ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶ ଅନୁସନ୍ଧାନରେ ଆହୁରି ଆଗକୁ ବଢିବ । କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2025-26 ଲାଗି କେନ୍ଦ୍ର ବଜେଟ୍ରେ ଇସ୍ରୋକୁ 13 ହଜାର 416 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଗତ ଅନ୍ତରୀଣ ବଜେଟରେ ଏହି ରାଶି 13,042 କୋଟି ଥିଲା । ଇସ୍ରୋ ଅନେକ ଗୁରୁତ୍ବପୂର୍ଣ୍ଣ ମହାକାଶ ପ୍ରୋଗ୍ରାମ ପ୍ରସ୍ତୁତ କରୁଛି । ଏହି ବଜେଟରୁ ଉପଗ୍ରହ ଉତକ୍ଷେପଣ ଓ ମହାକାଶ ମିଶନର ବିଭିନ୍ନ ମହତ୍ତ୍ବାକାଂକ୍ଷୀ ଯୋଜନା ସୁଦୃଢ ହେବ ବୋଲି ଆଶା କରାଯାଉଛି ।
ବଜେଟରେ ସ୍ପେଶ ମିଶନକୁ ଗୁରୁତ୍ବ
ଇସ୍ରୋ ଅନେକ ମହତ୍ତ୍ବପୂର୍ଣ୍ଣ ମିଶନର ପ୍ରସ୍ତୁତିରେ ଅଛି । ଭାରତୀୟ ମହାକାଶ ଗବେଷଣାକୁ ଆହୁରି ମଜଭୁତ କରିବା ଲାଗି ଏଥର ବଜେଟରେ ଭାରତ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ପୁଞ୍ଜିଗତ ବ୍ୟୟ ଲାଗି 6103 କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜସ୍ବ ବ୍ୟୟ ଲାଗି 7312 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଯାହାଦ୍ବାରା ମହାକାଶର ଢାଞ୍ଚା ଓ ପରିଚାଳନା ଉଭୟକୁ ସହାୟତା ମିଳିବ । ଏହାସହିତ ସାଟେଲାଇଟ ସ୍ଥାପନା ଓ ଉତକ୍ଷେପଣ ଯାନର ନିର୍ମାଣରେ ବ୍ୟବହାର ହେଉଥିବା ମୁଖ୍ୟ ଉପକରଣଗୁଡ଼ିକର କଷ୍ଟମ ଡ୍ୟୁଟିକୁ ହଟାଯାଇଛି । ଯାହାଦ୍ବାରା ଉପଗ୍ରହ ନିର୍ମାଣ କରୁଥିବା କମ୍ପାନୀକୁ ଫାଇଦା ମିଳିବ ।