ଏଥର ଆସୁଛି ବିଜେପିର ସୁନାମି, ଲୋକସଭା ସହ 7 ବିଧାନସଭା ଜିତିବୁ: ଜୁଏଲ - BJP Campaigning at Raghunathpali

By ETV Bharat Odisha Team

Published : May 10, 2024, 7:05 PM IST

thumbnail
BJP Campaigning at Raghunathpali (ETV Bharat Odisha)

BJP Campaigning at Raghunathpali: ରାଉରକେଲା: ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ପ୍ରଚାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେତିକି ବଢ଼ିବାରେ ଲାଗିଛି । ବର୍ତ୍ତମାନ ନିର୍ବାଚନକୁ ଆଉ ମାତ୍ର 10 ଦିନ ବାକି ଥିବାରୁ ଲୋକଙ୍କ ପାଖକୁ ଯାଇ ପ୍ରଚାର କରିବାକୁ ନେତାଙ୍କ ହାତରେ ଆଉ ସମୟ ମଧ୍ୟ ସୀମିତ ରହିଛି । ଏହାରି ମଧ୍ୟରେ ଆଜି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପିର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଜୁଏଲ ଓରାମ ଏଥର ମଧ୍ୟ ସୁନ୍ଦରଗଡ଼ ଲାଗି ପୁଣିଥରେ ଲଢେଇ କରୁଛନ୍ତି । ଅନ୍ୟ ପକ୍ଷରେ ନୂଆ ଚେହେରା ତଥା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ଗା ତନ୍ତିଙ୍କୁ ଏଥର ବିଜେଡି ଗଡ଼ରେ ପଦ୍ମ ଫୁଟାଇବା ପାଇଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଟିକେଟ ଦେଇଛି ବିଜେପି । ଆଜି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଦୁଇ ବିଜେପି ପ୍ରାର୍ଥୀ ତଥା ସାଂସଦ ଜୁଏଲ ଓରାମ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଡୋର-ଟୁ-ଡୋର କ୍ୟାମ୍ପେନ ଚଳାଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ମୋଦି ଗ୍ୟାରେଣ୍ଟିକୁ ନେଇ ପ୍ରଚାର ଜୋରଦାର କରାଯାଇଛି । ତେବେ ଆଜି ସେକ୍ଟର ୧୬ ଅଞ୍ଚଳର ଜଗନ୍ନାଥପାଲ୍ଲୀ ଏବଂ ପିଏଚ୍‌ କଲୋନୀ, ଧୋବିପଡା ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ବସ୍ତିକୁ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି ।

ତେବେ ଜୁଏଲ ଓରାମ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଥର ଯୋଡି ଶଙ୍ଖ ବଦଳରେ ଯୋଡି ପଦ୍ମ ସୁନ୍ଦରଗଡ଼ ଜିଲ୍ଲାରେ ଫୁଟିବ । ଲୋକେ ଏହାକୁ ନିଶ୍ଚିତ କରି ସାରିଛନ୍ତି ଯେ ବିଜେପିକୁ ଭୋଟ ଦେବେ ଏବଂ ଲୋକଙ୍କ ସମର୍ଥନ ମଧ୍ୟ ବ୍ୟାପକ ରହିଛି । ମୁଁ ଏଠାରୁ 7 ଥର MP ଭାବରେ ଲଢ଼ି ଏଥର ଅଷ୍ଟମ ଥର ଲଢ଼ୁଛି ଏବଂ ବିଧାନସଭା ପାଇଁ ଦୁଇ ଥର ବିଧାୟକ ଭାବେ ଲଢିଛି । ହେଲେ ଏଥର ଯେଉଁଭଳି ସମର୍ଥନ ରହିଛି, ଏଭଳି ଜନସମର୍ଥନ ପୂର୍ବରୁ କେବେ ଦେଖି ନଥିଲି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଆମେ କହିବା ପୂର୍ବରୁ ଲୋକେ ଜାଣିଛନ୍ତି ଏବଂ ଏହାର ଲାଭ ମଧ୍ୟ ପାଉଛନ୍ତି । ତେଣୁ ଏଥର ପ୍ରଚାର ପାଇଁ ବେଶୀ ପରିଶ୍ରମ କରିବାକୁ ପଡୁନାହିଁ । ଏଥର ନିଶ୍ଚିତ ଭାବରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଏହା ଅନ୍ତର୍ଗତ 7ଟି ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ଜୁଏଲ ଓରାମ । ସେହିଭଳି ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି କହିଛନ୍ତି, "ରଘୁନାଥପାଲ୍ଲୀ ବାସିନ୍ଦା ଏଥର ଆମକୁ ବ୍ୟାପକ ସମର୍ଥନ ଦେଉଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଏଥର ବିଜେପିର ବିଜୟ ନିଶ୍ଚିତ ।"

ଇଟିଭି ଭାରତ, ସୁନ୍ଦରଗଡ଼ (ରଘୁନାଥପାଲ୍ଲୀ)

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.