ହାଇଦ୍ରାବାଦ: ଇନଷ୍ଟାଗ୍ରାମ କମେଣ୍ଟ ସେକ୍ସନ ପାଇଁ ଏକ ନୂତନ 'ଡିସଲାଇକ୍' ବଟନ୍ ଉପରେ ପରୀକ୍ଷା କରୁଛି । ଏନେଇ ଖୋଦ ଇନଷ୍ଟାଗ୍ରାମ ସିଇଓ ଏଡମ୍ ମୋସେରୀ ଶୁକ୍ରବାର ସ୍ପଷ୍ଟ କରିଛନ୍ତି । ଏକ ଥ୍ରେଡ୍ସ ପୋଷ୍ଟରେ ମୋସେରୀ କହିଛନ୍ତି ଯେ ଏହି ଫିଚର ଉପଭୋକ୍ତାଙ୍କୁ ଏକ କମେଣ୍ଟକୁ ନାପସନ୍ଦ କିମ୍ବା ଡାଉନଭୋଟ୍ କରିବାକୁ ଅନୁମତି ଦେବ । ଯାହାଦ୍ବାରା ପ୍ଲାଟଫର୍ମଟି ଅଧିକ ସ୍ବାଗତଯୋଗ୍ୟ ଏବଂ ବନ୍ଧୁତ୍ବପୂର୍ଣ୍ଣ ହୋଇପାରିବ ।
ଗତ ମାସରେ, ଆପ୍ ରିସର୍ଚ୍ଚର ଆଲେସାଣ୍ଡ୍ରୋ ପାଲୁଜି ଏହି ଅପଡେଟକୁ ଦେଖିଥିଲେ ଯାହା ବର୍ତ୍ତମାନ କମ୍ପାନୀ ଦ୍ବାରା ଆନୁଷ୍ଠାନିକ ଭାବରେ ସ୍ବୀକୃତ ହୋଇଛି । ଏହି ଡିସଲାଇକ୍ ଫିଚର ଉଭୟ ଫିଡ୍ ପୋଷ୍ଟ ଏବଂ ରିଲ୍ରେ ଦୃଶ୍ୟମାନ ହେବ । ଯାହାଦ୍ବାରା ୟୁଜର କିଛି କମେଣ୍ଟକୁ ନାପସନ୍ଦ କରୁଥିଲେ ଏହାକୁ ଡିସଲାଇକ୍ ବଟନ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିପାରିବେ ।
#Instagram is working on the ability to dislike comments 👀 pic.twitter.com/OjOb6IQaoI
— Alessandro Paluzzi (@alex193a) January 18, 2025
କାହିଁକି ଆସୁଛି 'ଡିସଲାଇକ୍' ବଟନ୍ ?
ଏଡମ୍ ମୋସେରୀ ଏକ ଥ୍ରେଡ୍ ପୋଷ୍ଟରେ କହିଛନ୍ତି, "ଆପଣମାନଙ୍କ ମଧ୍ୟରୁ କେତେକ ହୁଏତ ଦେଖିଥିବେ ଯେ ଆମେ ଇନଷ୍ଟାଗ୍ରାମରେ କମେଣ୍ଟଗୁଡିକ ନିକଟରେ ଏକ ନୂତନ ବଟନ୍ ପରୀକ୍ଷା କରୁଛୁ । ଏହା ୟୁଜର ବ୍ୟକ୍ତିଗତ ଭାବେ ଜାଣିପାରିବେ ଯେ ସେହି ନିର୍ଦ୍ଦିଷ୍ଟ କମେଣ୍ଟକୁ କିଛି ନାପସନ୍ଦ କରିଛନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି: ଏହା ଏକ ପରୀକ୍ଷା, କୌଣସି ଡିସଲାଇକ୍ କାଉଣ୍ଟ ହେବ ନାହିଁ ବା ଆପଣ ବଟନ୍ ଟ୍ୟାପ୍ କଲେ କେହି ଜାଣିପାରିବେ ନାହିଁ । ଡିସଲାଇକ୍ କମେଣ୍ଟଗୁଡିକୁ ନିମ୍ନକୁ ଘୁଞ୍ଚାଇବା ପାଇଁ ଆମେ ଏହି ସଙ୍କେତକୁ କମେଣ୍ଟ ସେକ୍ସନରେ ଆଣିବୁ । ଆମର ଆଶା ଏହି ଫିଚର ଇନଷ୍ଟାଗ୍ରାମରେ କମେଣ୍ଟକୁ ଅଧିକ ବନ୍ଧୁତ୍ବପୂର୍ଣ୍ଣ କରିବାରେ ସାହାଯ୍ୟ କରିପାରେ ।"
ଡିସଲାଇକ୍ ହେଲେ ଜାଣିପାରିବେନି କମେଣ୍ଟ କରିଥିବା ବ୍ୟକ୍ତି
ଇନଷ୍ଟାଗ୍ରାମ ସିଇଓଙ୍କ ଅନୁଯାୟୀ ଯଦି ଜଣେ ୟୁଜର ନାପସନ୍ଦ ବଟନ୍କୁ ହିଟ୍ କରୁଛନ୍ନ୍ତି, ତେବେ ସେମାନଙ୍କର ପରିଚୟ କମେଣ୍ଟ ଦେଇଥିବା ୟୁଜରଙ୍କୁ ସୂଚିତ କରାଯିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣ 'ନାପସନ୍ଦ' ବଟନ୍ ଟ୍ୟାପ୍ କରନ୍ତି, କମେଣ୍ଟ ଦେଇଥିବା ୟୁଜର (Comment Author) ଜାଣିପାରିବେ ନାହିଁ । ଏହାସହ ଯଦି ଏକାଧିକ ୟୁଜର ଉକ୍ତ କମେଣ୍ଟକୁ ନାପସନ୍ଦ କରନ୍ତି ତେବେ ସେହି କମେଣ୍ଟଟି ତଳକୁ ଖସିଯିବ । ଏହା "ଇନଷ୍ଟାଗ୍ରାମରେ ମନ୍ତବ୍ୟକୁ ଅଧିକ ବନ୍ଧୁତ୍ବପୂର୍ଣ୍ଣ କରିବାରେ ସାହାଯ୍ୟ କରିବ" ବୋଲି ମୋସେରୀ କହିଛନ୍ତି ।
କେତେ ଲାଭଦାୟକ ଡିସଲାଇକ୍ ବଟନ୍ ?
ଡିସଲାଇକ୍ ବଟନ୍ ଫିଚର ଇନଷ୍ଟାରେ କମେଣ୍ଟଗୁଡ଼ିକର ଗୁଣବତ୍ତା ବୃଦ୍ଧି କରିବ । ଏହା ଉଭୟ ଭ୍ୟୁଅର ଓ କଣ୍ଟେଣ୍ଟ କ୍ରିଏଟରଙ୍କ ଲାଗି ସହାୟକ ହେବ । ଏହି ଫିଚର ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କୁ ନକାରାତ୍ମକତାଠାରୁ ଦୂରେଇ ରଖିବ ବୋଲି ଆଶା କରାଯାଉଛି । ଡାଉନଭୋଟେଡ୍ କମେଣ୍ଟଗୁଡିକ ତଳକୁ ଖସିବା ପରେ କମେଣ୍ଟ ସେକ୍ସନ ଅଧିକ ବନ୍ଧୁତ୍ବପୂର୍ଣ୍ଣ ହୋଇପାରିବ ।