ଚଳଚଞ୍ଚଳ ରଥ ଖଳା; କାଲି ଶ୍ରୀକ୍ଷେତ୍ର ଭଉଁରୀ ତିଥି, ହେବ ଅଖ-ଚକ ଡେରା ନୀତି - BHAUNRI RITUAL AT RATHA KHALA - BHAUNRI RITUAL AT RATHA KHALA
Published : May 28, 2024, 10:25 PM IST
Puri Rath Bhaunri Yatra Ritual: ପୁରୀ: ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ଏହା ୧୯ ଦିନରେ ପହଞ୍ଚିଛି । ଆସନ୍ତାକାଲି (ବୁଧବାର) ଶ୍ରୀକ୍ଷେତ୍ର ଭଉଁରୀ ତିଥି । ବିଧି ଅନୁଯାୟୀ ତିନି ରଥର 6ଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ନାହାକ ଚକ ଓ 3ଟି ଅଖ ପ୍ରସ୍ତୁତ କରି ରଖିଛନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ । ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କାର୍ଯ୍ୟ ସାରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ । ଏହାପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା ।
ତିନି ରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୨୦ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥ ଅମିନଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ରଥଖଳାରେ ଆବଶ୍ୟକ କାଠ ପକାଇବା ପରେ ବିଶ୍ଵକର୍ମା ମହାରଣାମାନେ ବାରସି ମାଧ୍ୟମରେ ତୀଖ ଗୁଜ କାର୍ଯ୍ୟ କରୁଛନ୍ତି । ସେହିପରି ସାଲଗୁଜ, ତୀଖଗୁଜ ଓ ଜଳଯନ୍ତ୍ରର ଚଉପଟ କାର୍ଯ୍ୟ ଚାଲିଛି । ରୂପକାର ସେବକମାନେ ଏଥିରେ ସିଂହ ବିରାଳ ମୂର୍ତ୍ତି ତିଆରିରେ ବ୍ୟସ୍ତ ଅଛନ୍ତି । ନନ୍ଦିଘୋଷ ଓ ତାଳଧ୍ଵଜ ରଥର ୧୬ଟି ଲେଖାଏଁ ଯୋକା ଓ ଦେବୀ ରଥର ୧୨ଟି ଯୋକା ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ଯୋକା ସବୁ ରଥ କୋଣରେ ସ୍ଥାପନ ହେବା ପରେ ଏହାର ଚାରିପଟେ ଠେକାର ବାଡ ବୁଲିବ ବୋଲି ବିଶ୍ଵକର୍ମା କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରଥଖଳା ହାଲଚାଲ: ଚାଲିଛି ଅର ସହିତ ପହି ସଂଯୋଗ - Ratha Khala Halchal
ସେପଟେ ବୁଧବାର ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଟ୍ରାଫିକ ସୁପରିଚାଳନା, ନରେନ୍ଦ୍ର ପୁଷ୍କରିଣୀ ଠାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ । ଭୋଇ ସେବକମାନେ ଯନ୍ତାଗାଡରେ ସିଙ୍ଗଡା ବାଡିଆ ପଦ୍ଧତିରେ ତୁମ୍ବ ସହ ଅର ଯୋଡି ରଥଖଳାକୁ ବୋହି ନେଉଛନ୍ତି । ରଥଖଳାରେ ବିଲେଇ ବାଡିଆ ପଦ୍ଧତିରେ ଚକ ପ୍ରସ୍ତୁତ ଜାରି ରହିଛି । ତେବେ ରଥ ନିର୍ମାଣ କାର୍ଯ୍ୟ ୧୯ ଦିନରେ ପହଞ୍ଚିଥିବା ବେଳେ ସମୁଦାୟ ୧୯୩ ଜଣ ନିର୍ମାଣକାରୀ ଏଥିରେ ନିୟୋଜିତ ଅଛନ୍ତି ।
ଇଟିଭି ଭାରତ, ପୁରୀ