିଲୁ । ବାଇଗଣ, ଭେଣ୍ଡି, କୋବି ପରି କେତେ କଣ ଫଳାଉଥିଲୁ । ହେଲେ ଜଙ୍ଗଲୀ ଜନ୍ତୁ ସବୁ ନଷ୍ଟ କରି ଦେଉଥିଲେ । ପରେ ଚିନ୍ତା କଲୁ, ପନିପରିବା ବଦଳରେ ଫୁଲ ଚାଷ କଲୁ । ଆଉ ଏବେ ରୋଜଗାର କରିପାରୁଛୁ ହଜାର ହଜାର ଟଙ୍କା । " ପୁରୁଣା ଦିନ, ଆଉ ଆଜିର ଦିନକୁ ଏଭଳି ତୁଳନା କରନ୍ତି ଫୁଲ ଚାଷୀ ପ୍ରମୋଦ ବାରିକ ।
ବଣ ଜଙ୍ଗଲ ଘେରା ଅଙ୍କାବଙ୍କା ରାସ୍ତା । ଦୁଇ ପାକରେ ଧାଡ଼ି ଧାଡ଼ି ଗଛ । ଏଇ ରାସ୍ତା କଡ଼ରେ ଲଗାଯାଇଛି ଏକ ସାଇନ ବୋର୍ଡ । ସେଥିରେ ଲେଖା ଅଛି ‘ସନାତନପାଲି ଆପଣଙ୍କୁ ସ୍ବାଗତ କରୁଛି’ । ଏହି ଗାଁର ଚାଷୀଙ୍କ କାହାଣୀ ଆପଣଙ୍କୁ ବୁଝାଇ ଦେବ ଅଭିଶାପକୁ କିପରି ଆଶୀର୍ବାଦରେ ପରିଣତ କରାଯାଏ । ବିପରୀତ ପରିସ୍ଥିତି କିପରି ନୂଆ ରାହା ସୃଷ୍ଟି କରାଯାଏ । ଏଇ ଯେମିତି ଚାଷୀ ପ୍ରମୋଦ ବାରିକ କୁହନ୍ତି, "ଯେଉଁ ଜଙ୍ଗଲ ଜମି ଦିନେ ରୋଜଗାର ଛଡ଼ାଇ ନେଉଥିଲା ତାହା ଏବେ ପାଲଟିଛି ଚାଷୀ ହସର କାରଣ । " ଏସବୁ କେମିତି ସମ୍ଭବ ହେଲା, ଜାଣନ୍ତୁ...
ସମ୍ବଲପୁରରୁ ସନାତନପାଲି ...
ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଘେନୁପାଲି ପଞ୍ଚାୟତର ସନାତନପାଲି ଗାଁ । ସମ୍ବଲପୁର ସହରରୁ ଦେବଗଡ଼ ଯିବା ମୁଖ୍ୟ ରାସ୍ତାରେ ଗଲେ ପ୍ରଥମେ ନୀଳଡୁଙ୍ଗରି ଟୋଲ ପ୍ଲାଜା ପରେ ପରେ ଡାହାଣ ପାର୍ଶ୍ଵକୁ ପ୍ରାୟ 2 କିଲୋମିଟର ଗଲେ ପଡ଼ିବ ଏହି ଗାଁ l ସମ୍ବଲପୁର ସହରରୁ ପ୍ରାୟ 19 କିଲୋମିଟର ଦୂର l ଗାଁଟି ବଣ ଜଙ୍ଗଲ ଘେରା । ଏଠାରେ ଲୋକେ ମୁଖ୍ୟତଃ ଧାନ ଓ ପନି ପରିବା ଚାଷ କରୁଥିଲେ l ମାତ୍ର ଜଙ୍ଗଲୀ ଜନ୍ତୁ ହାତୀ ଓ ବାରହା ଫସଲ ନଷ୍ଟ କରି ପକାଉଥିଲେ । ଏଥିପାଇଁ ଜଙ୍ଗଲ ନିକଟ ଜମି ପ୍ରାୟତଃ ଚାଷ ନହୋଇ ଖାଲି ପଡ଼ି ରହୁଥିଲା l ଏହି ସମସ୍ୟାର ସମାଧାନ ପାଇଁ ଶେଷରେ ଗାଁ ଲୋକେ ଆରମ୍ଭ କରିଥିଲେ ଗେଣ୍ଡୁଫୁଲ ଚାଷ l
ଜଙ୍ଗଲ ଜମି କିପରି ପାଲଟିଲା ଆଶୀର୍ବାଦ ?
ସନାତନପାଲି ଏକ ବଣ ଜଙ୍ଗଲ ଘେରା ଗାଁ । ଗାଁକୁ ଘେରି ରହିଛି ଜଙ୍ଗଲ । ଜଙ୍ଗଲକୁ ଲାଗି ରହିଛି ଜମି । ଏହି ଜଙ୍ଗଲ ଜମିରୁ ଚାଷୀ ପାଇଛି ଖୁସିର ସମ୍ଭାର । ଦିନ ଥିଲା ସନାତନପାଲି ଗାଁର ଲୋକେ ପନିପରିବା ଚାଷ କରୁଥିଲେ । ଆଶା ରହୁଥିଲା ଏହି ଚାଷରୁ ଭଲ ରୋଜଗାର ହେବ । ପରିବାର ଚଳିବ । ହେଲେ ଜମିକୁ ଲାଗି କି ଜଙ୍ଗଲ ରହିଥିବାରୁ ଚାଷୀଙ୍କ ଆଶାକୁ ଧୂଳିସାତ କରିଦେଉଥିଲେ ବାରହା, ହାତୀ ପରି ଅନେକ ଜଙ୍ଗଲୀ ଜନ୍ତୁ । ଜଙ୍ଗଲୀ ଜନ୍ତୁ ପନିପରିବା ନଷ୍ଟ କରି ଦେଉଥିଲେ । ଫଳରେ ଚାଷୀମାନେ ଚିନ୍ତାରେ ପଡିଲେ । କଣ କରିବେ କଣ ନାହିଁ । ଦେଖିଲେ ଗାଁର କିଛି ଚାଷୀ ଫୁଲ ଚାଷ କରୁଛନ୍ତି । ସେମାନେ ବି ମନ ବଳାଇଲେ ପନିପରିବା ଚାଷରୁ ଗେଣ୍ଡୁ ଫୁଲ ଚାଷ କଲେ । ଆଉ ଏଥିରୁ ଭଲ ଲାଭ ମଧ୍ୟ ପାଇଲେ । ଯେଉଁ ଚାଷକୁ ନେଇ ଦିନେ ଚିନ୍ତାରେ ପଡିଥିଲେ, ସେହି ଚାଷ ଏବେ ଆଣିଦେଇଛି ଅମାପ ଖୁସି ।
![Sambalpur Sanatanpali Village](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_203.jpg)
କାହିଁକି ଜଙ୍ଗଲ ଜନ୍ତୁ ଆଉ ନଷ୍ଟ କରୁନାହାନ୍ତି ଚାଷ ?
ପୂର୍ବରୁ ଏହି ଜମିରେ ବାଇଗଣ, କୋବି, ଭେଣ୍ଡି ପରି ନାନା ପନିପରିବା ଚାଷ କରୁଥିଲେ ଏଠାକାର ଚାଷୀ । ଫସଲ ଖାଇବା ଆଶାରେ ଆସି ଜମି ଓ ଫସଲ ନଷ୍ଟ କରିଦେଉଥିଲେ ଜନ୍ତୁ । ହେଲେ ବର୍ତ୍ତମାନ ଚାଷୀ ଫୁଲ ଚାଷ କରୁଛନ୍ତି । ଚାଷୀଙ୍କ କହିବା କଥା, "ଜଙ୍ଗଲୀ ଜନ୍ତୁ ଫୁଲ ଚାଷ ନଷ୍ଟ କରନ୍ତି ନାହିଁ । କେବଳ ହିଡ ପାଖକୁ ଯାଆନ୍ତି କିନ୍ତୁ ଭିତରକୁ ଯାଇ ଫୁଲ ନଷ୍ଟ କରନ୍ତି ନାହିଁ । ଫଳରେ ଏବେ ଜନ୍ତୁଙ୍କଠୁ ସୁରକ୍ଷିତ ରହୁଛି ଫୁଲ ଚାଷ ।"
କେତେ ଏକରରେ ହୋଇଛି ଗେଣ୍ଡୁ ଚାଷ ?
