ଯାଜପୁର: ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା । ରାତିରେ ଶୋଇବାକୁ ଷ୍ଟୁଡିଓ ଗଲେ ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ହେଲେ ଦୀପକ କୁମାର ସାହୁ । ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ଜଣାପଡିନାହିଁ ।
ଷ୍ଟୁଡିଓ ମାଲିକକୁ ହତ୍ୟା:
ପରିବାରଲୋକଙ୍କ କହିବା ଅନୁଯାୟୀ, ଗତକାଲି(ଶନିବାର) ରାତିରେ ଖାଇ ସାରି ଘରକୁ ଟିକେ ଦୂରରେ ଥିବା ଷ୍ଟୁଡିଓକୁ ଶୋଇବାକୁ ଯାଇଥିଲେ ଦୀପକ । ରାତିରେ ତାଙ୍କ ଫୋନ ସୁଇଚ ଅଫ୍ ଥିଲା । ସକାଳେ ମା’ ଯେତେବେଳେ ଚା’ ନେଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ଦୀପକଙ୍କ ମୃତଦେହ । ଷ୍ଟୁଡିଓରୁ ସରଞ୍ଜାମ ଚୋରି ହୋଇଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ରାତିରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକ ।
![Photo Studio Owner Murder](https://etvbharatimages.akamaized.net/etvbharat/prod-images/09-02-2025/od-jjr-01-jajpur-hatyakand-avb-od10029_09022025133728_0902f_1739088448_900.jpg)
ପୋଲିସର ଛାନଭିନ ଜାରି:
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଦୀପକଙ୍କୁ ହତ୍ୟା କଲା ତାହାର ତଦନ୍ତ କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ଷ୍ଟୁଡିଓରୁ ରକ୍ତାକ୍ତ ମୃତଦେହ ଉଦ୍ଧାର:
ମୃତ ଦୀପକଙ୍କ ମା’ ପାର୍ବତୀ ସାହୁ କହିଛନ୍ତି, ‘ପୁଅ ସବୁଦିନ ଷ୍ଟୁଡିଓରେ ଶୁଏ । ମୁଁ ଚା’ କରି ପ୍ରତିଦିନ ଫୋନ କରେ । ଆଜି ଫୋନ କରିଥିଲି ଫୋନ ସୁଇଚ ଅଫ ଦେଖାଇଲା । ଚା’ ନେଇକି ଷ୍ଟୁଡିଓ ଗଲି କବାଟ ଖୋଲି ଦେଖିଲା ବେଳେକୁ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି ।’
![Photo Studio Owner Murder](https://etvbharatimages.akamaized.net/etvbharat/prod-images/09-02-2025/od-jjr-01-jajpur-hatyakand-avb-od10029_09022025133728_0902f_1739088448_798.jpg)
ଅନେକଙ୍କୁ ସାହାଯ୍ୟ କରୁଥିଲେ ଦୀପକ:
ମୃତ ଦୀପକଙ୍କ ବାପା ଧରଣୀ ସାହୁ କହିଛନ୍ତି, ‘ଗତକାଲି ରାତିରେ 10ରୁ 10.30ଟା ଭିତରେ ଖାଇ ପିଇ ଗଲା । ସକାଳୁ ମୋ ଜ୍ବାଇଁପୁଅ ଆସିକି କହିଲେ ଦୀପକ ଆଉ ନାହିଁ । ଅନେକ ଲୋକଙ୍କୁ ମୋ ପୁଅ ସାହାଯ୍ୟ କରୁଥିଲା ।
ଏହା ମଧ୍ୟ ପଢନ୍ତୁ: ଟଙ୍କା ଲେଣଦେଣକୁ ନେଇ ସାଥି ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା, ଏବେସୁଦ୍ଧା ୩ ଗିରଫ ୱେବ ସିରିଜ ଦେଖି ପତ୍ନୀଙ୍କୁ ହତ୍ୟା ପରେ ଏମିତି ପ୍ରମାଣ ନଷ୍ଟ କରିଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ |
ବିବାହ କରିଥାନ୍ତେ ଦୀପକ:
ସେହିପରି ଦୀପକଙ୍କ ଭଉଣୀ କହିଛନ୍ତି, ‘ଏଇ ମାସରେ ତାର ବାହାଘର ହୋଇଥାନ୍ତା । ଝିଅ ଦେଖିବାକୁ ଯାଇଥାନ୍ତା । ସବୁ କିଛି ଠିକଠାକ ହୋଇଯାଇଥିଲା । ଭାଇ ସହ ସମସ୍ତେ ଭଲ ଥିଲେ । ମୋ ଭାଇକୁ ନ୍ୟାୟ ଦିଆଯାଉ ।’
ଇଟିଭି ଭାରତ, ଯାଜପୁର