କଡା ସୁରକ୍ଷା ବଳୟରେ ପୁରୀରେ ଗଣତି ଆରମ୍ଭ, ୧୫ ପ୍ଲାଟୁନ ଫୋର୍ସ ମୁତୟନ - Lok Sabha Election results 2024

By ETV Bharat Odisha Team

Published : Jun 4, 2024, 9:32 AM IST

thumbnail
କଡା ସୁରକ୍ଷା ବଳୟରେ ପୁରୀରେ ଗଣତି ଆରମ୍ଭ, ୧୫ ପ୍ଲାଟୁନ ଫୋର୍ସ ମୁତୟନ (ETV Bharat Odisha)

ପୁରୀ: ଖୋଲିଲା ଇଭିଏମ୍ ସିଲ୍  । ପୁରୀ ଜିଲ୍ଲାର ଗୋଟିଏ ଲୋକସଭା ସହ ୭ ବିଧାନସଭା ଆସନ ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି  । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି  । ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ଗଣତି କେନ୍ଦ୍ରରେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ବ୍ରହ୍ମଗିରି, ନିମାପଡା, କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି କରାଯାଉଛି  । ଶାନ୍ତି ଶୃଙ୍ଖଳାର ସହ ଗଣତି ପ୍ରକ୍ରିୟା ଶେଷ କରିବା ପାଇଁ କେନ୍ଦ୍ର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିଛି ସମ୍ପୂର୍ଣ୍ଣ କେନ୍ଦ୍ର  । ୨ଟି କେନ୍ଦ୍ରରେ ୩ଟି କାଉଣ୍ଟିଂ ହଲ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୨ କମ୍ପାନୀ ସିଏପିଏଫ, ୨ ପ୍ଲାଟୁନ ସିଆରପିଏଫ ମୁତୟନ କରାଯାଇଛି ।

ଅନ୍ୟପଟେ ଗଣତି ପରେ ପୁରୀ ଜିଲ୍ଲାରେ ବିଜୟ ଶୋଭାଯାତ୍ରା ଉପରେ ପ୍ରଶାସନ କଟକଣା ଲଗାଇଛି  । ୯୦ ଦିନ ପର୍ଯ୍ୟନ୍ତ ପୋଲିସ ଆଇନ ଧାରା ୩୦ ଲାଗୁ କରାଯାଇଛି  । ଏହା ଚଳିତ ମାସ ୧ ତାରିଖ ଠାରୁ ଅଗଷ୍ଟ ୨୯ ତାରିଖ ୯୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ପୁରୀ ଜିଲାପାଳ କହିଛନ୍ତି ।
 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.