ସନାତନପାଲି ଗାଁରେ 15 ରୁ 20 ଚାଷୀ ପାଖାପାଖି 25 ଏକର ଜମିରେ ଗେଣ୍ଡୁଫୁଲ ଚାଷ କରୁଛନ୍ତି l ଚାଷୀ ପ୍ରମୋଦ ବାରିକଙ୍କ କହିବା ଅନୁସାରେ, ଏକର ପ୍ରତି 3 ରୁ 4 କ୍ୱିଣ୍ଟାଲ ଫୁଲ ଉତ୍ପାଦନ ହେଉଛି l ଜୁନ ମାସରେ ଚାରା ଲଗେଇଲେ ଅକ୍ଟୋବର ମାସରୁ ଫୁଲର ଉତ୍ପାଦନ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ l ପାର୍ବଣ ଋତୁରେ ଫୁଲ କେଜି ପିଛା 120 ରୁ 150 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି l
କେଉଁଠି କି ପଠାଯାଉଛି ଫୁଲ ?
ସନାତନପାଲି ଗାଁ ତଥା ଆଖ ପାଖ ଗାଁରୁ ସମ୍ବଲପୁର, ଝାରସୁଗୁଡା ତଥା ବ୍ରହ୍ମପୁରକୁ ପ୍ରତ୍ୟେକ ଦିନ 7 ରୁ 10 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଫୁଲ ପଠାଯାଉଛି l ଚାଷୀଙ୍କଠାରୁ କେଜି ପିଛା 60ରୁ 120 ଟଙ୍କା ପର୍ଯ୍ୟନ୍ତ ଫୁଲ କିଣା ଯାଉଛି l
ଫୁଲ ଚାଷରେ କେତେ ରୋଜଗାର କରୁଛନ୍ତି ଚାଷୀ ?
‘ପନିପରିବା ଗୋଟେ ଏକରରେ 15 ରୁ 20 ହଜାର ଟଙ୍କା ହେଉଥିଲା ରୋଜଗାର । ଗୋଟିଏ ଏକରରେ ଫୁଲ ଚାଷ କଲେ ତିନି ମାସରେ 50 ହଜାରରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର ହେଉଛି’ ବୋଲି ଚାଷୀ ନିରାକାର ପ୍ରଧାନ କହିଛନ୍ତି ।
![Marigold Cultivation](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_0.jpg)
ଦିନେ ୨ ଜଣ ଚାଷୀ କରୁଥିଲେ ଗେଣ୍ଡୁ ଚାଷ, ଏବେ ଟପିଲାଣି ୧୦୦୦ :
ପ୍ରଥମେ 2 ରୁ 4 ଜଣ ଚାଷୀ ଫୁଲ ଚାଷ ଆରମ୍ଭ କରିଥିଲେ । ତାପରେ ସନାତନପାଲି ଗାଁର 20 ରୁ 25 ଜଣ ଚାଷୀ ଫୁଲ ଚାଷ କଲେ l ପରେ ଆଖ ପାଖ ଗାଁର ଲୋକେ ମଧ୍ୟ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି । ଏପରି ହୋଇ 1000 ଉପରେ ଚାଷୀ ଏବେ ଗେଣ୍ଡୁଫୁଲ ଚାଷ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: |
ଗଠନ ହୋଇଛି FPO:
ଗାଁରେ ଫୁଲ ଚାଷ ବୃଦ୍ଧି ପାଇବା ପରେ ଗାଁର ଚାଷୀମାନେ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ନାମକ ଏକ FPO (Farmer Producer Organization) ଗଠନ କଲେ । ଏହା ସହ ଆଖ ପାଖର ଚାଷୀଙ୍କୁ ଯୋଡି ଚାଷୀଙ୍କୁ ଚାରା ଯୋଗେଇବାରେ ସହାୟତା କରିବା ସହ ଉତ୍ପାଦନ ବଢ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ଏହି FPO ସହ ବର୍ତ୍ତମାନ 3500 ଚାଷୀ ପ୍ରତ୍ୟେକ୍ଷରେ ହେଉ କି ପରୋକ୍ଷରେ ଲାଭବାନ ହେଉଛନ୍ତି l ଦୈନିକ 7 ରୁ 10 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଗେଣ୍ଡୁ ଫୁଲ ବିଭିନ୍ନ ସ୍ଥାନକୁ ଯାଉଛି l
ଚାଷୀଙ୍କୁ ସହାୟତା କରୁଛି NBRI:
ଲୋକଙ୍କୁ ଫୁଲ ଚାଷ କରିବାରେ ସହାୟତା କରୁଛି ଲକ୍ଷ୍ନୌର National Botanical Research Institute (NBRI) ସହାୟତା କରୁଛି l ଏହି ଗାଁର କେତେକ ଚାଷୀ ଉଦ୍ୟାନ କୃଷି ଉପରେ ଏକ FPO ପଞ୍ଜିକରଣ କରିଥିବା ବେଳେ ଏହା ସହ NBRIର ଏକ ଏମଓୟୁ ହୋଇଛି l ଏହା ଦ୍ୱାରା ଲକ୍ଷ୍ନୌର NBRI ଏହି ଚାଷୀଙ୍କୁ ତାଲିମ ଦେବା ସହ ଉତ୍ତମ ମାନର ଚାରା ଯୋଗେଇ ଦେଉଛି l ଏହା ସହ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ମଧ୍ୟ ଚାଷୀଙ୍କୁ ଏକ ୟୁନିଟ ମାନେ 25 ଡ଼ିସିମିଲ ପାଇଁ 857ଟି ଚାରା ଗଛ 1 ଟଙ୍କା 40 ପଇସା ଦରରେ ଯୋଗେଇ ଦେଉଛି l ଏହା ସହ ଉତ୍ପାଦନ ହେଲା ପରେ କାଗଜପତ୍ର ପଇଠ କଲେ ଉଦ୍ୟାନ କୃଷି ବିଭାଗ ଚାଷୀମାନଙ୍କୁ ଚାରା କିଣା ଖର୍ଚ୍ଚ ସବୁ ଫେରେଇ ଦେଉଛି, ବୋଲି କହିଛନ୍ତି ଚାଷୀ ପ୍ରମୋଦ ବାରିକ l
![ଗେଣ୍ଡୁଫୁଲ](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_638.jpg)
ଚାଷୀ କହିଲେ ଫୁଲ ଚାଷ କରିବା ପଛର କାରଣ:
ଗାଁର ଜଣେ ଚାଷୀ ନିରାକାର ପ୍ରଧାନ କହିଛନ୍ତି, ‘ଆମେ ପ୍ରଥମେ ପନିପରିବା ଚାଷ କରୁଥିଲୁ l ଏହି ପାଖରେ ଜଙ୍ଗଲ ଅଛି, ଆଉ ଜଙ୍ଗଲରୁ ବାରହା ଆଦି ଜନ୍ତୁ ଆସି ସବୁ ନଷ୍ଟ କରି ଦେଉଥିଲେ l ସେଥିପାଇଁ ଆମେ ଏବେ ଫୁଲ ଚାଷ ଆଡକୁ ମୁହାଇଲୁ l ଆଉ ଫୁଲ ଚାଷକୁ ବାରହା ଏତେ କ୍ଷତି କରୁ ନାହାନ୍ତି l ସେଥିପାଇଁ ଆମେ ଫୁଲ ଚାଷ କରିବା ଆରମ୍ଭ କଲୁ l
