ଭୁବନେଶ୍ୱର: 'ବଜେଟରୁ ଓଡ଼ିଶାର ହେବ ଅଭିବୃଦ୍ଧି, ସିଂହଭାଗ ଲାଭ ପାଇବ ।' ଆଜି ପ୍ରେସମିଟ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଜେଟରୁ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ବିଷୟରେ ଆଲୋକପାତ କରିଥିବା ବେଳେ ଏହାକୁ କଟାକ୍ଷ କରିଛି ବିଜେଡି । କେନ୍ଦ୍ର ବଜେଟରେ ନାହିଁ ଓଡ଼ିଶାର ନାଁ ଗନ୍ଧ, ରାଜ୍ୟବାସୀଙ୍କୁ ଧୋକା । କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ।
'ବଜେଟରୁ ଓଡ଼ିଶାର ଅଭିବୃଦ୍ଧି':
ମାନନୀୟ ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ @nsitharaman ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି… pic.twitter.com/ZSgWJQ4wjA
— Dharmendra Pradhan (@dpradhanbjp) February 3, 2025
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ କରି କେନ୍ଦ୍ରୀୟ ବଜେଟରୁ ଓଡ଼ିଶାର ଅଭିବୃଦ୍ଧି ବିଷୟରେ ଆଲୋକପାତ କରିଥିଲେ । ସେ କହିଛନ୍ତି," ଗରିବ, ଚାଷୀ, ମହିଳା, ଯୁବକ, ବଞ୍ଚିତ, ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ଏହି ବଜେଟ୍ ସଶକ୍ତ କରିବ । ଗାଁରେ ବସବାସ କରୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶିଳ୍ପ, ଶକ୍ତି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆହୁରି ଅଧିକ ଅଧିକ ଗତି ମିଳିବ । ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦, ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା, ଭାରତନେଟ୍ ପ୍ରକଳ୍ପ ଅଧୀନରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ, ଭାରତୀୟ ଭାଷା ପୁସ୍ତକ ଯୋଜନା, ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା, ଜ୍ଞାନ-ଭାରତମ ମିଶନ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ପଦକ୍ଷେପ । ଏହିଭଳି ବ୍ୟବସ୍ଥା ଦ୍ୱାରା ଓଡ଼ିଶା ସିଂହଭାଗ ଲାଭ ପାଇବ ।"
'ଓଡ଼ିଶାର ନୂଆପିଢିକୁ ନୂଆ ଦିଶା ଦେବ':
ସେ ଆଉ ମଧ୍ୟ କହିଥିଲେ, " ପିଏମ ଧନଧାନ୍ୟ କୃଷି ଯୋଜନା, କପା ଉତ୍ପାଦକତା ମିଶନ, କିଷାନ କ୍ରେଡିଟରେ କ୍ରେଡିଟ୍ ସୀମାବୃଦ୍ଧି, ଉଚ୍ଚ ଉତ୍ପାଦନକାରୀ ବିହନ ଉପରେ ଜାତୀୟ ମିଶନ, ପନିପରିବା ଓ ଫଳଚାଷ ପାଇଁ ବ୍ୟାପକ କାର୍ଯ୍ୟକ୍ରମ, ତୈଳ ଓ ଡାଲି ଜାତୀୟ ଫସଲର ଅଧିକ ଉତ୍ପାଦନ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ବ୍ୟତୀତ ମେରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ, ସଂଶୋଧିତ ଉଡାନ ଯୋଜନା, ଟାୟାର -୨ ସହରରେ ଗ୍ଲୋବାଲ କାପାବିଲିଟି ସେଣ୍ଟରକୁ ପ୍ରୋତ୍ସାହିତ କରିବା, ଏମଏସଏମଇ, ଷ୍ଟାର୍ଟଅପ୍, ଶିଳ୍ପ, କ୍ରିଟିକାଲ ମିନେରାଲ୍ସର ପୁନରୁଦ୍ଧାର ପାଇଁ ନୀତି, ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ଆନୁଷଙ୍ଗିକ ଯୋଜନା ଓଡ଼ିଶାର ନୂଆପିଢିକୁ ନୂଆ ଦିଶା ଦେବ ।"
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମର ପଟ୍ଟନାୟକଙ୍କ ଟାର୍ଗେଟ:
ଅନ୍ୟପଟେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "କେନ୍ଦ୍ର ବଜେଟରେ କୌଣସି ଜାଗାରେ ଓଡିଶା ସମ୍ୱନ୍ଧରେ ପଦଟିଏ ମଧ୍ୟ କୁହାଯାଇନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଜେଟରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେବ ବୋଲି ଦାବି କରିଥିଲେ । ହେଲେ ତାଙ୍କ ମୁହଁରେ ଗୋଟିଏ ହତାଶ ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଏହି ହତାଶ ଭାବର କାରଣ ହେଉଛି ବଜେଟରେ କୌଣସି ସ୍ଥାନରେ ଓଡ଼ିଶାର ନାଁ ଉଲ୍ଲେଖ ନହେବା । ଧର୍ମେନ୍ଦ୍ର ନିଜର ବାକଚାତୁରୀ ମାଧ୍ୟମରେ ବଜେଟ ସହ ଓଡ଼ିଶାର ବିକାଶକୁ ଯୋଡିବାକୁ ବୃଥା ପ୍ରୟାସ କରିଛନ୍ତି ।"
'ରାଜ୍ୟବାସୀଙ୍କୁ କେବଳ ଧୋକା ମିଳିଛି'
ସେ ଆଉ ମଧ୍ୟ କହିଛନ୍ତି, "ନିର୍ବାଚନ ସମୟରେ ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ସରକାରକୁ ଆସିଛି ବିଜେପି । ହେଲେ କେନ୍ଦ୍ର ବଜେଟରେ ଓଡିଶା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ନଦେବା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଧୋକା । ରାଜ୍ୟବାସୀ ବିଜେପିକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି । ଏହା ସହିତ ୨୦ ବିଜେପି ସାଂସଦକୁ ଜିତାଇଛନ୍ତି । କିନ୍ତୁ ପ୍ରତି ବଦଳରେ ରାଜ୍ୟବାସୀଙ୍କୁ କେବଳ ଧୋକା ମିଳିଛି । ଧର୍ମେନ୍ଦ୍ର ବଜେଟରେ ଉଲ୍ଲେଖ ଥିବା କିଛି ଯୋଜନାର ନାଁ ନେଇ, ଏହି ଯୋଜନା ମାଧ୍ୟମରେ ଓଡ଼ିଶାକୁ ଫାଇଦା ମିଳବ ବୋଲି କହିଛନ୍ତି । କିନ୍ତୁ ଏହି ଯୋଜନା ଗୁଡିକ ଦେଶର ସମସ୍ତ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ, ସ୍ୱତନ୍ତ୍ର ଭାବେ ଓଡିଶା ପାଇଁ ନୁହେଁ ।"
'ଦରଦାମ ବୃଦ୍ଧିର ନିୟନ୍ତ୍ରଣ ପାଇଁ ନାହିଁ ପଦକ୍ଷେପ':
କେନ୍ଦ୍ର ବଜେଟରେ ଆୟଙ୍କର ସୀମା ବୃଦ୍ଧିକୁ ଏକ ବଡ଼ ସଫଳତା ବୋଲି ଦାବି କରାଯାଉଛି । କିନ୍ତୁ, ଓଡ଼ିଶାର ୫୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ଯେଉଁମାନଙ୍କ ଉପରେ ଏହି ଆୟକର ସୀମା ବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ଦରଦାମ ବୃଦ୍ଧି, ଯାହା ଆଜି ଦେଶରେ ଉତ୍କଟ ହୋଇଛି । ତାହା ସମସ୍ତ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ଉପରେ ପ୍ରଭାବ ପକାଇବ । ଦରଦାମ ବୃଦ୍ଧିର ନିୟନ୍ତ୍ରଣ ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପେଟ୍ରୋଲିୟମ ସବସିଡିର ପରିମାଣ ପୂର୍ବ ବର୍ଷ ପରିମାଣ ସହ ସମାନ ରହିଛି । ଅର୍ଥାତ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇବାର ସମ୍ଭାବନା ନାହିଁ । କୃଷି ଓ କୃଷକଙ୍କ ବିକାଶ ପାଇଁ ପୂର୍ବ ବର୍ଷ ବଜେଟରେ ୧,୪୧,୩୫୨ କୋଟି ଅର୍ଥ ପ୍ରଦାନ କରାଯାଇଥିଲା । ଏହି ବର୍ଷ ବଜେଟରେ ୧,୩୭,୦୦୦ କୋଟି ଟଙ୍କାକୁ କମିଛି । ସେହିପରି ପୋଷଣ, ନରେଗା ଓ ଗ୍ରାମାଞ୍ଚଳ ବିକାଶ ପାଇଁ ପୂର୍ବ ବର୍ଷ ବଜେଟର ପରିମାଣ ସହିତ ପ୍ରାୟତଃ ସମାନ ରହିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।
ଓଡ଼ିଶାର ଦାବିର କେନ୍ଦ୍ରର ଅଗ୍ରାହ୍ୟ:
କେନ୍ଦ୍ର ବଜେଟରେ ଓଡ଼ିଶାର ଝାରସୁଗୁଡାରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପ୍ରତିଷ୍ଠା, ଗଞ୍ଜାମର ସୁନାଖଳା ପାଇଁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କର ଏହି ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି । ତେଣୁ ବିଜେପିର ଡବଲ ଇଂଜିନ ଡବଲ ବିକାଶ ନାରା ଏକ ଧୂଆଁବାଣରେ ପରିଣତ ହୋଇଛି । ୨୦୧୪ ମସିହାରେ ବିଜେପି ତାର ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବ ବୋଲି କହିଥିଲା । କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନାହିଁ କି ଫୋକସ ଷ୍ଟେଟ ମଧ୍ୟ ନାହିଁ । କୋଇଲା ରୟାଲଟି ବୃଦ୍ଧି, କ୍ଲିନ ଏନର୍ଜି ସେସ୍ରେ ରାଜ୍ୟର ଅଂଶ ପାଇଁ ଓଡିଶା ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ । ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରାଯାଉଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।
ଇଟିଭି ଭାରତ, ଭୁବନେଶ୍ୱର