ଥଇଥାନ ହେବେ ଜବରଦଖଲ ଉଚ୍ଛେଦରେ ବିସ୍ଥାପିତ ବ୍ୟବସାୟୀ - CMC mayor Subhash singh
Published : Jun 16, 2024, 11:28 AM IST
କଟକ: ଥଇଥାନ ହେବେ ସହରର ବିସ୍ଥାପିତ ବ୍ୟବସାୟୀ । କଟକ ସହରର ଟ୍ରାଫିକ ଛକ ନିକଟରୁ ଜବରଦଖଲ ଉଛେଦ ପ୍ରକ୍ରିୟାରେ ବିସ୍ଥାପିତ ହୋଇଥିବା ଉଠାବ୍ୟବସାୟୀଙ୍କୁ ମିଳିବ ନୂଆ ଠିକଣା । ଏନେଇ କଟକ ମେୟର ସୁବାଷ ସିଂ ସ୍ପଷ୍ଟ କରିଛନ୍ତି । ଏନେଇ ଅନ୍ୟତ୍ର ସ୍ଥାନ ଚିହ୍ନଟ ପାଇଁ ଯୋଜନା ଜାରି ରହିଛି । ଏପରିକି ଷଷ୍ଠ ବାଟାଲିଅନ କମାଣ୍ଡାଣ୍ଟଙ୍କୁ ମଧ୍ୟ ଚିଠି ଲେଖିଛି କଟକ ମହାନଗର ନିଗମ । ଯାହାଦ୍ୱାରା ଏହି ବିବାଦରେ ଶୀଘ୍ର ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି । ଓଏମପି ଟ୍ରାଫିକ ପଏଣ୍ଟରୁ ନୂଆ ବଜାର ପର୍ଯ୍ୟନ୍ତ ସମସ୍ତ ଜବରଦଖଲକୁ ଉଚ୍ଛେଦ କରିଥିଲା କଟକ ମହାନଗର ନିଗମ । ଏହି ସ୍ଥାନ ଜନଗହଳିପୂର୍ଣ୍ଣ ସ୍ଥାନ ରହିଥିବାରୁ ସେଠାରେ ଉଠାବ୍ୟବସାୟୀଙ୍କ ଉଠାଦୋକାନ ରହିଲେ ଅଧିକ ମାତ୍ରାରେ ଗହଳି ଓ ଟ୍ରାଫିକ ଜାମ ହେଉଥିବା ନେଇ ଅଭିଯୋଗ ପରେ ହାଇକୋର୍ଟ ସିଏମସିକୁ ଜବରଦଖଲ ଉଛେଦ କରିବା ପାଇଁ ଗତମାସ (ମେ’) ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।
ଏହାକୁ କାର୍ଯ୍ୟକାରୀ କରି ଚଳିତମାସ 10 ତାରିଖ ସୁଦ୍ଧା ସମସ୍ତ ଉଛେଦ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହିକ୍ରମରେ ହାଇକୋର୍ଟଙ୍କ ପକ୍ଷରୁ ଗଠିତ ଆଡ଼ଭୋକେଟ କମିଟି ଉଚ୍ଛେଦ ସ୍ଥାନ ପରିଦର୍ଶନ କରିବା ସହ ପ୍ରତ୍ୟକ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯାହା ଆଗମୀ ଦିନରେ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯିବ । ଅନ୍ୟପଟେ ଏହି ଉଚ୍ଛେଦ ପୂର୍ବରୁ ଥଇଥାନ ବ୍ୟବସ୍ଥା ନକରିବା କାରଣୁ ଜୀବନ ଜୀବିକାକୁ ନେଇ ବ୍ୟବସାୟୀ ସଂଘ ପ୍ରଶ୍ନ ଉଠାଇଥିଲା । ତେବେ ଏହି ବିବାଦର ଶୀଘ୍ର ସମାଧାନ ହେବ ଓ ବ୍ୟବସାୟୀମାନେ ନିଶ୍ଚୟ ଥଇଥାନ ହେବେ ବୋଲି କଟକ ମେୟର ସୁବାସ ସିଂ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, କଟକ