କନକ ବର୍ଦ୍ଧନ ସିଂହଦେଓ-ମୁକେଶ ମହାଲିଙ୍ଗଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ, ବଲାଙ୍ଗୀରରେ ସେଲିବ୍ରେସନ - CELEBRATION IN BALANGIR - CELEBRATION IN BALANGIR
🎬 Watch Now: Feature Video
Published : Jun 13, 2024, 1:57 PM IST
ବଲାଙ୍ଗୀର: ରାଜ୍ୟରେ ଆରମ୍ଭ ହୋଇଛି ମୋହନ ସରକାର । ଏପରି ସମୟରେ ମନ୍ତ୍ରିମଣ୍ଡଳର ସଦସ୍ୟ ହୋଇଛନ୍ତି ଅନେକ ବିଜେପି ନେତା । ଜିଲ୍ଲାର ଦୁଇ ଦିଗ୍ଗଜ ନେତା ମନ୍ତ୍ରୀ ପଦ ପାଇବା ସହ ଶପଥ ନେଇଛନ୍ତି । ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉପ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଶପଥ ପାଠ କରିଛନ୍ତି । ଯାହା ପରେ ଏବେ ବଲାଙ୍ଗୀରରେ ଖୁସିର ମାହୋଲ ରହିଥିବା ବେଳେ ତାଙ୍କ ସମର୍ଥକ ଓ କର୍ମୀ ମିଠା ବାଣ୍ଟିବା ସହ ବାଣ ଫଟାଇ ସେଲିବ୍ରେସନ କରିଛନ୍ତି । ଏଥିସହ ବର୍ତ୍ତମାନ ଜିଲ୍ଲାର ବିକାଶ ହେବା ସହ ସମସ୍ତ ଆଶା ପୂରଣ ହେବ ବୋଲି ଖୁବ ଆଶାବାଦୀ ହୋଇଛନ୍ତି ଲୋକେ ।
ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ନାତି ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ୬ଥର ପାଇଁ ପାଟଣାଗଡ ବିଧାୟକ ଭାବରେ ନିର୍ବାଚିତ ହୋଇ ଆସିଛନ୍ତି । ପୂର୍ବରୁ ଦୁଇ ଥର ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ବିଜେପିରେ ଦୀର୍ଘ 35ବର୍ଷରୁ ସେ ଏଠି ବିଜେପିର ଏକ ଦୃଢ ସଂଗଠକ ହୋଇଥିବା ବେଳେ ଦଳ ପାଇଁ ସେ ସବୁବେଳେ ଏଠି ଗେମଚେଞ୍ଜର ଭାବରେ ଜଣାଶୁଣା । ଏଭଳି ସ୍ଥଳେ ସେ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକଙ୍କ ଆଶା ଓ ଆକାଂକ୍ଷା ତାଙ୍କ ପ୍ରତି ଆହୁରି ବଢ଼ିଛି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ
ସେପଟେ ଲୋଇସିଂହା ବିଧାୟକ ଭାବରେ ଦୁଇ ଥର ଜିତି ଆସିଥିବା ଡାକ୍ତର ମୁକେଶ ମହାଳିଙ୍ଗ ପେଶାରେ ଜଣେ ପରିବେଶ ବୈଜ୍ଞାନିକ ହୋଇଥିବା ବେଳେ ସେ ଚାକିରି ଛାଡି ରାଜନୀତିକୁ ଆସି ବେଶ ସଫଳ ହୋଇଛନ୍ତି । ତେବେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ପୁଅ ଥିବା ବେଳେ ତାଙ୍କୁ ୨୭ ହଜାରରୁ ଅଧିକ ଭୋଟରେ ଏଥର ପରାଜିତ କରିଛନ୍ତି । ତେବେ ଏହି ଉଚ୍ଚ ଶିକ୍ଷିତ ପାର୍ଥିଙ୍କୁ ଏବେ ମନ୍ତ୍ରୀ ପଦ ମିଳିବା ପରେ ସାରା ବଲାଙ୍ଗୀରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବଲାଂଗୀରରେ ତାଙ୍କ ସମର୍ଥକ ତଥା ଜିଲ୍ଲାବାସୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଛୁଆ ବଲାଂଗୀର ଜିଲ୍ଲା ଆଗକୁ ବିକାଶ ଦେଖିବ ବୋଲି ସେମାନେ ଆଶାବାଦୀ ବୋଲି କହିଛନ୍ତି । ସେହିପରି ଡବଲ ଇଂଜିନର ଏହି ସରକାର ଆଗକୁ ବଲାଙ୍ଗୀରର ବିକାଶ ପ୍ରତି ଧ୍ୟାନ ଦେବ ଓ ଏହି ଦୁଇ ନେତା ତାର ପୁରୁଧା ହେବେ ବୋଲି ଏମାନେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର