ଭୁବନେଶ୍ବର: ଆଇଟି ସ୍କିଲ୍ରେ ଦକ୍ଷ ହେବେ ଛାତ୍ରଛାତ୍ରୀ । ୮୫୧୧ଟି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମୌଳିକ ଆଇଟି ଦକ୍ଷତା । ତେବେ ଏହି ବିଦ୍ୟାଳୟ ଗୁଡିକରେ ଓକାକ୍ ମାଧ୍ୟମରେ ଆଉଟ୍ ସୋର୍ସିଂରେ କମ୍ପ୍ୟୁଟର ଆସିସଟାଣ୍ଟ ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ଆଇଟି ସ୍କିଲ ପ୍ରଦାନ କରାଯିବ । ଏହା ସହିତ କମ୍ପ୍ୟୁଟର ଆସିସଟାଣ୍ଟ ମାନେ ବିଦ୍ୟାଳୟ ଗୁଡିକରେ ଅନ୍ୟାନ୍ୟ ଆଇଟି ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ପାଇଁ ସହାୟତା ପ୍ରଦାନ କରିବେ ।
ଉଲ୍ଲେଖ ଯୋଗ୍ୟ, କିଛି ମାସ ପୂର୍ବେ ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଭଳି ଦୁଇଟି ତାଲିମ ଅନୁଷ୍ଠାନର ବିଭିନ୍ନ ଟ୍ରେଡ୍କୁ ଆଧୁନିକୀକରଣ କରାଯାଇଛି । ଯାହା ଫଳରେ ଛାତ୍ରଛାତ୍ରୀ ଶିଳ୍ପ ଉପଯୋଗୀ ତାଲିମ ନେଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ । ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲ୍ ଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେଇଛି OMBADC । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଅଧୀନରେ ପରିଚାଳିତ ରାଉରକେଲା ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂର ଭିତ୍ତିଭୂମି ଉନ୍ନୟନ ସହ ତାଲିମ ପ୍ରଦାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ୨୦୧୮ରୁ ୨୦୨୩ ଏହି ୫ ବର୍ଷ ଭିତରେ ରାଉରକେଲା ସରକାରୀ ଆଇଟିଆଇ ଓ ୟୁଜିଆଇଇରୁ ଅତ୍ୟାଧୁନିକ ତାଲିମ ନେଇ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି ।