ତିନି ରଥରେ ସଂଯୋଗ ହେଲା ଖଦି ଓରା, ଚାଳି ପାଇଁ ଆରମ୍ଭ ହେଲା କତରା ନିର୍ମାଣ - RATHA KHALA HALCHAL

By ETV Bharat Odisha Team

Published : Jun 23, 2024, 5:38 PM IST

thumbnail
RATHA KHALA HALCHAL (ETV Bharat Odisha)

RATHAKHALA HALCHAL: ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା, ସେପଟେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଗତକାଲି ତିନି ରଥ ଚାରି ନାହାକାରେ ପ୍ରଥମ ଭୂଇଁ ଚଉତା ବା ଛ' କାଠି ବୁଲି କଣ୍ଟା ପଡ଼ିଥିଲା । ଆଜି ତିନି ରଥର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେମ ସଂଯୋଗ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ପରୀକ୍ଷାମୂଳକ ଭାବେ ଶେଷ ହୋଇଛି । ଏହି ୪ ଗୋଟି ଭୂଇଁ ଚଉତା ବର୍ଗାକାର ଭାବେ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ଵରେ ୧୨ ଫୁଟର ଓରା ପକାଯାଇ, ଓରାର ଉଭୟ ପାର୍ଶ୍ଵରେ ୪ଟି ଲେଖାଏଁ ଖମ୍ବି ସଂଯୋଗ କରାଯାଇଛି । ଏହାର ଚାରି ପାର୍ଶ୍ୱରେ ଭୂଇଁ ସେଣି ପଡ଼ି ତାର ଚରିପାର୍ଶ୍ୱରେ ସିଆଣ ଓ ମାଛ ପାତିଆ ସଂଯୋଗ ହୋଇ ମାପ ପ୍ରକାରେ ସଂଯୋଗ କରାଯାଇ ନମ୍ବରିଂ ଶେଷ ହୋଇଛି ।


ଭୋଇ ସେବକମାନେ ତିନି ରଥକୁ ନଡ଼ିଆ ଗର ବା ଖଦି ଓରା ଯୋଗାଇବା ପରେ ମହାରଣା ସେବକମାନେ ସେଥିରେ ମାପ ପ୍ରକାରେ କାପ ସହ ବିନ୍ଧ କରାଯାଇ ସଂଯୋଗ କରାଇଛନ୍ତି । ତିନି ରଥରେ ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛ' କାଠିରେ ପାଖୁଡ଼ା ସଂଯୋଗ ହେଇଛି । ଏଥିସହ ତିନି ରଥର ଗୋଟିଏ ଗୋଟିଏ ଚାର ପରିଛା ଚଉପଟ ସହ କାପ ଖୋଦେଇ ପରେ ଚିତ୍ର ଖୋଦେଇବା ପାଇଁ ରୂପକାର ଚାଳିକୁ ଆସିଛନ୍ତି । ରୂପକାର ସେବକମାନେ ସେଥିରେ ଚିତ୍ର ଖୋଦେଇ କାର୍ଯ୍ୟ କରିବେ । ତିନି ରଥର ଗତକାଲି ଦୁଇଟି ଲେଖାଏଁ ଅଁଳା ଚଉପଟ କାର୍ଯ୍ୟ ଶେଷ ହୋଇଥିଲା । ଆଜି ଆଉ ଦୁଇଟି ଲେଖାଏଁ ଅଁଳା ଚଉପଟ କାର୍ଯ୍ୟ ଶେଷ ହୋଇଛି ।


ତିନି ରଥର କତରା ନିର୍ମାଣ ପାଇଁ ରଥ ଅମିନ ଆଜି ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳିକୁ ୪ଟି ଲେଖାଏଁ ୨୦ ଫୁଟିଆ ଫାଳି ବଟନ୍‌ କାଠ ଯୋଗାଇଛନ୍ତି । ତିନି ରଥ ମହାରଣାମାନେ ସେଥିରେ କତରା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେପଟେ ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇର ଶେଷ ସ୍ପର୍ଶ ଦେଉଛନ୍ତି । ଦୋଳବେଦୀ କମାରଶାଳ ଠାରେ ଓଝା ସେବକମାନେ ତିନି ରଥ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ; ଆଜିଠୁ ତିନି ରଥରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ - RathaKhala Halchal
ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.