ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସର ପ୍ରଭାରୀ । ଶେଷ ହେଲା ସଙ୍କଳ୍ପ ପଦଯାତ୍ରା । କଂଗ୍ରେସର ତିନଦିନଆ ସଙ୍କଳ୍ପ ପଦଯାତ୍ରା ପୁରୀରେ ସମାପନ ହୋଇଛି । ଏହି ଅବସରରେ ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଟେଗ କରିଛି ଦଳ । ଗତ ୧୮ ତାରିଖ ଦିନ ଭୁବନେଶ୍ଵର ବିମାନ ବନ୍ଦରରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ପଦଯାତ୍ରା ପିପିଲି, ଚନ୍ଦନପୁର, ବାଟ ମଙ୍ଗଳା ଦେଇ ବଡ଼ଦାଣ୍ଡରେ ପହଞ୍ଚିଥିଲା । ବଡ଼ଦାଣ୍ଡରେ ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ । ପରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ବରିଷ୍ଠ ନେତାମାନେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ଏମିତି କହିଲେ ନୂଆ ପିସିସି ?
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି,"ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ଵରରୁ ଆରମ୍ଭ ହୋଇଥିବା ସଂକଳ୍ପ ପଦଯାତ୍ରା ଭଲରେ ସମ୍ପନ୍ନ ହେଲା । ପ୍ରଭୁଙ୍କ ଆଶୀର୍ବାଦରୁ ଯେଉଁ ସଂକଳ୍ପ ନିଆଯାଇଥିଲା, ତାହା ପୂରଣ ହେଲା । ସତ୍ୟ, ଅହିଂସା ସ୍ଥାପନ ପାଇଁ ସଂକଳ୍ପ କରିଥିଲୁ । ଓଡ଼ିଶା ମାଟିର ପୂର୍ବ ଗୌରବ ଓ ସମ୍ମାନ ଫେରାଇ ଆଣିବା ପାଇଁ ସଂକଳ୍ପ କରିଥିଲୁ । ଓଡ଼ିଶାରେ ଅର୍ଥ ବଳ ଓ ବାହୁବଳର ସରକାର ଚାଲିଛି । ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମ୍ପତ୍ତିର ହିସାବ ଓଡ଼ିଶାବାସୀ ପାଇଲେ ନାହିଁ । ପୂର୍ବ ସରକାର ଏନେଇ ଡ୍ରାମା କଲେ ଓ ଏବେର ସରକାର ଚୁପ୍ ହୋଇ ବସିଛନ୍ତି ।"
- କଂଗ୍ରେସ କ୍ଷମତାକୁ ଆସିଲେ...
ସେ ଆହୁରି ମଧ୍ୟ କହିଛନ୍ତି,"ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ ସେତେବେଳେ ଜଗନ୍ନାଥ୍ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିର ହିସାବ କିତାବ କରାଯିବ । ରତ୍ନ ଭଣ୍ଡାରର ହିସାବ କିତାବ ନିଆଯିବ । ଆମକୁ ଜଗନ୍ନାଥ ମହାପ୍ରଭୁ ପ୍ରେରଣା ଦେଇଛନ୍ତି । ଆଗାମୀ ଦିନରେ କଂଗ୍ରେସ ସାରା ରାଜ୍ୟରେ ଜନ ବିପ୍ଲବ ସୃଷ୍ଟି କରିବ । ଆଜି ଦିନରେ ଆମ ସଂଗଠନ ଦୁର୍ବଳ ଅଛି । ତାକୁ ସବଳ କରିବାକୁ ହେଲେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦରକାର୍ । ଯାହା ବିପ୍ଳବ କ୍ରାନ୍ତି ଆଣିଥାଏ ।ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଆମେ ନେଲୁ । ଖୁବଶୀଘ୍ର ଆଗାମୀ ରଣନୀତି ଆମେ ପ୍ରସ୍ତୁତ କରିବୁ । "


- "ଓଡ଼ିଶାବାସୀଙ୍କ ଅସ୍ମିତା ସହ ଖେଳ ଖେଳୁଛି ବିଜେପି ":
ଓଡ଼ିଶା କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ କହିଛନ୍ତି,"ଜଗନ୍ନାଥଙ୍କ ଦରବାକୁ ମୁଁ ଆସି ନିଜକୁ ଧନ୍ୟ ମନେକରୁଛି । ଓଡ଼ିଶାବାସୀଙ୍କ ଅସ୍ମିତା ସହ ବିଜେପି ଖେଳ ଖେଳୁଛି । ପୁରୀରେ ବଡଦାଣ୍ଡରେ ଥିବା ଗରିବ ଉଠା ଦୋକାନୀମାନେ ନିଜର ଥଇଥାନ ପାଇଁ ଆନ୍ଦୋଳନ କରୁଛନ୍ତି । ତାଙ୍କୁ ଥଇଥାନ କରିବା ପ୍ରତିଶ୍ରୁତି ଦିଆଯାଇ ସରକାର ଉଚ୍ଛେଦ କରି ପ୍ରତାରିତ କରିଛନ୍ତି । ଶିଳ୍ପପତି ଅମ୍ବାନୀ ଓ ଆଦାନୀଙ୍କ ଋଣକୁ ମାଫ କରିବା ପାଇଁ ବିଜେପି ସରକାର୍ ପାଖରେ ଟଙ୍କା ଅଛି । ହେଲେ ଦୁଃଖର ବିଷୟ ଗରିବ ଲୋକଙ୍କୁ ଥଇଥାନ ପାଇଁ ଏମାନଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ । ତେବେ ବିଜେପି ସରକାର୍ ଯେଭଳି ଭ୍ରଷ୍ଟାଚାରରେ ଲିପ୍ତ ରହିଛି ତାହା ବିରୋଧରେ ଆଜି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆ ପିସିସି ସଭାପତି ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ ନୂଆ ଅଭିଯାନ ଆରମ୍ଭ କରିବ ।


- "ଆଗାମୀ ନିର୍ବାଚନରେ କଂଗ୍ରେସ ହିଁ ବିଜୟୀ ହେବ":
ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି," ପ୍ରଭୁ ଲିଙ୍ଗରାଜଙ୍କ ଠାରୁ ଆରମ୍ଭ ହୋଇଥଲା ପଦଯାତ୍ରା । ଏହା ବେଶ୍ ଚମତ୍କାର ଥିଲା। ନୂଆ ପସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଏହା ଆରମ୍ଭ ହୋଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହା ଶେଷ ହେଲା । ହଜାର ହଜାର କଂଗ୍ରେସ ପ୍ରେମୀ ଲୋକ ଏଥିରେ ସାମିଲ ହୋଇଥିଲେ । ଅପାରଗ ବିଜେପି ସରକାର ଯୋଗୁଁ ଦରଦାମ ବଢ଼ି ଚାଲିଛି । ଲୋକେ ଅତିଷ୍ଠ ହୋଇ ପଡିଲେଣି । ଲୋକମାନେ ଏକାଠି ହେଲେଣି । ଆଗାମୀ ନିର୍ବାଚନରେ କଂଗ୍ରେସ ହିଁ ବିଜୟୀ ହେବ। " ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଂକଳ୍ପ ପଦଯାତ୍ରାରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ୍ ହୋଇଥିଲେ ।
ଇଟିଭି ଭାରତ, ପୁରୀ