ଭୁବନେଶ୍ୱର: ଆଜି ପବିତ୍ର ମାଘ ସପ୍ତମୀ । ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଶିଖରରେ ଖିବା ମା’ ବାରଭୂଜା ମନ୍ଦିରରୁ ଖଣ୍ଡଗିରି ପାଦଦେଶ ପର୍ଯ୍ୟନ୍ତ ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞବେଦୀରେ କର୍ମ ଆରମ୍ଭ କଲେଣି ସାଧୁ ସନ୍ଥ । ଆଜିଠୁ ପାହାଡର ପାଦଦେଶରୁ ଉପର ମା’ ବାରଭୂଜାଙ୍କ ମନ୍ଦିର ପର୍ଯ୍ୟନ୍ତ ନାଗାସାଧୁଙ୍କ ମେଳି ଦେଖିବାକୁ ମିଳିବ । ଗତକାଲିଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ସାଧୁସନ୍ଥଙ୍କର ଆଗମନରେ ଖଣ୍ଡଗିରିରେ ଭକ୍ତିମୟ ପରିବେଶ ସୃଷ୍ଟି ହେବାରେ ଲାଗିଛି । ମନ୍ତ୍ର ଧ୍ବନୀ ସହ ପ୍ରଭୁଙ୍କ ନାମରେ କମ୍ପିବ ଖଣ୍ଡଗିରି ପାଦଦେଶ ।
- ଆଜିଠୁ ଖଣ୍ଡିଗିରି ମେଳା:
୪ ରୁ ୧୨ ତାରିଖ ଯାଏଁ ଚାଲିବ ଏହି ଖଣ୍ଡଗିରି ମେଳା । ଏହି ପ୍ରସିଦ୍ଧ ମେଳାରେ ଜମିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ । ବେଦ ଧ୍ଵନି ଓ ମନ୍ତ୍ରୋଚ୍ଚାରଣରେ ଗଗନ ପବନ କମ୍ପିବ । ଯଜ୍ଞବେଦୀରେ ମାଙ୍ଗଳିକ ବିଧି ଆରମ୍ଭ କଲେଣି ସାଧୁସନ୍ଥ । ପଞ୍ଚ ଦେବତାଙ୍କ ଉଦ୍ଦେଶ୍ୟରେ ହୋଇଥିବା ପଞ୍ଚ ଯଜ୍ଞ କୁଣ୍ଡର ପୂଜା କରିବା ସହ କାଲି କଳସ ଯାତ୍ରାରୁ ଆରମ୍ଭ ହେବ ଯଜ୍ଞ ଏବଂ ପୂଜାର୍ଚ୍ଚନା । ତେବେ ୧୪୪ ବର୍ଷ ପରେ ଏଭଳି ଦିବ୍ୟ ସଂଯୋଗ ପଡୁଥିବାରୁ ପ୍ରୟାଗରାଜ ଭଳି ଖଣ୍ଡଗିରିରେ ମଧ୍ୟ ଜନ ସମାଗମ ହେବ ବୋଲି ଆଶା କରାଯାଉଛି । ବହୁ ଦୂରଦୁରାନ୍ତରୁ ସାଧୁସନ୍ଥ ଆସୁଛନ୍ତି ।
- ସଂସ୍କୃତି ବିଭାଗ ଓ ବିଏମସିର ମିଳିତ ସହଯୋଗରେ ମେଳା ଆୟୋଜିତ:
ଅନ୍ୟପଟେ ଚଳିଚ ବର୍ଷ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବିଏମସିର ମିଳିତ ସହଯୋଗରେ ହେଉଛି କୁମ୍ଭମେଳା । ତେବେ ଆଜି (ସୋମବାର) ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଭୁବନେଶ୍ବର ମେୟର ଓ ବିଏମସି କମିଶନର । ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ପ୍ରତି ୧୦୦ ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ହେବେ । ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ଏନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ।
- ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:
ଖଣ୍ଡଗିରି ମେଳାରେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ଖଣ୍ଡଗିରି ମହୋତ୍ସବର ସମ୍ପାଦକ ରଘୁନାଥ ମହାନ୍ତି କହିଛନ୍ତି, "ବାବା ଅନନ୍ତ କେଶରୀଙ୍କ ଯାତ୍ରା ହେଉଛି ଓ ସାଧୁସନ୍ଥ ରୁଣ୍ଡ ହେଉଛନ୍ତି । ତେଣୁ ଐତିହ୍ୟର ଏହି ଯାତ୍ରା କିଭଳି ସୁରୁଖୁରୁରେ ହେବ ଓ ତାର ଏତିହ୍ୟ ବଜାଇ ରଖିବା ସେନେଇ ସମସ୍ତଙ୍କ ସହଯୋଗ ଲୋଡାଯାଇଛି ।" ସେହିପରି ଖଣ୍ଡଗିରି ମାଘ ମେଳାର ଆୟୋଜକ କହିଛନ୍ତି ହରି ଓମ ବାବା କହିଛନ୍ତି,"ଏଥର ୧୦୦୦ ସାଧୁସନ୍ଥଙ୍କ ସମାଗମ ହେବ । ଆଉ ଖଣ୍ଡଗିରିରେ ପୂଜାପାଠ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ବିଶ୍ୱର କଲ୍ୟାଣ ପାଇଁ ପୂଜାର୍ଚ୍ଚନା ହେବ ।"
