ମାହେଶ୍ୱରୀଙ୍କ ପୀଠରେ ନାରାୟଣୀ ଦେବୀଙ୍କ ନବକଳେବର - Narayani Devi Nabakalebara - NARAYANI DEVI NABAKALEBARA
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 11, 2024, 9:59 AM IST
Narayani Devi Nabakalebara: ସୋନପୁର: ଚୈତ୍ର ମାସରେ ଶକ୍ତି ପୀଠ ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ପ୍ରତି ମଙ୍ଗଳବାରେ ଭିନ୍ନ ଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛି ମା' ମଙ୍ଗଳା । ସାଲେପୁର ଲେହେଁଡି ଗାଁର ଦେବୀ ମା' ମାହେଶ୍ୱରୀଙ୍କ ପୀଠରେ ବି ଚାଲିଛି ପୂଜା ଆରାଧନା । ପୀଠରେ ଚୈତ୍ର ଆରାଧନା ସାଙ୍ଗକୁ ଆୟୋଜିତ ହୋଇ ଯାଇଛି ଦେବୀ ମା' ନାରାୟଣୀଙ୍କ ନବକଳେବର ଉତ୍ସବ । ପ୍ରାୟ ପାଞ୍ଚ ଦଶକ ପୂର୍ବରୁ ପ୍ରାଚୀନ ମନ୍ଦିରରେ ଦେବୀ ମା' ନାରାୟଣୀଙ୍କ କାଷ୍ଠ ନିର୍ମିତ ଖମ୍ବ ପ୍ରତିମା ଘରପୋଡିରେ ନଷ୍ଟ ହୋଇ ଯିବା ପରେ ଦେବୀ ପ୍ରତୀମାଙ୍କ ପରିବର୍ତ୍ତନ କରାଯାଇଥିଲା । ଚଳିତ ବର୍ଷ ପୁଣି ଥରେ ନାରାୟଣୀଙ୍କ କାଷ୍ଠ ପ୍ରତୀମାର ନବକଳେବର ଉତ୍ସବ ପାଳନ କରାଯାଇ ପ୍ରତିଷ୍ଠା କରାଯାଇଛି ।
ଏହି ଅବସରରେ ଚୈତ୍ର ଶୁକ୍ଳ ଦଶମୀ ତିଥିରୁ ଚଣ୍ଡୀ ଯଜ୍ଞର ଆୟୋଜନ କରାଯାଇଥିଲା । ତିନି ଦିନ ପର୍ଯ୍ୟନ୍ତ ଶକ୍ତି ଆରାଧନା ସାଙ୍ଗକୁ ମା' ଦୁର୍ଗାଙ୍କ ପୂଜା ଆରାଧନା କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ସଂକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ, ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହଜ଼ାର ହଜ଼ାର ଶ୍ରଦ୍ଧାଳୁ ଚଣ୍ଡୀ ଯଜ୍ଞରେ ସାମିଲ ହୋଇ ଦେବୀ ଦର୍ଶନ କରିଥିଲେ । ମା’ ମାହେଶ୍ୱରୀ ଡୁମ୍ବାଲ ସମ୍ପ୍ରଦାୟର ଇଷ୍ଟ ଦେବୀ ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଡୁମ୍ବାଲ ସମ୍ପ୍ରଦାୟର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ଏହି ଉତ୍ସବରେ ସାମିଲ ହୋଇଥିଲେ । ମହେଶ୍ୱରୀଙ୍କ ଏହି ଶକ୍ତି ପୀଠ ସୋନପୁର ଗଡଜାତ ଶାସନ ସମୟରୁ ତାନ୍ତ୍ରିକ ଶକ୍ତି ପୀଠ ଭାବେ ପରିଚୟ ପାଇଥିଲା । ପ୍ରତିଷ୍ଠା ପର୍ବରେ ଦେବୀ ମାହେଶ୍ୱରୀଙ୍କ ସେବାୟତ ଓ ପୁରୋହିତ କାୟ ମନୋବାକ୍ୟରେ ନିଷ୍ଠାର ସହିତ ସାମିଲ ହୋଇ ନାରାୟଣୀଙ୍କ ଖମ୍ବ ପ୍ରତିମାଙ୍କ ପୁନଃ ପ୍ରତିଷ୍ଠା କରିଥିଲେ।
ଇଟିଭି ଭାରତ, ସୋନପୁର