ଏଥିପାଇଁ ଫୁଲଚାଷ ପାଇଁ ଆଗ୍ରହୀ ଚାଷୀ:
ଗାଁର ଅନ୍ୟ ଜଣେ ଚାଷୀ ପ୍ରମୋଦ ବାରିକ କହିଛନ୍ତି, ‘ପୂର୍ବରୁ ବାଇଗଣ, ଭେଣ୍ଡି, କୋବି ଇତ୍ୟାଦି ପନିପରିବା ଚାଷ କରୁଥିଲୁ l ସେତେବେଳେ ଆମେ ଦେଖିଲୁ ଯେ ଆମ ଏହି ଅଞ୍ଚଳରେ ହାତୀ, ବାରହା ଇତ୍ୟାଦି ବନ୍ୟଜନ୍ତୁଙ୍କ ଉପଦ୍ରଵ ପାଇଁ ଆମକୁ ବହୁତ ଅସୁବିଧା ହେଲା l ଆଉ ସେଥିପାଇଁ ଆମେ କେତେକ ଚାଷୀ ଫୁଲ ଚାଷ କରୁଥିବାର ଦେଖି ଆମେ ଫୁଲ ଚାଷ କରୁଛୁ l ଆଉ ବର୍ତ୍ତମାନ ଆମେ ଦେଖିଲୁ ଯେ ବର୍ତ୍ତମାନ କିଛି ଅସୁବିଧା ହେଉ ନାହିଁ କିମ୍ବା ବନ୍ୟଜନ୍ତୁଙ୍କ ଭୟ ରହୁନାହିଁ l ଏହା ସହ ଆମ ଅଞ୍ଚଳରେ ଫୁଲର ମାର୍କେଟ ମଧ୍ୟ ଭଲ ରହିଛି ସେଥିପାଇଁ ଆମେ ଫୁଲ ଚାଷ ଉପରେ ଆଗ୍ରହୀ ହୋଇଛୁ l"
ସମ୍ବଲପୁରରେ ଓଡ଼ିଶାର ପ୍ରଥମ FPO:
ଏହି FPOର ପ୍ରମୁଖ ସଦସ୍ୟ ମନବୋଧ ବାରିକ କହିଛନ୍ତି, "ପ୍ରଥମେ ଆମ ଗାଁର 2 ରୁ 4 ଜଣ ଚାଷୀ ଫୁଲ ଚାଷ ଆରମ୍ଭ କଲୁ । ତାପରେ ଆମ ଗାଁର 20ରୁ 25 ଜଣ ଚାଷୀ ଫୁଲ ଚାଷ ଆରମ୍ଭ କଲେ l ପରେ ଆଖପାଖ ଗାଁର ଲୋକେ ମଧ୍ୟ ଗେଣ୍ଡୁ ଫୁଲ ଚାଷ ଆରମ୍ଭ କଲେ l ଏହାକୁ ଦେଖି ଆମେ ସବୁଜ ସନାତନପାଲି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ନାମରେ ଏକ FPO (Farmer Producer Organization) ଗଠନ କଲୁ, ଉଦ୍ୟାନ କୃଷିକୁ ନେଇ ଆମେ ଏହାର ପଞ୍ଜିକରଣ କଲୁ l ଓଡିଶାରେ ପ୍ରଥମ FPO ଭାବେ ଏହାକୁ ଉଦ୍ୟାନ କୃଷି ଉପରେ ପଞ୍ଜିକରଣ ହୋଇଛି l ଆଉ 60 ଜଣ ଚାଷୀକୁ ନେଇ ଏହା ଆରମ୍ଭ କରିଥିଲୁ ଆଉ ବର୍ତ୍ତମାନ 1187 ଜଣ ସେୟାର ହୋଲଡର ଚାଷୀ ଯୋଡି ହୋଇଛନ୍ତି l ଆଉ ଏହି FPOରୁ ଜୁଜୁମୁରା ବ୍ଲକର 3500 ଚାଷୀ ପ୍ରତ୍ୟକ୍ଷ ବା ପରୋକ୍ଷରେ ଲାଭବାନ ହେଉଛନ୍ତି l
![Water For Cultivation](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_108.jpg)
- ଓଡିଶାରେ ପ୍ରଥମ FPO ଭାବେ ଉଦ୍ୟାନ କୃଷି ଉପରେ ପଞ୍ଜିକରଣ
- ଆରମ୍ଭରେ 60 ଜଣ ଚାଷୀ ସେୟାର ହୋଲ୍ଡର ଥିଲେ
- ବର୍ତ୍ତମାନ 1187 ଜଣ ସେୟାର ହୋଲଡର ଚାଷୀ ଯୋଡ଼ି ହୋଇଛନ୍ତି
- FPOରୁ ଜୁଜୁମୁରା ବ୍ଲକର 3500 ଚାଷୀ ଲାଭବାନ
ଭଲ ଚାଷ ପାଇଁ ତାଲିମ ନେଉଛନ୍ତି ଚାଷୀ:
ଚାଷୀ ମନବୋଧ ବାରିକ ଆହୁରି କହିଛନ୍ତି, ‘ଲକ୍ଷ୍ନୌରେ ଅବସ୍ଥିତ NBRI ସହ FPOର MOU ହୋଇଛି, ପୂର୍ବରୁ ଭଲ ଫୁଲ ଚାରା ମିଳୁନଥିଲା ତେବେ ପରେ ସେମାନେ ଆମକୁ ଭଲ ଫୁଲ ଚାରା ଯୋଗେଇ ଦେଉଛନ୍ତି l ସେଠାରୁ ନିର୍ଦେଶକ ମଧ୍ୟ ଆସି ଆମ ସହ ବୈଠକ କରିଥିଲେ l ସେଠାରୁ ବୈଜ୍ଞାନିକ ମାନେ ମଧ୍ୟ ଆସି ଆମକୁ ସହାୟତା କରୁଛନ୍ତି l ଏହା ସହ ଆମ ଚାଷୀଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଓ ଉଦ୍ୟାନ କୃଷି ବିଭାଗକୁ ମଧ୍ୟ ତାଲିମ ପାଇଁ ପଠାଯାଉଛି l ଆମର ଏଫପିଓ ଚାଷୀଙ୍କୁ ମାର୍କେଟିଂ କରିବାରେ ସହାୟତା କରିବା ସହ ଚାରା ମଧ୍ୟ ଯୋଗେଇବାରେ ସହାୟତା କରୁଛି ।’
![Marigold Farming In Sambalpur Sanatanpali](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_542.jpg)
25 ଡ଼ିସିମିଲ ଜମି ପାଇଁ ଦିଆଯାଉଛି 857ଟି ଚାରା:
ଜୁଜୁମୁରା ଉଦ୍ୟାନ କୃଷି ବିଭାଗ ଓଭରସିୟର କୁନି ମେହେର କହିଛନ୍ତି, ‘ସନାତନପାଲିର FPO ଗ୍ରୁପ ଆମ ପାଖରୁ ଗେଣ୍ଡୁଫୁଲ ଚାରା ନିଅନ୍ତି l କିଛିଟା ମାଗଣାରେ ନିଅନ୍ତି ଓ କିଛି ଚାରାକୁ 1 ଟଙ୍କା 40 ପଇସା ଦରରେ ନିଅନ୍ତି l ସେଇଠୁ ଯେଉଁ ଫୁଲ ଆମଦାନୀ ହେଉଛି ତାର ମାର୍କେଟିଙ୍ଗ ସୁବିଧା ମଧ୍ୟ ସେମାନେ କରୁଛନ୍ତି l ଆମେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗୋଟିଏ ୟୁନିଟ (25 ଡ଼ିସିମିଲ) ଜମି ପାଇଁ 857ଟି ଚାରା ଦେଉଛୁ l ଆମର ବିଭିନ୍ନ ସ୍କିମରେ ଚାରା ଦେଉଛୁ l ଚାରା ଗୋଟାକୁ 1ଟଙ୍କା 40 ପଇସା ହିସାବରେ ଦେଉଛୁ l ପରେ ଚାରା ଗଛରୁ ଫୁଲ ଉତ୍ପାଦନ ହେଲା ପରେ ତାର ଫଟୋ ପଇଠ କରାଗଲେ ଚାଷୀଙ୍କ ଖାତାକୁ ଟଙ୍କା ଫେରସ୍ତ ହୋଇଥାଏ l’
ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସନାତନପାଲି ଚାଷୀ:
ବନ୍ୟଜନ୍ତୁ ଚାଷ କାର୍ଯ୍ୟ ନଷ୍ଟ କରିବା ସାଧାରଣତଃ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ । ବିଶେଷ କରି ହାତୀ ପଲ ଅଧିକାଂଶ ସମୟ ଫସଲ ନଷ୍ଟ କରୁଥିବା ନଜିର ରହିଛି । ଧାନ ଫସଲଠୁ ନେଇ ପନିପରିବା ଫସଲକୁ ନଷ୍ଟ କରି ଦିଅନ୍ତି । ଯାହାକି ଅଧିଂକାଶ ସମୟ ଖବର ଶିରୋନାମାରେ ରୁହେ । ଜଙ୍ଗଲ ଜନ୍ତୁଙ୍କୁ କବଳରୁ କିପରି ଚାଷକୁ ବଞ୍ଚାଇବେ ଚାଷୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ । ଏପରି ସ୍ଥିତିରେ ସନାତନପାଲି ଚାଷୀ । ପରିସ୍ଥିତିକୁ ସାମ୍ନା କଲେ । ପନିପରିବା ବଦଳରେ ଫୁଲ ଚାଷ କରି ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ଆଖ ପାଖ ଗାଁ ଲୋକେ ମଧ୍ୟ ପ୍ରେରିତ ହେଲେ । ଯାହାକି ଅନ୍ୟପାଇଁ ଉଦାହରଣ ।
![ଗେଣ୍ଡୁଫୁଲ](https://etvbharatimages.akamaized.net/etvbharat/prod-images/17-02-2025/od-sam-01-wild-animal-disturbance-creat-floweryculture-avb-7202776_14022025184233_1402f_1739538753_638.jpg)
ସନାତନପାଲି ଗାଁ ଅନ୍ୟକୁ କଣ ଦେଲା ଶିକ୍ଷା ?
- ଜଙ୍ଗଲ ଜମି ବି କରିପାରେ ଲାଭବାନ
- ଯେଉଁ ସ୍ଥାନରେ ଅଧିକ ପରିମାଣରେ ପନିପରିବା ଚାଷ ନଷ୍ଟ କରୁଛନ୍ତି ବନ୍ୟଜନ୍ତୁ । ସେଠାରେ ଫୁଲ ଚାଷ କରାଯାଇପାରେ ।
- ସାଧାରଣତଃ ଫୁଲ ଚାଷ ନଷ୍ଟ କରନ୍ତିନି ବନ୍ୟଜନ୍ତୁ
- ପରିସ୍ଥିତିରେ ଭାଙ୍ଗି ପଡିବା ଉଚିତ ନୁହେଁ ର୍ଦୁଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ଆବଶ୍ୟକ
ରୋଜଗାର ଦେଇଛି ଷ୍ଟ୍ରବେରୀ, ୟୁଟ୍ୟୁବରୁ ଶିଖି ସଫଳ ଚାଷୀ ପାଲଟିଛନ୍ତି ସୁରେନ୍ଦ୍ର - STRAWBERRY FARMINGନୟାଗଡ଼ ମାଟିରେ ଫଳିଲା ଷ୍ଟ୍ରବେରୀ, ଯୁବପିଢ଼ିଙ୍କୁ ପ୍ରେରଣା ଦେଲେ ନୌସେନା ଅଧିକାରୀ - STRAWBERRY FARMING |
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ, ଇଟିଭି ଭାରତ