![Kharabela Mahotsav](https://etvbharatimages.akamaized.net/etvbharat/prod-images/03-02-2025/od-bbs-avb-kharabela-mahotsv-od10039_03022025173303_0302f_1738584183_334.jpg)
ସେପଟେ ଡାକ୍ତର ବାବା କହିଛନ୍ତି,"ଭାରତର ଆଧ୍ୟାତ୍ମିକବାଦର ଆତ୍ମା ହେଉଛି ଓଡିଶା । ଭାରତରେ ଉତ୍କଳ ପ୍ରଦେଶର ଭୁବନେଶ୍ୱରର ଏହି ମେଳା ବେଶ ମହତ୍ବ ବହନ କରେ । ସନାତନ ଧର୍ମର ସୁରକ୍ଷା ସହ ଏହି ମେଳା ଆଧ୍ୟାତ୍ମିକ ଚେତନାର ଏକ ନିଦର୍ଶନ । ତେଣୁ ଆମକୁ ଏଠାରେ ବହୁତ ଭଲଲାଗେ । କେବଳ ଐଶ୍ୱରୀୟ ଚେତନା ନୁହେଁ ବରଂ ମହାପ୍ରଭୁଙ୍କ ଏହି ରାଜ୍ୟରେ ଅପାର ସମ୍ଭାବନା ସହ ଧର୍ମ ରକ୍ଷାର ବାର୍ତ୍ତା ସୃଷ୍ଟି ହୁଏ ।
- ପୂର୍ବ ନାଁରେ ଆୟୋଜିତ ହେବ ଖଣ୍ଡଗିରି ସାଂସ୍କୃତିକ ମହୋତ୍ସବ
ଅନ୍ୟପଟେ ଚଳିତ ବର୍ଷ ଖଣ୍ଡଗିରି ମେଳାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ । ଖଣ୍ଡଗିରି ମେଘାସପ୍ତମୀରେ ଖଣ୍ଡଗିରି ପାଦଦେଶରେ ହେଉଥିବା ସାଂସ୍କୃତିକ ମହୋତ୍ସବ ଖଣ୍ଡଗିରି ଉଦୟଗିରି ମହୋତ୍ସବର ନାମ ଚଳିତବର୍ଷ ଠାରୁ ଐର ଖାରବେଳ ମହୋତ୍ସବ ନାମରେ ନାମିତ ହେବ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ।
![Kharabela Mahotsav](https://etvbharatimages.akamaized.net/etvbharat/prod-images/03-02-2025/od-bbs-avb-kharabela-mahotsv-od10039_03022025173303_0302f_1738584183_334.jpg)
ସେ କହିଛନ୍ତି, "ପୂର୍ବ ଐତିହ୍ୟ ଓ ଗାରିମାକୁ ନେଇ ୨୦୨୦ରୁ ପରିବର୍ତ୍ତିତ ହୋଇଥିବା ନାମ ବଦଳରେ ଏହି ଖଣ୍ଡଗିରି ସାଂସ୍କୃତିକ ମହୋତ୍ସବର ନାଁ ଐର ଖାରବେଳ ମହୋତ୍ସବ ରହିବ । ଆମ ଐତିହ୍ୟର ଇତିହାସକୁ ନେଇ ଆମେ ଗର୍ବ କରୁ ସେହିଭଳି ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ହେଉଛନ୍ତି ଐର ଖାରବେଳ । ତାଙ୍କପରି ଜଣେ ଦକ୍ଷ ବୀର ଓ ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇ ଏହି ମହୋତ୍ସବ ହେବ ।"
ଏହାମଧ୍ୟ ପଢନ୍ତୁ... ଆଦିବାସୀଙ୍କ ନିଆରା ଜଟ୍ଟି ପରବ: ପ୍ରଥମେ ପିଟାପିଟି, ପରେ ଜମେ ନାଚଗୀତ ଅସୁରଗଡ ଲୋକ ମହୋତ୍ସବ, ଲୋକକଳା ପୁନରୁଦ୍ଧାର ପାଇଁ ନିଆରା ପ୍ରୟାସ |
- ୩ ଦିନ ଧରି ଚାଲିବ ମହୋତ୍ସବ:
ଐର ଖାରବେଳ ମହୋତ୍ସବ ଆସନ୍ତା ୫, ୬ ଓ ୭ ତାରିଖରେ ଖଣ୍ଡଗିରି ପାଦଦେଶରେ ଅନୁଷ୍ଠିତ ହେବ । ଓଡ଼ିଶାର ବିଭିନ୍ନ ସ୍ଥାନର ଲୋକକଳା ଓ ସଂସ୍କୃତି ଏଠାରେ ପ୍ରଦର୍ଶିତ ହେବ । ତେବେ 2020ରେ ଏହି ଖାରବେଳ ମହୋତ୍ସବର ନାମ ପରିବର୍ତ୍ତନ କରିଥିଲେ ତତ୍କାଳୀନ ସରକାର । ଏହାର ନାମ ପରିବର୍ତ୍ତନ ହୋଇ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ହୋଇଥିଲା । କିନ୍ତୁ ଚଳିତବର୍ଷ ଏହା ‘ଖାରବେଳ ମହୋତ୍ସବ’ ନାଁରେ ପୁଣି ପାଳନ ହେଉଛି ।
ଇଟିଭି ଭାରତ, ଭୁବନେଶ୍ୱର